ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଦେଖିବେ ଯୁକ୍ତ୨ ଖାତା
ମୂଲ୍ୟାୟନ କେନ୍ଦ୍ରକୁ ପଠାଗଲା ଅଧ୍ୟାପକଙ୍କ ତାଲିକା
ଭୁବନେଶ୍ୱର : ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ସହ ପୁଣିଥରେ ପ୍ରତାରଣା। ଗତ ମାର୍ଚ୍ଚ ୩୧ ତାରିଖରେ ବସିଥିବା ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ନିଷ୍ପତ୍ତି ଅନୁଯାୟୀ ସୋମବାର ଦାବି ପୂରଣ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ପ୍ରତିଶ୍ରୁତି ମିଳିଥିଲା। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ମଧ୍ୟ ପ୍ରତିଶ୍ରୁତିକୁ ଦୃଷ୍ଟିରେ ରଖି ଆନ୍ଦୋଳନକୁ ସ୍ଥଗିତ ରଖିଥିଲା। ଉତ୍କଳ ଦିବସରେ ମହାସମାବେଶ କରିବା ପରିବର୍ତେ ସ୍କୁଲ ପ୍ରଧାନଶିକ୍ଷକ ଓ କଲେଜ ଅଧ୍ୟକ୍ଷଙ୍କୁ ନେଇ ଆଲୋଚନାଚକ୍ର କରିଥିଲା ମିଳିତ ମଞ୍ଚ। ତଥାପି କୌଣସି ସୁଫଳ ମିଳିଲା ନାହିଁ। କଣ୍ଟ ପୂରିଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରାଯାଇ ନ ଥିବାରୁ ଶିକ୍ଷକମାନେ ପୁଣିଥରେ ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟା ମହଲତ ଦେଇଛନ୍ତି। ଯଦି ମଙ୍ଗଳବାର ସୁଦ୍ଧା ଦାବି ପୂରଣ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରା ନ ଯାଏ ତେବେ ଶିକ୍ଷକମାନେ ଏପ୍ରିଲ ୪ରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ମିଳିତ ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ, ପୂର୍ବଥର ପରି ଏଥର ମଧ୍ୟ ଶିକ୍ଷକ ଓ ଅଧ୍ୟାପକଙ୍କ ସହ ରାଜ୍ୟ ସରକାର ପ୍ରତାରଣା କରିଛନ୍ତି। ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି। ମାର୍ଚ୍ଚ ୩୧ ବୈଠକ ପରେ ଆଶା କରାଯାଉଥିଲା ଯେ ଶିକ୍ଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମନ୍ତ୍ରୀମାନେ ପାଳନ କରିବେ। କିନ୍ତୁ ରାଜ୍ୟ ସରକାରଙ୍କ ତିନି ଜଣ ମନ୍ତ୍ରୀଙ୍କ ସମେତ ପୂର୍ବତନ ମନ୍ତ୍ରୀ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି। ମଙ୍ଗଳବାର ସୁଦ୍ଧା ଦାବି ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ କରାଗଲେ ଅଧ୍ୟାପକମାନେ ଯୁକ୍ତ୨ ଖାତାଦେଖାରେ ସାମିଲ ହେବେ। ଯଦି ବିଜ୍ଞପ୍ତି ପ୍ରକାଶ କରା ନ ଯାଏ ତେବେ ମୂଲ୍ୟାୟନ କେନ୍ଦ୍ର ଆଗରେ ଯେଉଁ ପରିସ୍ଥିତି ଉପୁଜିବ ସେଥିପ୍ରତି ରାଜ୍ୟ ସରକାର ଦାୟୀ ରହିବେ ବୋଲି ସେ ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ ଯୁକ୍ତ୨ ଖାତା ଦେଖା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୪ରୁ ୧୪ ତାରିଖ ଯାଏ ଖାତା ଦେଖିବାକୁ ଥିବା ଅଧ୍ୟାପକଙ୍କ ତାଲିକା ମୂଲ୍ୟାୟନ କେନ୍ଦ୍ରକୁ ପଠାଇ ଦିଆଯାଇଛି। ଅଧ୍ୟାପକମାନେ ୪ ତାରିଖ ପୂର୍ବାହ୍ନ ୧୦ଟାରେ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟିଂ କରିବାକୁ କୁହାଯାଇଛି। ଯୁକ୍ତ୨ କଲେଜ ସମେତ ଡିଗ୍ରି, ସ୍ୱୟଂଶାସିତ କଲେଜ, ଏସ୍ ଆଣ୍ଡ ଏସ୍ଟି ବିଭାଗ ଅଧୀନରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ, ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟର ଅଧ୍ୟାପକଙ୍କୁ ସାମିଲ କରାଯାଇଛି। ରେଭେନ୍ସା ସମେତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ବି ଖାତା ଦେଖିବେ। ପ୍ରଥମ ଦିନରେ ପ୍ରତି ଅଧ୍ୟାପକ ମାତ୍ର ୫ଟି ଉତ୍ତର ଖାତା ଦେଖିବେ। ପ୍ରତି କେନ୍ଦ୍ରରେ ଜଣେ ଲେଖାଏଁ ମାଷ୍ଟର ଟ୍ରେନର୍ଙ୍କୁ ନିଯୁକ୍ତି ଦିଆଯାଇଛି। ଅଧ୍ୟାପକମାନେ ଟିମ୍ ଗଠନ କରି ମୂଲ୍ୟାୟନ କିଭଳି କରିବେ ତାହା ଉପରେ ପ୍ରଥମ ଦିନ ଆଲୋଚନା କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।