ଯୁବ ବିଜେଡି ପକ୍ଷରୁ ବ୍ଲକ୍‌ସ୍ତରୀୟ ପ୍ରଶିକ୍ଷଣ ଶିବିର, ସଂଗଠନ ସୁଦୃଢ଼ ପାଇଁ ‘ଏକ୍‌ କା ଦଶ’ ଫର୍ମୁଲା ଆପଣାନ୍ତୁ: ସୌମ୍ୟ

ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ୍‌ ବନମାଳିପୁର ପଞ୍ଚାୟତ ଅଧୀନ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ବ୍ଲକ୍‌ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ୍‌ ୫ଟି ଅଧିବେଶନରେ ଆୟୋଜିତ ଏହି ଶିବିରକୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଯୁବବନ୍ଧୁମାନେ ନିଶାମୁକ୍ତି ସଂକଳ୍ପ ନେବାକୁ ଆହ୍ବାନ ଦେଇଥିଲେ। ଏଥିସହିତ ପ୍ରତି କର୍ମକର୍ତ୍ତା ‘ଏକ୍‌ କା ଦଶ୍‌’ ନୀତି ଅପଣାଇ ନିଜ ପଡ଼ୋଶୀ ସହିତ ଅନ୍ୟୁନ ୧୦ଟି ପରିବାରର ଦାୟିତ୍ଵ ନେଇ ସେମାନଙ୍କ ସମସ୍ୟା ବାବଦରେ ବୁଝିପାରିଲେ ସଂଗଠନ ସୁଦୃଢ ହୋଇପାରିବ ବୋଲି କହିଛନ୍ତି।

ସୋମବାର ପୂର୍ବାହ୍ନରେ ପ୍ରଥମ ଅଧିବେଶନରେ ସାହିତ୍ୟିକ ଦାଶ ବେନହୂର ଖଣ୍ଡପଡ଼ାର ଐତିହ୍ୟ ସମ୍ପର୍କରେ ନୂତନ ପିଢ଼ିଙ୍କୁ ଅବଗତ କରିଥିଲେ। ଦୁଇଖଣ୍ଡ କାଠି ସାହାଯ୍ୟରେ ଗ୍ରହ ନକ୍ଷତ୍ରଙ୍କ ଗତିବିଧି ମାପିପାରିଥିବା ମହାନ ଜ୍ୟୋତିର୍ବିଦ୍‌ ପଠାଣି ସାମନ୍ତ ଓ ଖାଡ଼ଙ୍ଗା ଭାଗବତ ରଚନା କରିଥିବା ଦୀନବନ୍ଧୁ ମିଶ୍ର ଖାଡ଼ଙ୍ଗା ଏ ଅଞ୍ଚଳର ଗୌରବ। ନୂଆପିଢି ଏମାନଙ୍କ ବାବଦରେ ଜାଣିବା ନିହାତି ଦରକାର ବୋଲି ସେ କହିଥିଲେ। ଦ୍ବିତୀୟ ଅଧିବେଶନରେ ବିଜେଡି ମୁଖପାତ୍ର, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ଲେନିନ୍‌ ମହାନ୍ତି ଓଡ଼ିଶାର ବିକାଶରେ ବିଜୁ ଜନତା ଦଳର ଭୂମିକା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଗତ ଦୁଇ ଦଶନ୍ଧି ଧରି ବିଜୁ ଜନତା ଦଳ ସରକାର ରାଜ୍ୟରେ କ୍ଷମତାସୀନ ଥିବା ବେଳେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଯଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କୋଭିଡ଼ ସହାୟତା, ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ରୂପାନ୍ତରଣ ହାତକୁ ନେଇ ଲୋକଙ୍କ ମଧ୍ୟରେ ନିଜର ଉତ୍ତରଦାୟିତ୍ବ ପ୍ରତିପାଦନ କରିପାରିଛି ବୋଲି ସେ କହିଥିଲେ।

ତୃତୀୟ ଅଧିବେଶନରେ ବାଙ୍କି ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀ ନୂଆ ଓଡ଼ିଶା ଗଠନରେ ଯୁବ ଛାତ୍ରଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଯୁବକମାନେ ରାଜନୈତିକ ଶକ୍ତିକୁ ସମାଜ ମଙ୍ଗଳ ଦିଗରେ ଲଗାଇବା ନିମନ୍ତେ ଆହ୍ବାନ ଦେଇଥିଲେ। ଏଥିସହିତ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବା ସହିତ ସଂଘୀୟ ବ୍ୟବସ୍ଥାକୁ ଭାଙ୍ଗିବାକୁ ଉଦ୍ୟମ ହେଉଥିବା ନେଇ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ। ଅପରାହ୍ନ ଅଧିବେଶନରେ ବିଜେଡି ମୁଖପାତ୍ର ତଥା ବିଜୁ ଯୁବ ଜନତା ଦଳ ମହାସଚିବ ଏଲିନା ଦାଶ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟରେ ମହିଳା ସଶକ୍ତୀକରଣ ଦିଗରେ କାମ କରଉଛନ୍ତି। ଫଳରେ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୮୦ଲକ୍ଷ ମହିଳା ସାମିଲ ହୋଇ ନିଜ ସ୍ବାଲମ୍ବୀ କରିପାରିଛନ୍ତି। ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମାଧ୍ୟମରେ ମହିଳାଙ୍କୁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇଦିଆଯାଉଥିବା ନେଇ ଶ୍ରୀମତୀ ଦାଶ ସୂଚନା ଦେଇଥିଲେ।

ପଞ୍ଚମ ଅଧିବେଶନରେ ଯୁବ ସଶକ୍ତୀକରଣ ଓ ସ୍ଵାବଲମ୍ବନ ଉପରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ସାଢେ ଚାରି କୋଟି ଓଡିଆଙ୍କ ଜନମାନସର ନେତା ହୋଇଥିବା ବେଳେ ତାଙ୍କ ନେତତ୍ବରେ ଭୋକର ଭୂଗୋଳ ଭଳି ଅପବାଦରୁ ଓଡ଼ିଶା ମୁକୁଳିଥିବା କହିଥିଲେ।
ବିଜେଡି ବ୍ଲକ୍‌ ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଅନ୍ତିମ ଅଧିବେଶନରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ଖଣ୍ଡପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପମା ବେହେରା, ଖଣ୍ଡପଡ଼ା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶିଶିର କୁମାର ସାହୁ , ଯୁବ ବିଜେଡି ସଭାପତି ମନୋରଞ୍ଜନ ବେହେରା, ଛାତ୍ର ବିଜେଡି ସଭାପତି ବିଦ୍ୟାରଞ୍ଜନ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନିରଞ୍ଜନ ବେହେରାଙ୍କ ସହ ସ୍ଥାନୀୟ ବିଧାୟକ ଉପସ୍ଥିତ ରହି ସଂଗଠନ ସୁଦୃଢ ଦିଗରେ କାମ କରିବା ନିମନ୍ତେ ଆହ୍ଵାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ବହୁ ବରିଷ୍ଠ ବିଜେଡି ନେତା, ପଞ୍ଚାୟତ ସଭାପତି, ନବନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ, ଯୁବ ଓ ଛାତ୍ର ବିଜେଡିର ଛାମୁଆ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ। ବରିଷ୍ଠ ବିଜେଡି ନେତା ଶିଖରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର