‘ସମ୍ବାଦ’ ପ୍ରଭାବ : କୁଟିଆ କନ୍ଧ ପରିବାରଙ୍କୁ ଭତ୍ତା ଓ ପିଡିଏସ୍ ଚାଉଳ ମିଳୁନଥିବା ନେଇ ଖବର ପ୍ରକାଶ ପରେ ଗାଁ’ରେ ପହଞ୍ଚିଲା ବ୍ଲକ ପ୍ରଶାସନ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ସରଗୁଡା ଗ୍ରାମରେ ବାସ କରୁଥିବା ଏକ କୁଟିଆ କନ୍ଧ ପରିବାରଙ୍କୁ ବହୁଦିନ ଧରି ଭତ୍ତା ଓ ପିଡିଏସ୍‌ ଚାଉଳ ମିଳୁନଥିବା ନେଇ ବୁଧବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ବ୍ଲକ୍‌ ଅଧ୍ୟକ୍ଷ ଇ. ଫକିର ମୋହନ ମାଝୀ, ବିଡିଓ ଜିତେନ୍ଦ୍ର ମିଶ୍ର, ସାମାଜିକ ସଂପ୍ରସାରଣ ଅଧିକାରୀ ସୁଜିତ ସାହୁ ପ୍ରମୁଖ ଆଜି ସରଗୁଡା ଗ୍ରାମକୁ ଯାଇ ରୂପାଦେଇ ମାଝୀଙ୍କ ପରିବାରଙ୍କୁ ସାକ୍ଷାତ କରିଥିଲେ। ଏକ ସପ୍ତାହ ମଧ୍ୟରେ ଭତ୍ତା ଓ ପିଡିଏସ୍ ଚାଉଳ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ।

ସୂଚନା ଅନୁସାରେ, ସରଗୁଡା ଗ୍ରାମର ତ୍ରିନାଥ ମାଝୀଙ୍କ ମୃତ୍ୟୁ ହୋଇ ଆଜିକୁ ୧୨ ବର୍ଷ ବିତିଯାଇଥିଲା। କିନ୍ତୁ ତାଙ୍କ ସ୍ତ୍ରୀ ରୁପାଦେଇ (୮୦)ଙ୍କୁ ଏପର୍ଯ୍ୟନ୍ତ ବିଧବା  କିମ୍ବା ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିଲା। ଏହି ପରିବାରରେ ଛଅ ଜଣ ସଦସ୍ୟ ରହୁଥିଲେ। ସେହିପରି ବୃଦ୍ଧା ରୁପାଦେଇଙ୍କ ବୋହୂ ଲକ୍ଷ୍ମୀ ମାଝୀଙ୍କ ବ୍ୟତୀତ ଅନ୍ୟ କାହାକୁ ମଧ୍ୟ ପଞ୍ଚାୟତର ପିଡିଏସ୍ ଚାଉଳ ମିଳୁନଥିଲା। ଯାହା ଫଳରେ ଏହି ପରିବାର ଭାରି କଷ୍ଟରେ ଚଳୁଥିଲେ।

ସମ୍ବନ୍ଧିତ ଖବର