୨୩ରେ ବିଧାନସଭା ଘେରିବେ ବ୍ଲକଗ୍ରାଣ୍ଟ ଶିକ୍ଷକ

ଭୁବନେଶ୍ୱର : ହଜାର ହଜାର ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ଆସନ୍ତା ୨୩ ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ‘ବ୍ଲକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ’ ପକ୍ଷରୁ ଘୋଷଣା କରାଯାଇଛି। ସଂଘ ପକ୍ଷରୁ ଆଜି ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦର ସଭା ଗୃହରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଗଙ୍ଗା ନାରାୟଣ ଦାଶ ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମାହାପାତ୍ର ଏହି ସୂଚନା ଦେଇଛନ୍ତି।

୧୯୯୪ ଅନୁଦାନ ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ ଭାବେ ଅବସ୍ଥାପିତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସୁବିଧା ପ୍ରଦାନ, ୨୦୧୭ ଅନୁଦାନ ନିର୍ଦ୍ଦେଶନାମାରୁ ସତ୍ୟପାଠ/ଲିଖିତ ସୂଚନା ଭଳି ଅପମାନଜନକ ସର୍ତାବଳୀ ପ୍ରତ୍ୟାହାର, ୧୯୭୪ ସେବା ସର୍ତ୍ତାବଳୀ ନିୟମକୁ ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ/କର୍ମଚାରୀମାନଙ୍କ ପାଇଁ ଲାଗୁ କରିବା ଓ ଏହି ସମସ୍ତ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟ ପରି ସୁବିଧା ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ସଂଘ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଆନ୍ଦୋଳନକୁ ସଫଳ କରିବା ପାଇଁ ରାଜ୍ୟର ସମସ୍ତ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଯୋଗ ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର