ବ୍ଲକ୍‌ଗ୍ରାଣ୍ଟ୍‌ ହାଇସ୍କୁଲ୍‌ ଶିକ୍ଷକ ଓ କର୍ମଚାରୀଙ୍କ ଶୋଭାଯାତ୍ରା

ଭୁବନେଶ୍ବର : ୬ ଦଫା ଦାବି ନେଇ ଆଜି ବ୍ଲକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଭାପତି ଗଙ୍ଗାନାରାୟଣ ଦାଶ ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ଶିକ୍ଷକ ଓ କର୍ମଚାରୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଧାନସଭା ସମ୍ମୁଖକୁ ଯାଇଥିଲେ। ସେଠାରେ ଦାବି ନେଇ ନାରାବାଜି କରିବା ସହ ଧାରଣାରେ ବସି ରହିଥିଲେ। ୧୯୯୪ ଅନୁଦାନ ନିର୍ଦେଶନାମା ଅନୁଯାୟୀ ସମସ୍ତ ବିଦ୍ୟାଳୟକୁ ଅନୁଦାନ, ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଶିକ୍ଷକ ଓ କର୍ମଚାରୀଙ୍କୁ ସମାନ ସୁବିଧା ପ୍ରଦାନ, ୧୯୭୪ ମସିହା ସେବା ସର୍ତାବଳୀ ନିୟମ ଅନୁଦାନ ପ୍ରାପ୍ତ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ପ୍ରୟୋଗ, ଏହି ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭଳି ସମାନ ସୁବିଧା ସୁଯୋଗ ପ୍ରଦାନ, ଯୋଗ୍ୟ ବିବେଚିତ ଅଣ-ଅନୁଦାନପ୍ରାପ୍ତ ୧୮୨ଟି ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଆଦି ଦାବି ନେଇ ଲୋୟର ପିଏମ୍‌ଜିରେ ଗର୍ଜିଥିଲେ। ବହୁ ସମୟ ଧରି ଧାରଣା ପରେ ସଂଘ ସଭାପତିଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଆଲୋଚନା କରିଥିଲେ। ଆସନ୍ତା ୪ ତାରିଖ ସୁଧା ସରକାର ଦାବି ନେଇ ପଦକ୍ଷେପ ନ ନେଲେ ସମସ୍ତ ବ୍ଲକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟଗୁଡ଼ିକରେ ତାଲା ପକାଇବା ସହ ପରୀକ୍ଷା ଓ ନିର୍ବାଚନ ଦାୟିତ୍ବ ବର୍ଜନ କରିବେ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର