ବ୍ଲକ ଅଧ୍ୟକ୍ଷ: ଜିଲ୍ଲାରେ ୮ ଆସନ ପାଇ ବିଜେଡି ଆଗରେ

ବିଜେପି-୩, ସିପିଆଇଏମ ୩ ଓ ସ୍ବାଧୀନ ୨, ମିଶ୍ରିତ-୧

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ପଞ୍ଚାୟତସମିତିର  ଅଧ୍ୟକ୍ଷ କିଏ ହେବ ତାକୁ ନେଇ ରାଜନୈତିକ ଦଳ ଓ ସାଧାରଣରେ ବେଶ ଉତ୍କଣ୍ଠା ଲାଗି ରହିଥିଲା। ବିଜେଡି, ବିଜେପି, ସିପିଆଇଏମ ସମେତ କଂଗ୍ରେସ ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ଆସନରେ ବସାଇବାକୁ କସରତ ଜାରି ରଖିଥିଲେ। ଶନିବାର ଅପରାହ୍ନରେ ଆୟୋଜିତ ନିର୍ବାଚନ ଓ  ବିଜୟୀ ଅଧ୍ୟକ୍ଷଙ୍କ ନାମ ଘୋଷଣା ପରେ ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି।

ଜିଲ୍ଲାର ୮ଟି ପଞ୍ଚାୟତସମିତି ଲାଠିକଟା, ଲେଫ୍ରିପଡ଼ା, ସୁନ୍ଦରଗଡ଼ ସଦର, ହେମଗିର, ବାଲିଶଙ୍କରା, ବଡ଼ଗାଁ, ଗୁରୁଣ୍ଡିଆ, କୁତ୍ରା ଅନୁସୂଚୀତ ଜାତି ଓ  ୯ଟି କୁଆରମୁଣ୍ଡା, କୋଇଡ଼ା, ଟାଙ୍ଗରପାଲି, ନୂଆଗାଁ, ବଣାଇଁଗଡ଼, ବିଶ୍ରା, ରାଜଗାଙ୍ଗପୁର, ସବଡେଗା, ଲହୁଣିପଡ଼ା ଅନୁସୂଚୀତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ସେଥିମଧ୍ୟରୁ ସର୍ବାଧିକ ୮ଟି ପଞ୍ଚାୟତସମିତିରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତା’ ପଛକୁ ବିଜେପି ଓ ସିପିଆଇଏମ ସମର୍ଥିତ ପ୍ରାର୍ଥୀ ୩ଟି ଲେଖାଏଁ ଅଧ୍ୟକ୍ଷ ଆସନ ହାତେଇଛନ୍ତି। ଉଲ୍ଲେଖନୀୟ କଥା ହେଲା, ୨ଟି ଆସନ ସ୍ବାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି। ଏହା ଛଡ଼ା ବିଜେପି ଓ ଅସନ୍ତୁଷ୍ଟ ବିଜେଡି ସମର୍ଥିତ ପ୍ରାର୍ଥୀ ଗୋଟିଏ ଆସନ ହେମଗିରରେ ବିଜୟୀ ହୋଇଛନ୍ତି।

ବିଜେଡି ସମର୍ଥିତ ପ୍ରାର୍ଥୀ ଜିତିଥିବା ପଞ୍ଚାୟତସମିତିଗୁଡ଼ିକ ହେଲା, ବାଲିଶଙ୍କରା, ଲେଫ୍ରିପଡ଼ା, ରାଜଗାଙ୍ଗପୁର, ନୂଆଗାଁ,  ବିଶ୍ରା, ବଣାଇଁଗଡ଼, କୁଆରମୁଣ୍ଡା ଓ ଲାଠିକଟା। ସେହିପରି ବିଜେପି ଖାତାରେ ସୁନ୍ଦରଗଡ଼ ସଦର, ଟାଙ୍ଗରପାଲି ଓ ସବଡେଗା, ସିପିଆଇଏମ ହାତକୁ ଲହୁଣିପଡ଼ା, କୋଇଡ଼ା, ଗୁରୁଣ୍ଡିଆ ଯାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ବଡ଼ଗାଁ ଓ କୁତ୍ରା ପଞ୍ଚାୟତସମିତିକୁ ଅକ୍ତିଆର କରିଛନ୍ତି।

ଜିଲ୍ଲାର ବଡ଼ଗାଁ ପଞ୍ଚାୟତସମିତି ଅଧ୍ୟକ୍ଷ ଭାବେ ସ୍ବାଧୀନ ପ୍ରାର୍ଥୀ  ଦୁଲାରି ସୋରେଙ୍ଗ ନିର୍ବାଚିତ ହୋଇଛନ୍ତି। ସାହାଜବାହାଲ ସମିତିସଭ୍ୟା ଦୁଲାରିଙ୍କୁ ୧୫ ସମିତିସଭ୍ୟଙ୍କ ମଧ୍ୟରୁ ୧୧ ଜଣ ସମର୍ଥନ କରିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ସାରିକା କେର୍କେଟା ୩ଟି ଭୋଟ ପାଇ ପରାଜିତ ହୋଇଛନ୍ତି। ୧୯ ସମିତିସଭ୍ୟ ବିଶିଷ୍ଟ ବାଲିଶଙ୍କରାରେ ବିଜେଡି ବନାମ ବିଜେଡି ଲଢ଼େଇ ହୋଇଥିଲା। ଏଥିରେ ଦୁଇଥର ଅଧ୍ୟକ୍ଷ ଦାୟିତ୍ବ ହାତେଇଥିବା କିଞ୍ଜିରକେଲା ସମିତିସଭ୍ୟା କୁଞ୍ଜଲତା ଭିତିରିଆ ଏକ ରୋଚକସ୍ଥିତିରେ ୧୧ଟି ଭୋଟ୍ ପାଇ ପ୍ରତିଦ୍ବନ୍ଦୀ ପ୍ରଭାବଶାଳୀ ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀଙ୍କ ପତ୍ନୀ ପୂର୍ବତନ ଅଧ୍ୟକ୍ଷା ତ୍ରିବେଣୀ ମାଝୀଙ୍କୁ ପରାଜିତ କରିଥିଲେ।

୧୪ ଆସନ ବିଶିଷ୍ଟ ସବଡେଗା ପଞ୍ଚାୟତସମିତି ଅଧ୍ୟକ୍ଷା ଭାବେ ବିଜେପି ସମର୍ଥିତ ସୁବଲୟା ସମିତିସଭ୍ୟା କୁନ୍ତି ପ୍ରଧାନ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। କୁତ୍ରା ପଞ୍ଚାୟତସମିତି ଅଧ୍ୟକ୍ଷା ଭାବେ ସ୍ବାଧୀନ ପ୍ରାର୍ଥୀ ପୁର୍କାପାଲି  ସମିତିସଭ୍ୟା ଶାନ୍ତିଲତା ଲାକ୍ରା ୧୬ରୁ  ୧୧ ଖଣ୍ଡ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି। ତାଙ୍କ ପ୍ରତିଦ୍ବନ୍ଦ୍ବୀ  ମାଗରିତା କେର୍କେଟା ୫ ଖଣ୍ଡ ଭୋଟ୍ ପାଇଥିଲେ। ୧୭ ଆସନ ବିଶିଷ୍ଟ ଲେଫ୍ରିପଡ଼ା ପଞ୍ଚାୟତସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥିତ  ସର୍ଗିପାଲି ସମିତିସଭ୍ୟ ନରେଶ ପ୍ରତାପ ସିଂ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ଭାଇ  ନରେଶ ଏହା ପୂର୍ବରୁ ଦୁଇ ଥର ଅଧ୍ୟକ୍ଷ ଆସନ ହାତେଇଛନ୍ତି।

ସୁନ୍ଦରଗଡ଼ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ବିଜେପି ସମର୍ଥିତ ବାରଗାଡ଼ ସମିତିସଭ୍ୟ ସୁବ୍ରତ ମାଝୀ ନିର୍ବାଚିତ ହୋଇଛନ୍ତି। ବିଜେଡିର ସକଳ ଚେଷ୍ଟା ସତ୍ତ୍ବେ ଶ୍ରୀ ମାଝୀ ୧୬ରୁ ୯ ସମିତିସଭ୍ୟଙ୍କ ସମର୍ଥନ ପାଇ ବିଜେଡିର ସୁରଭି କିସାନଙ୍କୁ ପରାସ୍ତ କରିଥିଲେ। ୧୯ ଆସନ ବିଶିଷ୍ଟ ହେମଗିର ପଞ୍ଚାୟତସମିତିରେ ବିଜେପି ଓ ଅସନ୍ତୁଷ୍ଟ ବିଜେଡି ସମର୍ଥିତ ପ୍ରାର୍ଥୀ ସୁମୁରା ସମିତିସଭ୍ୟ ପ୍ରେମାନନ୍ଦ ସା ୧୧ ସମିତିସଭ୍ୟଙ୍କ ସମର୍ଥନରେ ବିଜେଡି ସମର୍ଥିତ ଉପେନ୍ଦ୍ର ଭୋଇଙ୍କୁ ପରାଜିତ କରି ଅଧ୍ୟକ୍ଷ ନିର୍ବାଚିତ  ହୋଇଛନ୍ତି। ରାଜଗାଙ୍ଗପୁର  ଅଧ୍ୟକ୍ଷା ରୂପେ ବିଜେଡିର  ସାବିନା ମିଞ୍ଜ ନିର୍ବାଚିତ ହୋଇଛନ୍ତି।

୨୦ ସମିତିସଭ୍ୟଙ୍କ ମଧ୍ୟରୁ ୩ ଜଣ ଅନୁପସ୍ଥିତ ଥିବା ବେଳେ ସାବିନା ୯ ଜଣଙ୍କ ସମର୍ଥନ ପାଇ କଂଗ୍ରେସ ସମର୍ଥିତ ଲିଲିମା ସୁକାନ୍ତି ସାଙ୍କୁ ପରାଜିତ କରିଥିଲେ।  ଲହୁଣିପଡ଼ା ଅଧ୍ୟକ୍ଷା ଭାବେ ସିପିଆଇଏମ ସମର୍ଥିତା ଶୁକମନି ମୁଣ୍ଡା ନିର୍ବାଚିତ ହୋଇଛନ୍ତି। ଡଲେଇସରା ସମିତିସଭ୍ୟା ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଶୁକମନି ୧୬ରୁ ୧୧ ଜଣ ସମିତିସଭ୍ୟଙ୍କ ସମର୍ଥନ ପାଇଛନ୍ତି।  ୨୦ ପଞ୍ଚାୟତ ବିଶିଷ୍ଟ ନୂଆଗାଁ ପଞ୍ଚାୟତସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥିତା କରଡେଗା ସମିତିସଭ୍ୟା ବିଶ୍ବାସୀ ଟପ୍ନୋ ୧୩ ଖଣ୍ଡ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି। ତାଙ୍କ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଓ ବିଜେପି ମେଣ୍ଟ ସମର୍ଥିତା ସୋରଡା ସମିତିସଭ୍ୟା ରିତାଗିନିତା ମୁଣ୍ଡା ପରାଜିତ ହୋଇଥିଲେ।

ବିଶ୍ରା ପଞ୍ଚାୟତସମିତି ଅଧ୍ୟକ୍ଷା ରୂପେ ବିଜେଡି ସମର୍ଥିତା ଉଡୁସୁ ସମିତିସଭ୍ୟା ଫୁଲମନି କେର୍କେଟା ଧର୍ମଗୁଳାରେ ବିଜୟୀ ହୋଇଛନ୍ତି। ୧୪ ସମିତିସଭ୍ୟଙ୍କ ମଧ୍ୟରୁ ଫୁଲମନି ଓ ବିଜେପି ସମର୍ଥିତା ଜାଲି ବରୁଆଙ୍କୁ ସମାନ ସଂଖ୍ୟକ ୭ ଜଣ ଲେଖାଏଁ ସମିତିସଭ୍ୟ ସମର୍ଥନ କରିଥିଲେ। ଫଳରେ ଧର୍ମଗୁଳା ପକାଯାଇଥିଲା। ଏଥିରେ ଫୁଲମନି ବିଜୟୀ ହୋଇଥିଲେ। ୧୫ ପଞ୍ଚାୟତ ବିଶିଷ୍ଟ କୋଇଡ଼ା ଅଧ୍ୟକ୍ଷ ଭାବେ ସିପିଆଇଏମ ସମର୍ଥିତ ପ୍ରାର୍ଥୀ କାଲଟା ସମିତିସଭ୍ୟ ସୁରେଶ ନାଏକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

ସେହିପରି ଗୁରୁଣ୍ଡିଆ ଅଧ୍ୟକ୍ଷ ଭାବେ ସିପିଆଇଏମ ସମର୍ଥିତ ସୋଲ ସମିତିସଭ୍ୟ ଜାର୍ଜନିଆ ବୁଡ଼ ନିର୍ବାଚିତ ହୋଇଛନ୍ତି। ୧୩ ସମିତିସଭ୍ୟଙ୍କ ମଧ୍ୟରୁ ୭ ଜଣ ଶ୍ରୀ ବୁଡ଼ଙ୍କୁ  ଭୋଟ୍ ଦେଇଥିବା ବେଳେ ପ୍ରତିଦ୍ବନ୍ଦ୍ବୀ ବିଜେଡି ସମର୍ଥିତ ଜରଡା ସମିତିସଭ୍ୟ  ରାସାଲ ଓରାମ ୬ ଖଣ୍ଡ ଭୋଟ୍ ପାଇଥିଲେ। ବଣାଇଁଗଡ଼ ଅଧ୍ୟକ୍ଷ ଭାବେ ୧୩ ସମିତିସଭ୍ୟଙ୍କ ମଧ୍ୟରୁ  ବିଜେଡି ସମର୍ଥିତ ମଞ୍ଜୁଲତା କିସାନ ୭ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି। ସେ ପ୍ରତିଦ୍ବନ୍ଦ୍ବୀ ସିପିଆଇଏମର ଅମ୍ବିକା କିସାନଙ୍କୁ ପରାଜିତ କରିଛନ୍ତି।

୨୦ ପଞ୍ଚାୟତ ବିଶିଷ୍ଟ କୁଆରମୁଣ୍ଡା ପଞ୍ଚାୟତସମିତି ଅଧ୍ୟକ୍ଷା ଭାବେ ଜ୍ୟୋତି କେର୍କେଟା ଏକ ରୋଚକସ୍ଥିତିରେ  ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ୧୩ ସମିତିସଭ୍ୟ ଭୋଟ ଦେବାକୁ ଆସିଥିବା ବେଳେ ଅନ୍ୟ ୭ ଜଣ ଅଜ୍ଞାତବାସରେ ଫେରି ନଥିବା ଓ ଅନ୍ୟ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିଲେ। ଲାଠିକଟା  ପଞ୍ଚାୟତସମିତି ଅଧ୍ୟକ୍ଷ ଭାବେ ବିଜେଡି ସମର୍ଥିତ ଜଡ଼ାକୁଦର ସମିତିସଭ୍ୟ ଦିଲୀପ ଖେସ ୧୮ ସମିତିସଭ୍ୟଙ୍କ ମଧ୍ୟରୁ ୯ ଜଣଙ୍କ ସମର୍ଥନ ହାସଲ କରି ବିଜୟୀ ହୋଇଛନ୍ତି। ଜଣେ ଅନୁପସ୍ଥିତ ଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଜେପି ସମର୍ଥିତ  ବିରକେରା ସମିତିସଭ୍ୟ ସନ୍ତୋଷ ତିର୍କୀ  ୮ ଭୋଟ ପାଇ ପରାଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର