ଟିକାବାଲି : ବାହା ବେଦିରେ ବସିବାକୁ ଆଉ ମାତ୍ର ୪ ଦିନ ଥିଲା। ନିମନ୍ତ୍ରଣ ବଣ୍ଟା, ଭୋଜି ଆୟୋଜନ ସରିଥିଲା। ବର ବେଶରେ ସଜେଇ ହୋଇ କନ୍ୟା ଘରକୁ ଯିବା ଆଗରୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ ଉପାଧ୍ୟକ୍ଷ ଏନ୍.ଲୁକ୍‌। ଟିକାବାଲି ପୁଲିସ ରବିବାର ରାତିରେ ତାଙ୍କୁ ଦୁଷ୍କର୍ମ ମାମଲାରେ ଥାନାକୁ ଆଣିଥିଲା। ସୋମବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ଅଭିଯୁକ୍ତ ବ୍ଲକ୍‌ ଉପାଧ୍ୟକ୍ଷଙ୍କୁ ବାଲିଗୁଡ଼ା କୋର୍ଟ ଚାଲାଣ କରା ଯାଇଥିବା ତଦନ୍ତ ଅଧିକାରୀ ଏସ୍‌ଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ସୂଚନା ଦେଇଛନ୍ତି।

Advertisment

ଅଭିଯୋଗ ପ୍ରକାରେ, ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମର ପୀଡ଼ିତାଙ୍କ ସହ ଅଭିଯୁକ୍ତ ଏନ୍. ଲୁକଙ୍କ ୨୦୨୦ ମସିହାରୁ ବିବାହ ପାଇଁ ପ୍ରସ୍ତାବ ପଡ଼ିଥିଲା। ଉଭୟେ ଅନେକବାର ଫୁଲବାଣୀ ଓ ବ୍ରହ୍ମପୁର ଆସି ବିଭିନ୍ନ ସ୍ଥାନରେ ଏକାଠି ରହିଥିବା ନେଇ ପୀଡ଼ିତା ତଦନ୍ତ ଅଧିକାରୀଙ୍କ ଆଗରେ ପ୍ରକାଶ କରିଥିଲେ। ଉପାଧ୍ୟକ୍ଷ ଏନ୍‌.ଲୁକଙ୍କ ବିବାହ ଆଉ ୪ଦିନ ଥିବା ବେଳେ ଗତକାଲି ପୀଡ଼ିତା ଜଣକ ଥାନାରେ ଅଭିଯୋଗ କରିଥିଲେ।

ତେବେ ଉପାଧ୍ୟକ୍ଷଙ୍କ ସମ୍ପର୍କୀୟମାନଙ୍କ କହିବା ପ୍ରକାରେ, କୁଇ ସଂପ୍ରଦାୟର ରୀତିନୀତି ଅନୁଯାୟୀ ଯୁବତୀଙ୍କ ସହ ତାଙ୍କର ପ୍ରସ୍ତାବ ପଡ଼ିଥିଲା। ହେଲେ କୌଣସି କାରଣରୁ ଏହା ଭାଙ୍ଗି ଯାଇଥିଲା। ଯୁବତୀ ଜଣକ ଆକ୍ରୋଶମୂଳକ ଭାବେ ତାଙ୍କୁ ଫସାଇ ଦେଇଛନ୍ତି ବୋଲି ସେମାନେ ପାଲଟା ଅଭିଯୋଗ କରିଛନ୍ତି।