ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଲୋକ ମହୋତ୍ସବ ‘ଚଇତି’ରେ କାଶୀପୁର ବ୍ଲକ୍ ଅଧ୍ୟକ୍ଷ କଣ୍ଠେଶ୍ବର ମାଝିଙ୍କୁ ଅଣଦେଖା କରାଯାଇଛି। ୫ ଦିନ ଧରି ପାଳନ ହେବାକୁ ମହୋତ୍ସବର ନିମନ୍ତ୍ରଣ କାର୍ଡରେ ଜିଲ୍ଲାର ଅନ୍ୟ ୧୦ ବ୍ଲକ୍ ଅଧ୍ୟକ୍ଷଙ୍କ ନାଁ ଥିବା ବେଳେ କାଶୀପୁର ବ୍ଲକ୍ ଅଧ୍ୟକ୍ଷଙ୍କ ନାଁକୁ ବାଦ୍ ଦିଆଯାଇଛି। ଯାହାକୁ ନେଇ କାଶୀପୁର ବ୍ଲକବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଶାସନ ଜାଣିଶୁଣି ଏପରି କରିଥିବା ଅଭିଯୋଗରେ କାଶୀପୁର ବନ୍ଦ ଡାକରା ଦେଇଥିଲେ ଜନସାଧାରଣ।

Advertisment

ସକାଳ ୬ଟାରୁ ଶହ ଶହ ସ୍ଥାନୀୟ ଅଞ୍ଚଳବାସୀ ଟିକିରି, ମାଣ୍ଡିବିଶି, କାଶୀପୁରରେ ବନ୍ଦ ପାଳନ କରିଥିଲେ। ଦୋକାନ, ବଜାର ବନ୍ଦ ସହ ରାସ୍ତା ଅବରୋଧ କରି ପ୍ରଶାସନର ମନମୁଖୀ କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ। ପ୍ରଶାସନ ପକ୍ଷରୁ ତ୍ବରିତ୍ ପଦକ୍ଷେପ ସ୍ବରୂପ ଘଟଣାରେ ହସ୍ତକ୍ଷେପ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା। ଜାଣି ଶୁଣି ଏପରି କରାଯାଇନଥିବା ନେଇ ଅଞ୍ଚଳବାସୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଆଲୋଚନା କରିଥିଲେ। ପ୍ରଶାସନର ଏପରି କାର୍ଯ୍ୟ କାଶୀପୁରବାସୀଙ୍କ ସ୍ବାଭିମାନ ପ୍ରତି ଆଞ୍ଚ ଆଣିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶରେ କାଶୀପୁର ତହସିଲଦାର ଶରତ ଶବର ଟିକିରିରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ସହ ବ୍ଲକ୍ ଅଧ୍ୟକ୍ଷଙ୍କୁ ବୁଝାଶୁଝା କରିଥିଲେ। ପ୍ରଶାସନ ତୁରନ୍ତ ନୂତନ କାର୍ଡ ଛପାଇ ଚଇତି ତୃତୀୟ ସଂଧ୍ୟାରେ ବ୍ଲକ୍ ଅଧ୍ୟକ୍ଷ କଣ୍ଠେଶ୍ବରଙ୍କୁ ଅତିଥି କରିବା ପରେ ଆନ୍ଦୋଳନ ଥମିଥିଲା। ମଧ୍ୟାହଣ୍ ୧୨ଟା ପର୍ଯ୍ୟନ୍ତ ଦୋକାନ, ବଜାର ବନ୍ଦ ରହିଥିଲା। ଯାତାୟାତ ସୁବିଧା ଦୃଷ୍ଟିରୁ ଗାଡ଼ି ଚଳାଚଳକୁ ବନ୍ଦରୁ ବାଦ୍ ଦିଆଯାଇଥିଲା। କାଶୀପୁରରେ ଆଜି ସାପ୍ତାହିକ ହାଟ ଥିବାରୁ ହାଟକୁ ବନ୍ଦ କରିନଥିଲେ ଆନ୍ଦୋଳନକାରୀ। କିନ୍ତୁ ପ୍ରଶାସନିକ ଅବହେଳାର ତୀବ୍ର ବିରୋଧ କରିଥିଲେ।

ସୂଚନାଯୋଗ୍ୟ, ଚଇତି ମୁଖ୍ୟ ମହୋତ୍ସବର ନିମନ୍ତ୍ରଣ କାର୍ଡ ମଙ୍ଗଳବାର ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଇଥିଲା। ୨୦ ତାରିଖ କାର୍ଯ୍ୟକ୍ରମରେ ଜିଲ୍ଲାର ୧୧ଟି ବ୍ଲକ୍ ମଧ୍ୟର ୧୦ ବ୍ଲକ୍ ଅଧ୍ୟକ୍ଷଙ୍କ ନାମ ଯୋଗଦେବା ପାଇଁ ଉଲ୍ଲେଖ ଥିବା ବେଳେ କାଶୀପୁର ବ୍ଲକ୍ ଅଧ୍ୟକ୍ଷଙ୍କ ନାଁକୁ ବାଦ୍ ଦିଆଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ କାଶୀପୁର, ଟିକିରି ସମେତ ଅନ୍ୟ ଅଞ୍ଚ‌ଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପାଖାପାଖି ୩୦ରୁ ଉର୍ଦ୍ଧ୍ବ ଲୋ‌କ ଏ ନେଇ ଜିଲ୍ଲାପାଳ ସ୍ବଧା ଦେବ ସିଂଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାଶୀପୁର ଲୋକ ପ୍ରତିନିଧିଙ୍କ ପ୍ରତି ହୋଇଥିବା ଅବହେଳାକୁ ଦଳମତ ନିର୍ବିଶେଷରେ ସଭିଁଏ ବିରୋଧ କରିଥିଲେ। ବିଜେଡ଼ି ରାଜ୍ୟ ସଂପାଦକ ଜଗଦୀଶ ପାତ୍ର, କାଶୀପୁର ବ୍ଲକ୍ କଂଗ୍ରେସ ସଭାପତି ଅଙ୍ଗଦ ନାଏକ, ବିଏସପିର ସ‌ରୋଜ ନାଏକଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଅବହେଳାର ପ୍ରତିବାଦ କରିଥିଲେ।