କଟକ: ବ୍ଲକ୍ ଗ୍ରାଣ୍ଟ୍ ପାଉଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଓ ଛୁଟି ସମ୍ପର୍କିତ ୨୦୧୧ର ଚିଠି ପ୍ରତ୍ୟାହାର ନେଇ ୨୦୨୫ ଜାନୁଆରି ୭ରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପ୍ରଦାନ କରିଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଜାନୁଆରି ୭ର ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଏପରି ଚିଠିକୁ ବିରୋଧ କରି ନିଖିଳ ଓଡିଶା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ (୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ତରଫରୁ ଉପସଭାପତି ଡକ୍ଟର ସୁବିଜ୍ଞ ଗଡ଼ତିଆ ଦାୟର କରିଥିବା ମାମଲାର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାର ଓ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ସତ୍ୟପାଠ ଦାଖଲ କରିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଜାନୁଆରି ୭ର ଚିଠିର କାର୍ଯ୍ୟକାରିତା ଉପରେ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି। ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାର୍ଚ୍ଚ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପରେ ସମସ୍ତ ବ୍ଲକ୍ ଗ୍ରାଣ୍ଟ୍ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ଆଶ୍ୱସ୍ତି ମିଳିଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୧ ନଭେମ୍ବର ୨୩ରେ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ମାଧ୍ୟମରେ ବ୍ଲକ ଗ୍ରାଣ୍ଟ ପାଉଥିବା ଶିକ୍ଷକ ଓ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଓ ଛୁଟି ସମ୍ପର୍କିତ ଏକ ସ୍ପଷ୍ଟୀକରଣ ଜାରି କରାଯାଇଥିଲା। ଏହି ଚିଠିରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ କାର୍ଯ୍ୟରତ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଓଡ଼ିଶା ଶିକ୍ଷା ନିୟମ ୧୯୭୪ ଓ ଛୁଟି ୧୯୭୭ ନିୟମ ଅନୁସାରେ କାର୍ଯ୍ୟକାରୀ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା। ଏହି ଚିଠିକୁ ଆଧାର କରି ପ୍ରତ୍ୟେକ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷମାନେ କର୍ମଚାରୀଙ୍କୁ ଛୁଟି ମଞ୍ଜୁର କରି ଆସୁଥିଲେ। ଚାକିରି ସର୍ତ୍ତାବଳୀ ସମ୍ପର୍କିତ ଶତାଧିକ ମାମଲା ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରାଧୀନ ରହିଛି। ଏଭଳି ସ୍ଥିତିରେ ୨୦୨୫ ଜାନୁଆରି ୭ରେ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୦୧୧ ମସିହାର ଚିଠିକୁ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏ ନେଇ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଜାରି କରାଯାଇଥିଲା। ଏପରି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ମାମଲା ଦାୟର ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କୁନାଲ କୁମାର ସ୍ବାଇଁ ଓ କୌଶିକ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି। ସଂଘର ସଭାପତି ମାନସ ପୁରୋହିତ ଏକ ବିବୃତି ମାଧ୍ୟମରେ ଚାକିରି ସର୍ତ୍ତାବଳୀ ସମ୍ପର୍କିତ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନ ହେବା ପର୍ଯ୍ୟନ୍ତ ନିୟମିତ ପର୍ଯ୍ୟାୟରେ ଆନ୍ଦୋଳନ ଓ ଅଦାଲତରେ ନ୍ୟାୟିକ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।