ଜଳେଶ୍ୱର: ବ୍ୟାଙ୍କ କାଗଜପତ୍ର ଠିକ୍ ନଥିଲା। ଟଙ୍କା ଉଠାଣ ହୋଇ ପାରିଲାନି। ଫଳରେ ଭତ୍ତା ନେବା ପାଇଁ ଆସିଥିବା ୩୫ଟି ପଞ୍ଚାୟତର ପ୍ରାୟ ୧୭ ହଜାର ହିତାଧିକାରୀ ନିରାଶ ହୋଇ ଫେରିଯାଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ରେ।ସୂଚନା ଅନୁସାରେ; ଜଳେଶ୍ୱର ବ୍ଲକ୍ ପ୍ରଶାସନ ପକ୍ଷରୁ ୬୪୭୬/୧୯.୧୧.୨୪ ନମ୍ବରର ଏକ ଚିଠି ଜାରି ହୋଇଥିଲା। ଯେଉଁ ଚିଠି ଭତ୍ତା ବିତରଣ ଦାୟିତ୍ୱରେ ଥିବା ପଦାଧିକାରୀଙ୍କ ସହ ଜଳେଶ୍ବର ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ବ୍ଲକ୍ ଅଧୀନ ୩୫ଟି ପଞ୍ଚାୟତର ସରପଞ୍ଚମାନଙ୍କୁ ପ୍ରଦାନ କରାଯାଇଥିଲା। ଚିଠିରେ ଉଲ୍ଲେଖ ଥିଲା; ମଧୁବାବୁ ପେନ୍ସନ୍ ଯୋଜନାର ହିତାଧିକାରୀଙ୍କୁ ଆଜି (୨୦ ତାରିଖ) ଭତ୍ତା ବିତରଣ କରାଯିବ।
ସୂଚନା ପାଇ ବ୍ଲକ୍ରେ ଥିବା ମୋଟ ୧୭,୫୬୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୧୭ ହଜାର ହିତାଧିକାରୀ ସମସ୍ତ ଭତ୍ତା ବିତରଣ କେନ୍ଦ୍ରରେ ସକାଳ ୮ଟାରୁ ଭିଡ଼ ଜମାଇ ଥିଲେ। ଭତ୍ତା ବିତରଣ ଦାୟିତ୍ୱରେ ଥିବା ପଦାଧିକାରୀମାନେ ମଧ୍ୟ ଆସି ପହଞ୍ଚିଥିଲେ। ସମସ୍ତେ ଅପେକ୍ଷା କରିଥିଲେ, ବ୍ୟାଙ୍କରୁ ମୋଟ୍ ୧ କୋଟି ୮୫ ଲକ୍ଷ ୭୧ ହଜାର ୪୦୦ ଟଙ୍କା କେନ୍ଦ୍ରଗୁଡ଼ିକରେ ପହଞ୍ଚିଲେ ଭତ୍ତା ବିତରଣ ହେବ। ହେଲେ, ବହୁ ସମୟ ପରେ ମଧ୍ୟ ଟଙ୍କା ପହଞ୍ଚି ନଥିଲା। ପ୍ରାୟ ୯ଟା ବେଳେ ବିଡିଓ ଭତ୍ତା ବଣ୍ଟନ ଦାୟିତ୍ବରେ ଥିବା ସମସ୍ତ ପଦାଧିକାରୀଙ୍କୁ ଅବଗତ କରିଥିଲେ ଯେ କିଛି ବୈଷୟିକ ତ୍ରୁଟି ଯୋଗୁ ବ୍ୟାଙ୍କରୁ ଟଙ୍କା ଉଠାଣ ହୋଇ ପାରିନି। ତେଣୁ ଆଜି ଭତ୍ତା ବିତରଣ ହେବନି। ଫଳରେ ପଦାଧିକାରୀମାନେ ଏନେଇ ହିତାଧିକାରୀଙ୍କୁ ଅବଗତ କରିଥିଲେ। ଯାହାକୁ ନେଇ ଆଖପାଖ ସହ ୨ରୁ ୫ କିମି ଦୂରରୁ ଅସିଥିବା ହିତାଧିକାରୀମାନେ ନିରାଶ ହୋଇଥିଲେ। ଏମିତି କି ଦକ୍ଷିଣ ପ୍ରହରାଜପୁର, ବର୍ତ୍ତନା, ଖୁଲୁଡ଼ା, ଖୁଦିଆ ମାଝୀ ସାହି, ଆରୁହା, ରାଜପୁର ଆଦି ପଞ୍ଚାୟତରେ ସରପଞ୍ଚ, ପଦାଧିକାରୀ ଓ ହିତାଧିକାରୀଙ୍କ ମଧ୍ୟରେ ବଚସା ହୋଇଥିଲା।
ଯାହା ଜଣାପଡ଼ିଛି, ଗୌରାଙ୍ଗ ଚରଣ ଘୋଷ ଜଳେଶ୍ୱର ବିଡିଓ ଭାବେ ତିନି ସପ୍ତାହ ପୂର୍ବରୁ ଯୋଗଦାନ କରିଛନ୍ତି। ହେଲେ ଜଳେଶ୍ବର ଆଇସିଆଇସିଆଇ ବ୍ୟାଙ୍କରେ ଥିବା ବ୍ଲକ୍ ଆକାଉଣ୍ଟରେ ତାଙ୍କ ଦସ୍ତଖତ ପରିବର୍ତ୍ତନ ନେଇ ଆବଶ୍ୟକ କାଗଜପତ୍ର ଦିଆଯାଇନି। ତେଣୁ ଟଙ୍କା ଉଠାଣ ସମ୍ଭବ ହୋଇ ପାରିନି।
ଏନେଇ ବିଡିଓ ଶ୍ରୀ ଘୋଷଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ସମ୍ଭବ ହୋଇନି। ସେହିପରି ଜଳେଶ୍ବର ଆଇସିଆଇସିଆଇ ବ୍ୟାଙ୍କର ଡେପୁଟି ମ୍ୟାନେଜର ଆଲିସା ଜେନା କହିଛନ୍ତି, ଆକାଉଣ୍ଟରେ ପୁରୁଣା ବିଡିଓଙ୍କ ଦସ୍ତଖତ ବଦଳା ଯାଇ ନଥିବାରୁ ଟଙ୍କା ଉଠାଣରେ ସମସ୍ୟା ଥିଲା। ଯାହା ଆଜି ସମାଧାନ ହୋଇଯାଇଛି। ଆସନ୍ତାକାଲି ହିତାଧିକାରୀମାନେ ଭତ୍ତା ଟଙ୍କା ପାଇପାରିବେ। ଅନ୍ୟପକ୍ଷରେ, ଜଳେଶ୍ବର ବ୍ଲକ୍ର ୧୭ ହଜାରରୁ ଅଧିକ ହିତାଧିକାରୀ ଭତ୍ତା ନପାଇ ଫେରିଯିବା କଥାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବ୍ଲକ୍ ପ୍ରଶାସନର ବେପରୁଆ ମନୋଭାବକୁ ବୁଦ୍ଧିଜୀବୀ ନାପସନ୍ଦ କରିଥିବା ବେଳେ ଭବିଷ୍ୟତରେ ଯେମିତି ଏପରି ସମସ୍ୟା ନ ଉପୁଜେ, ସେଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/20/LuEDKylcrIuXzgTGiJmN.jpg)