ବ୍ଲକ୍‌ଗ୍ରାଣ୍ଟ ସ୍କୁଲ ବନ୍ଦ ପ୍ରସଙ୍ଗ : ତୀବ୍ର ବିରୋଧ ପାଇଁ ଓଷ୍ଟାର ଚେତାବନୀ

ଭୁବନେଶ୍ବର : ବ୍ଲକ୍‌ଗ୍ରାଣ୍ଟ ସ୍କୁଲ ସମେତ ନୂତନ ଅନୁଦାନପ୍ରାପ୍ତ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ବ୍ଲକ୍‌ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କଠାରୁ ଫେବ୍ରୁଆରି ୨୭ ସୁଦ୍ଧା ମତାମତ ଲୋଡ଼ାଯାଇଛି। ଏଭଳି ଖବର ଜଣାପଡ଼ିବା ପରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସ˚ଘ (ଓଷ୍ଟା) ପକ୍ଷରୁ ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି।

ଓଷ୍ଟାର ସାଧାରଣ ସ˚ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ ସାଧାରଣ ଲୋକଙ୍କ ଦ୍ବାରା ପଞ୍ଚମ ଥର ଶାସନ ଗାଦିକୁ ଆସିବା ପରେ ରାଜ୍ୟ ସରକାର ଭସ୍ମାସୁର ସାଜିଛନ୍ତି। ଲୋକଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ବିଦ୍ୟାଳୟକୁ ବନ୍ଦ କରିବାକୁ ଯାଉଛନ୍ତି। ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଓ କର୍ମଚାରୀ ପଦ ପୂରଣ ନ କରି, ନିଜର ଦୁର୍ବଳତାକୁ ଲୁଚାଇବାକୁ ଯାଇ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ବନ୍ଦ କରିବା ପାଇଁ ମସୁଧା ଆରମ୍ଭ କରିଛନ୍ତି। ମିଶ୍ରଣ ପାଇଁ ଯେଉଁ ଚକ୍ରାନ୍ତ କରାଯାଉଛି ତାହାର ଉଚିତ ଜବାବ ଦିଆଯିବ। ପିଲା ସ˚ଖ୍ୟା କମ୍‌ ଥିଲେ ସରକାର ଅଭିଜ୍ଞ ଶିକ୍ଷକ, ଶିକ୍ଷାବିତ୍‌ ଓ ଶିକ୍ଷକ ସଙ୍ଗଠନଙ୍କ ସହ ଆଲୋଚନା କରନ୍ତୁ। ପ୍ରଥମେ ଏହି ବିଦ୍ୟାଳୟଗୁଡ଼ିକୁ ସରକାରୀ ଶିକ୍ଷକ ଓ କର୍ମଚାରୀମାନଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଅନ୍ତୁ। ସବୁ ସ୍କୁଲକୁ ସରକାରୀ ଘୋଷଣା କରନ୍ତୁ। ତା’ ନ କରି ଲୋକଙ୍କ ପୃଷ୍ଠପୋଷକତାରେ ଚାଲିଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ ବା ମିଶାଇ ପାଇଁ ସରକାରଙ୍କ କେଉଁଠୁ ଅଧିକାର ଆସିଲା ବୋଲି ଓଷ୍ଟା ପକ୍ଷରୁ ପ୍ରଶ୍ନ କରାଯାଇଛି।

ରାଜ୍ୟ ସରକାର ଏ ପ୍ରକାର ମାନସିକତା ପରିହାର କରନ୍ତୁ। ନିଷ୍ପତ୍ତି ନେବା ପୂର୍ବରୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଉ ଥରେ ଚିନ୍ତା କରନ୍ତୁ। ନଚେତ୍‌ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ରାଜ୍ୟ ସରକରଙ୍କ ପ୍ରକୃତ ମୁଖା ଖୋଲି ଦିଆଯିବ। ଶିକ୍ଷା ବ୍ୟବସ୍ଥାକୁ ସ˚କୋଚନ କରି ଘରୋଇ ବିଦ୍ୟାଳୟକୁ ପ୍ରୋତ୍ସାହନ ଦେବା ପାଇଁ ଯେଉଁ ମସୁଧା ଚଳାଇଛନ୍ତି ତାହାକୁ କେବେ ସଫଳ କରିବାକୁ ଦିଆଯିବ ନାହିଁ। ଲୋକଙ୍କ ସ୍କୁଲକୁ ରକ୍ଷା କରିବା ପାଇଁ ଗାଁଠାରୁ ରାଜଧାନୀ ପର୍ଯ୍ୟନ୍ତ ବିରୋଧ କରାଯିବ। ଆବଶ୍ୟକ ପଡ଼ିଲେ ଶିକ୍ଷକ, ଅଭିଭାବକ ଓ ଲୋକଙ୍କୁ ଏକାଠି କରାଯାଇ ପ୍ରତିବାଦ ହେବ ବୋଲି ଓଷ୍ଟାର ବିନୋଦ ବିାହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଦୃଢ଼ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର