୨୦ହଜାର ଅନୁକମ୍ପା ରାଶି ପାଇଁ ୫ହଜାର ଲାଞ୍ଚ, ଭିଜିଲାନ୍ସ ଜାଲରେ ବ୍ଲକ୍‌ କାର୍ଯ୍ୟକ୍ରମ ସହାୟକ

ଉମରକୋଟ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ସହାୟକ ବୀରବଲ ସତନାମୀ। ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ୫ହଜାର ଟଙ୍କା ଲାଞ୍ଚ ନେବାସମୟରେ ଗିରଫ ହୋଇଛନ୍ତି। ବଳରାମଙ୍କୁ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଧିକ ପଚରାଉଚୁରା କରାଯାଉଛି।

ସୂଚନା ଅନୁଯାୟୀ, ଉମରକୋଟ ବ୍ଲକ୍‌ ହୀରାପୁର ଗାଁ ବଳରାମ ହରିଜନଙ୍କ ପିତା ୨୦୧୯ ମସିହା ନଭେମ୍ବର ୧୧ତାରିଖରେ ମୃତ୍ୟୁବରଣ କରିଥିଲେ। ପରିବାର ମୁଖ୍ୟଙ୍କ ମୃତ୍ୟୁହେଲେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସରକାର ଅନୁକମ୍ପା ସହାୟତା ଭାବେ ୨୦ହଜାର ଟଙ୍କା ପ୍ରଦାନ କରୁଥିବା ବଳଦେବ ଜାଣିବାକୁ ପାଇଥିଲେ। ତେଣୁ ଗତବର୍ଷ ନଭେମ୍ବର ମାସରେ ଉମରକୋଟ ବ୍ଲକ୍‌ କାର୍ଯ୍ୟାଳୟକୁ ଆସି ସମାଜ ମଙ୍ଗଳ ବିଭାଗରେ ଆବେଦନ କରିଥିଲେ। ଅନୁକମ୍ପା ରାଶି ମିଳିବାରେ ବିଳମ୍ବ ହେବାରୁ ବ୍ଲକ୍‌ କାର୍ଯ୍ୟକ୍ରମ ସହାୟକ ବୀରବଲ ସତନାମୀଙ୍କୁ ଭେଟି ବାରମ୍ବାର ଗୁହାରି କରିଥିଲେ ବଳରାମ। ଏଥିପାଇଁ ବୀରବଲ ୫ହଜାର ଟଙ୍କା ଲାଞ୍ଚ ମାଗିବାରୁ ଆଜି ଦେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର, ଏ ନେଇ ପୂର୍ବରୁ ଭିଜିଲାନ୍ସ ଅଧିକାରୀଙ୍କୁ ଅବଗତ କରିଥିଲେ ବଳରାମ। ଭିଜିଲାନ୍ସ ପକ୍ଷରୁ ଯୋଜନା ପ୍ରସ୍ତୁତ କରି ରସାୟନ ବୋଳା ନୋଟ୍‌ ଦେଇ ବଳରାମଙ୍କୁ ପଠାଯାଇଥିଲା। ବୀରବଲ ଟଙ୍କା ଗ୍ରହଣ କରିବାପରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଥିଲେ। ରସାୟନ ବୋଳା ନୋଟ୍‌ ଜବତ କରି ବୀରବଲଙ୍କୁ ଗିରଫ କରିବା ସହିତ ନବରଙ୍ଗପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଆସିଥିଲେ। ପରବର୍ତ୍ତୀ ସମୟରେ ଭିଜିଲାନ୍ସ ଟିମ୍‌ ବ୍ଲକ୍‌ କାର୍ଯ୍ୟାଳୟ ଓ ବୀରବଲଙ୍କ ବାସଭବନରେ ଚଢ଼ଉ କରିଥିଲେ।

ଚଢ଼ଉରେ ନବରଙ୍ଗପୁର ଭିଜିଲାନ୍ସ ଡିଏସ୍‌ପି କଳାବତି ବାଘ, ଜୟପୁର ଡିଏସ୍‌ପି ଅନନ୍ତ ପ୍ରସାଦ ମଲ୍ଲିକ ଓ ଡିଏସ୍‌ପି ଜୟଶ୍ରୀ ପ୍ରଧାନ, ମାଲକାନଗିରି ଭିଜିଲାନ୍ସ ଇନ୍‌ସପେକ୍ଟର ଆର. ବିଜୟ କୁମାର, ଅଜିତ ପାଢୀ, ସୁତାଂଶୁ ଶେଖର ପଟନାୟକ, ଦିବ୍ୟରଞ୍ଜନ ବେହେରା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର