ଗେଟ୍‌ ସାମ୍ନାରେ ଚୌକି ପକାଇ ବସିଲେ, ଉପସ୍ଥାନ ପଞ୍ଜୀକରଣ ଧରି କର୍ମଚାରୀଙ୍କୁ ଜଗିଲେ ପୌର ଅଧ୍ୟକ୍ଷା

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦର ଅଧକ୍ଷା ରାଧା ଭତ୍ରାଙ୍କୁ ଆଜି ଆକ୍ସନ ମୁଡ଼ରେ ଦେଖିବାକୁ ମିଳିଥିଲା। ସେ ପୌର ପରିଷଦ କାର୍ଯ୍ୟାଳୟ ସାମ୍ନାରେ ଚୌକି ପକାଇ ବସିଥିଲେ। ହାତରେ ତାଙ୍କର କର୍ମଚାରୀଙ୍କ ଉପସ୍ଥାନ ଖାତା ଥିଲା। କର୍ମଚାରୀମାନେ ‌ଯେତେବେଳେ ପୌର ପରିଷଦ କାର୍ଯ୍ୟାଳୟକୁ ଆସନ୍ତି, ଏଥିରେ ପ୍ରଥମେ ନିଜର ଉପସ୍ଥାନ ନେଇ ଦସ୍ତଖତ କରିଥାନ୍ତି। କିନ୍ତୁ ସହରର ବହୁ ଲୋକ ଅଭିଯୋଗ କରି ଆସୁଥିଲେ ଯେ, ଯେତେବେଳେ ସେମାନେ କିଛି କାମ ପାଇଁ ଆସନ୍ତି, କାର୍ଯ୍ୟାଳୟରେ କର୍ମଚାରୀ ନ ଥାନ୍ତି ଅଥବା ବିଳମ୍ବରେ ଆସିଥାନ୍ତି। ଏହି ଅଭିଯୋଗ ଆଧାରରେ ଶ୍ରୀମତୀ ଭତ୍ରା ଆଜି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଗେଟ୍‌ ସାମ୍ନାରେ ଚୌକି ପକାଇ ବସିଥିଲେ। ସେ ଉପସ୍ଥାନ ଖାତା ଧରି କର୍ମଚାରୀଙ୍କ ଆସିବାର ସମୟ ପରଖୁ ଥିଲେ।

ଶ୍ରୀମତୀ ଭତ୍ରା ଆଜି ସକାଳେ ଠିକ୍ ୧୦ ଟାରେ ଅଫିସରେ ପହଞ୍ଚିଥିଲେ। ଅଫିସ ଭିତରକୁ ଯାଇ ଦେଖିଲେ ସେହି ସମୟ ବେଳକୁ ବହୁ କର୍ମଚାରୀ ଅଫିସକୁ ଆସି ନ ଥିଲେ। ସେ ନିଜ ଚାମ୍ବରରେ ନ ବସି କର୍ମଚାରୀଙ୍କ ଉପସ୍ଥାନ ପଂଜୀକରଣ ଖାତା ଧରି ଦିନ ୧୦ ଟାରୁ ୧୨ ଟା ପର୍ଯ୍ୟନ୍ତ ଅଫିସ ସମ୍ମୁଖରେ ଚୌକି ପକାଇ ବସିଲେ। କିଛି କର୍ମଚାରୀ ଠିକ୍‌ ସମୟରେ ପହଞ୍ଚିଥିବା ବେଳେ ଅନ୍ୟ କିଛି କର୍ମଚାରୀ ବିଳମ୍ବରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ପୌର ଅଧ୍ୟକ୍ଷା ଗେଟ୍‌ ସାମ୍ନାରେ ବସିଥିବା ଜାଣିପାରି କିଛି କର୍ମଚାରୀ ତରବରିଆ ହେଇ ଅଫିସ ପହଞ୍ଚିଥିବା ପରିଲକ୍ଷିତ ହେଇଥିଥିଲା। ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ବ୍ଲକ ଅଧକ୍ଷା କହିଛନ୍ତି ।

ଅପରପକ୍ଷରେ ପୌର କାର୍ଯ୍ୟାଳୟର ମୁଖ୍ୟ କିରାଣୀ କେ, ନାଗେଶ୍ଵର ରାଓଙ୍କୁ ପଚାରିବରୁ ସେ କହିଥିଲେ ଯେ, ପ୍ରାୟ ସବୁ କର୍ମଚାରୀ ଠିକ୍ ସମୟରେ ପହଞ୍ଚିଥିଲେ। ଫିଲ୍ଡ କର୍ମଚାରୀ ବିଳମ୍ୱ ରେ ଆସିଥିଲେ। ପୌରାଧ୍ୟକ୍ଷାଙ୍କ ଏହି କାର୍ଯ୍ୟକୁ ନେଇ ଆଜି ଉମରକୋଟ ସହରରେ ଆଲୋଚନା ଚାଲିଥିଲା।

ସମ୍ବନ୍ଧିତ ଖବର