ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ପାଇଁ ଉଠିଲା ସତ୍ୟପାଠ

ଆଜି ବସିବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ବୈଠକ

ଭୁବନେଶ୍ବର : ବ୍ଲକଗ୍ରାଣ୍ଟରୁ ଗ୍ରାଣ୍ଟ-ଇନ୍‌-ଏଡ୍‌ ମାନ୍ୟତା ପାଇଥିବା ହାଇସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଂସ୍କୃତ ଟୋଲ ଓ ମଦ୍ରାସା ଶିକ୍ଷକ ଓ କର୍ମଚାରୀଙ୍କ ବିଜୟ ହୋଇଛି। ୨୦୧୭ ଅନୁଦାନ ଆଇନର ନିର୍ଦେଶନାମାରେ ଥିବା ଲିଖିତ ସତ୍ୟପାଠ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। କୌଣସି ଶିକ୍ଷକ କିମ୍ବା କର୍ମଚାରୀଙ୍କୁ ଏଣିକି ଆଉ ଲିଖିତ ସତ୍ୟପାଠ ଦେବାକୁ ପଡ଼ିବିନି ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସ୍ବାଗତ କରିଛି। ତେବେ ଚାକିରି ସର୍ତ୍ତାବଳୀ, ଅବସରକାଳୀନ ସୁବିଧା ନ ଦେବା ଯାଏ ଏହା ପୂର୍ଣ୍ଣାଙ୍ଗ ଅନୁଦାନ ହୋଇପାରିବ ନାହିଁ ବୋଲି ମିଳିତ ମଞ୍ଚ କହିଛି। ରାଜ୍ୟ ସରକାର ଏ ଦିଗରେ ବିଚାର ବିମର୍ଶ କରିବା ସହ ସପ୍ତମ ବେତନ କମିସନ ଅନୁଯାୟୀ ଦରମା ଲାଗୁ ଓ ଅନୁଦାନ ଯୋଗ୍ୟ ସମସ୍ତ ସ୍କୁଲ ଓ କଳେଜକୁ ଅନୁଦାନ ଦେବାର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଏବେ ସଂଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନର ପରବର୍ତୀ କାର୍ଯ୍ୟପନ୍ଥା ନେଇ ଶୁକ୍ରବାର ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ବୋଲି ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମହାଲା କହିଛନ୍ତି।

ବ୍ଲକଗ୍ରାଣ୍ଟ ଉଚ୍ଛେଦ ପାଇଁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ ୨୦୧୭ ଅଗଷ୍ଟ ୧୬ରୁ ଆନ୍ଦୋଳନକୁ ଓହ୍ଲାଇଥିଲା। ସେପ୍ଟେମ୍ବର ୧ରେ ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ନୂତନ ଅନୁଦାନ ଆଇନ ପ୍ରଣୟନ ହେଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ସେହି ଅନୁଦାନ ଗ୍ରହଣ କରିବାକୁ ହେଲେ ସତ୍ୟପାଠ ଦେବାକୁ ପଡ଼ିବ ବୋଲି ପରବର୍ତୀ ସମୟରେ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଥିଲା। ଏହାକୁ ବିରୋଧ କରି ମିଳିତ ମଞ୍ଚ ପରୀକ୍ଷା ପରିଚାଳନା, ମୂଲ୍ୟାୟନ ବର୍ଜନ, ପଞ୍ଚାୟତ ନିର୍ବାଚନ କାର୍ଯ୍ୟକୁ ଦୂରେଇ ରହିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଭଳି ଚରମ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିଥିଲା। ଏଥିସହ ଅଦାଲତରେ ମଧ୍ୟ ଏହା ବିରୋଧରେ ମକଦ୍ଦମା କରିବାକୁ ପଡ଼ିଥିଲା। ଏବେ ସତ୍ୟପାଠ ଉଠିବା ଫଳରେ ଶିକ୍ଷକ ଓ କର୍ମଚାରୀଙ୍କ ଲାଗି ଅନୁଦାନ ଗ୍ରହଣ କରିବାର ବାଟ ଫିଟିଛି ବୋଲି ମିଳିତ ମଞ୍ଚ ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ସମେତ ଗଗନ ବେଉରା, ବିନୋଦ ବିହାରୀ ପାଣିଗ୍ରାହୀ, ଅଟଳ ବିହାରୀ ବଳ, ଅକ୍ଷୟ କୁମାର ମିଶ୍ର, ପ୍ରେମାନନ୍ଦ ଜେନା, ଶତାବୁଦ୍ଦିନ ଅହମ୍ମଦ ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର