କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ୍‌ ଅଧ୍ୟକ୍ଷା ସାଧାରଣ ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଥିବା କଥା ଚାରିଆଡ଼େ ପ୍ରଚାର ହୋଇଥିଲା। କିନ୍ତୁ ସେହି ଇସ୍ତଫା ଉପରେ କାର୍ଯ୍ୟାନୁଷ୍ଠାନ ଓ ପରବର୍ତ୍ତୀ ପ୍ରକ୍ରିୟା ଗ୍ରହଣ କରାନଯାଇ ପ୍ରଶାସନ ପକାଇ ରଖିଥିଲା। ଏହାର ପ୍ରତିବାଦରେ ଆଜି ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ କବିସୂର୍ଯ୍ୟନଗର ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିଥିଲେ। ତୁରନ୍ତ ଇସ୍ତଫାପତ୍ର ଗ୍ରହଣ କରିବାକୁ ଦାବି କରାଯାଇଥିଲା। ଶେଷରେ ପ୍ରଶାସନ ଜନତାଙ୍କ ଦାବିକୁ ଗ୍ରହଣ କରିଥିଲା। ଆଇନ ଅନୁସାରେ ଉପାଧ୍ୟକ୍ଷ ବୀରେନ୍ଦ୍ର ଖଟେଇଙ୍କୁ ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏହାକୁ ନେଇ ୫ଘଣ୍ଟା ଧରି ବ୍ଲକ୍‌ କାର୍ଯ୍ୟାଳୟରେ ଆଜି ଡ୍ରାମା ଦେଖିବାକୁ ମିଳିଥିଲା।

Advertisment

ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ କବିସୂର୍ଯ୍ୟନଗର ବ୍ଲକ୍‌ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ୱାଇଁ ଓ ଖଲ୍ଲିକୋଟ ବ୍ଲକ୍‌ ଅଧ୍ୟକ୍ଷ ଦୈତାରୀ ବେହେରା ନିଜ ପଦବିରୁ ଇସ୍ତଫା ଦେଇଥିଲେ। ଉଭୟେ ଜିଲ୍ଲାପାଳଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଥିଲେ। ଇତି ମଧ୍ୟରେ ଖଲ୍ଲିକୋଟ ବ୍ଲକ୍‌ ଉପାଧ୍ୟକ୍ଷ ବିଡିଓଙ୍କ ଠାରୁ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିସାରିଛନ୍ତି। କିନ୍ତୁ କବିସୂର୍ଯ୍ୟନଗରରେ ଏହା କାର୍ଯ୍ୟକାରୀ କରିବାରେ ବିଳମ୍ବ ହୋଇଥିଲା। ଯାହାକୁ ନେଇ ଆଜି ଆସିକା ବିଧାୟକ ଶ୍ରୀ ପାଢ଼ୀଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ବିଜେପି କର୍ମୀ କବିସୂର୍ଯ୍ୟନଗର ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରି ତୁରନ୍ତ ଦାୟିତ୍ବ ହସ୍ତାନ୍ତର କରିବାକୁ ଦାବି କରିଥିଲେ। ଖବର ପାଇ ପୁଲିସ ଫୋର୍ସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। ହେଲେ ଲୋକେ ପୁଲିସ କଥା ଶୁଣି ନଥିଲେ। ବିଡିଓଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘେରାଉ କରି ରଖିବା ସହ ବ୍ଲକ୍‌ ପ୍ରଶାସନର ଏଭଳି କାର୍ଯ୍ୟକୁ ନିନ୍ଦା କରିଥିଲେ। ଏହି ଘଟଣାକୁ ନେଇ ଆଜି ବ୍ଲକ୍‌ କାର୍ଯ୍ୟାଳୟରେ ପ୍ରବଳ ହୋ-ହାଲ୍ଲା ହୋଇଥିଲା। ଶେଷରେ ନିୟମ ଅନୁସାରେ ଉପାଧ୍ୟକ୍ଷଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ଏହି ଘଟଣାକୁ ନେଇ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ, ପୋଲସରା ଆଇଆଇସି କୌଶିକ ମାଝୀ, କୋଦଳା ଆଇଆଇସି ସୁବାସ ବେହେରା, କବିସୂର୍ଯ୍ୟନଗର ଏସ୍‌ଆଇ ବି.କେ ପ୍ରଧାନ, ପୁରୁଷୋତ୍ତମପୁର ଆଇଆଇସି ବିପିନ ବିହାରୀ ହୋତା ଉପସ୍ଥିତ ଥିଲେ। ଏହି ଘଟଣାକୁ ନେଇ ଜ୍ୟୋତିର୍ମୟୀଙ୍କୁ ପଚାରିବାରୁ ସେ କହିଛନ୍ତି‌, ମୁଁ ଇସ୍ତଫା ଦେଇ ନାହିଁ। ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନେବି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।