ମୟୂରଭଞ୍ଜ: ୬ ହଜାର ୫ ଶହ ଟଙ୍କା ଲାଞ୍ଚ ନେଇ ଜେଲ୍ ଗଲେ ଶୁକ୍ରୁଳି ବ୍ଲକ୍ ଉଦ୍ୟାନ କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକ ଉଦ୍ୟାନ ବିଭାଗର କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ ଆଜି ମଧ୍ୟାହ୍ନ ୧୨ଟା ସମୟରେ ୬ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ି ଜେଲ ଯାଇଛନ୍ତି । ସୂଚନା ଅନୁସାରେ ଶୁକ୍ରୁଳି ବ୍ଲକ ଚତୁରାଞ୍ଜଳି ପଞ୍ଚାୟତ ବଡ଼ପାଣି ଗ୍ରାମର ମନରେଗା ଯୋଜନାରେ ଏକ କାର୍ଯ୍ୟରେ ବିଲ ପାସ୍ କରାଇବା ପାଇଁ ଉଦ୍ୟାନ ସାଥୀ ଚନ୍ଦ୍ର ବୈପାଇଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବ୍ଲକ ଉଦ୍ୟାନ ବିଭାଗର କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ । ଉଭୟଙ୍କ ମଧ୍ୟରେ ମୁଲଚାଲ ପରେ ୬ ହଜାର ୫ ଶହ ଟଙ୍କାରେ କଥା ଛିଣ୍ଡିଥିଲା । ମାତ୍ର ଏହି ଲାଞ୍ଚୁଆ କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀଙ୍କୁ ଏକ ଶିକ୍ଷା ଦେବା ନିମନ୍ତେ ଉଦ୍ୟାନ ସାଥୀ ଶ୍ରୀ ବୈପାଇ ବାରିପଦା ଭିଜିଲାନ୍ସ ୟୁନିଟ୍ ସହିତ ଯୋଗାଯୋଗ କରି ଯୋଜନା ପ୍ରସ୍ତୁତ କରିଥିଲେ।

ପୂର୍ବ ପ୍ରସ୍ତୁତ ଯୋଜନା ଅନୁସାରେ ଆଜି ଭିଜିଲାନ୍ସରୁ ନେଇଥିବା ରଙ୍ଗବୋଳା ୬ ହଜାର ୫ ଶହ ଟଙ୍କା ବ୍ଲକ କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀଙ୍କୁ ଧରାଇ ଦେଇ କାର୍ଯ୍ୟରେ ସଫଳ ହୋଇଥିବାର ପୋଜିସନରେ ଛପି ରହିଥିବା ଭିଜିଲାନ୍ସ ଟିମକୁ ସଙ୍କେତ ଦେବା ପରେ ଭିଜିଲାନ୍ସ କର୍ମଚାରୀମାନେ ଆତର୍କିତ ଭାବେ ଶ୍ରୀ ସାହୁଙ୍କ ଉପରକୁ ଝାମ୍ପିପଡ଼ି ତାଙ୍କ ନିକଟରୁ ଭିଜିଲାନ୍ସର ରଙ୍ଗବୋଳା ଟଙ୍କା ଜବତ କରିବା ସଙ୍ଗେ ସଂଗେ ଗିରଫ କରି ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଆସିଥିଲେ। ଏହାପରେ ଆବଶ୍ୟକ କାଗଜପତ୍ର ପ୍ରସ୍ତତ ହେବା ପରେ ବ୍ଲକ୍ ଉଦ୍ୟାନ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସାହୁଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଇଥିଲେ । ବାରିପଦା ଭିଜିଲାନ୍ସ ଡିଏସ୍ପି ଶରତ ମହାପାତ୍ରଙ୍କ ନେତୃତ୍ୱରେ ଭିଜିଲାନ୍ସ ଇନ୍ସପେକ୍ଟର ସୁଶୀଳ କୁମାର ଇକ୍କା, ବାଲେଶ୍ୱର ଇନ୍ସପେକ୍ଟର ଦୁଷ୍ମନ୍ତ ନାୟକ ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର