ଦେବଗଡ଼: ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ଆକାଉଣ୍ଟସ୍ ଅଫିସର ରାଜେନ୍ଦ୍ର ଦାଶ। ଏକ ଅଙ୍ଗନବାଡ଼ି ଘର ନିର୍ମାଣରେ ୨ଲକ୍ଷ ଟଙ୍କା ବିଲ୍ ପଇଠ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି।
ସୂଚନା ଅନୁଯାୟୀ, ରିଆମାଳ ବ୍ଲକ୍ ଟିଙ୍କବୀର ଗ୍ରାମର ବିଜୟ ନାୟକ ଏକ ଅଙ୍ଗନବାଡ଼ି ଗୃହ ନିର୍ମାଣ କରିଥିଲେ। ତେବେ ଏହାର ବିଲ୍ ପଇଠ ପାଇଁ ଆକାଉଣ୍ଟସ୍ ଅଫିସର ଶ୍ରୀ ଦାଶ ବିଜୟଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ବିଜୟ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ସମ୍ବଲପୁର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ଼ ଡିଏସ୍ପି ଯୋଗେନ୍ଦ୍ର ପଟେଲ ଓ ଝାରସୁଗୁଡ଼ା ଡିଏସ୍ପି ପ୍ରଦୀପ ଆଇନ୍ଦଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ୍ ଅଭିଯୋଗକାରୀ ବିଜୟଙ୍କୁ ରାସାୟନିକ ବୋଳା ୬ ହଜାର ଟଙ୍କା ଶ୍ରୀ ଦାଶଙ୍କୁ ଦେବାକୁ ଦେଇଥିଲେ। ବିଜୟ ଏହି ଟଙ୍କା ଦେବାପରେ ଭିଜିଲାନ୍ସ ଟିମ୍ ସେଠାରେ ପହଞ୍ଚି ଶ୍ରୀ ଦାଶଙ୍କ ଟେବୁଲ ଡ୍ରୟର ମଧ୍ୟରୁ ଏହାକୁ ଉଦ୍ଧାର କରିଥିଲେ। ଏହି ଘଟଣାପରେ ଶ୍ରୀ ଦାଶଙ୍କ ରିଆମାଳ ବାସଭବନରେ ମଧ୍ୟ ଯାଞ୍ଚ କରାଯାଇ ଥିଲା। ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗର ଏକ ଟିମ୍ ତାଙ୍କ ପୈତୃକ ବାସଭବନ ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ଲପଙ୍ଗା ଗ୍ରାମରେ ମଧ୍ୟ ଯାଞ୍ଚ କରିଥିଲେ। ତେବେ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ନମ୍ବର ୧୬ରେ ଏକ ମାମଲା ରୁଜୁ କରି ଶ୍ରୀ ଦାଶଙ୍କୁ ଦେବଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/56gdj45g6456gjgjgjgjd.jpg)