ଭୁବନେଶ୍ବର: କୋରାପୁଟ ଜିଲ୍ଲାରେ ଦଶମନ୍ତପୁର ବ୍ଲକ୍। ଏହା ଅଧୀନସ୍ଥ ଗୋଟିଏ ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟର ଦୂରତା ୧୩୫ କିଲୋମିଟର। ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ୍। ଏହି ଗୋଟିଏ ବ୍ଲକ୍‌କୁ ନେଇ ଗୋଟିଏ ନିର୍ବାଚନମଣ୍ଡଳୀ। ଏହା ଅଧୀନରେ ୫୦ ପଞ୍ଚାୟତ। ଲୋକସଂଖ୍ୟା ପାଖାପାଖି ୩ ଲକ୍ଷ। ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ୍। ଏହା ଅଧୀନରେ ଅଛି ୩୦ ପଞ୍ଚାୟତ। ଗୋଟିଏ ଗୋଟିଏ ପଞ୍ଚାୟତଠାରୁ ବ୍ଲକ୍ ମୁଖ୍ୟାଳୟର ଦୂରତା ୭୦ କିଲୋମିଟରରୁ ଅଧିକ।

Advertisment

ଏମିତି ବ୍ୟବସ୍ଥାରେ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିବ କେମିତି ? ସରକାରୀ ଯୋଜନାର ସୁଫଳ ଲୋକ ପାଇବେ କିପରି ? ପଞ୍ଚୟତିରାଜ ବ୍ୟବସ୍ଥାରେ ବ୍ଲକ୍‌ର ଭୂମିକା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିଲା ବେଳେ ସରକାର ତାହା ବୁଝୁ ନାହାନ୍ତି କାହିଁକି ? ଅଧିକ ପଞ୍ଚାୟତ ସୃଷ୍ଟି କରାଯାଉଥିଲା ବେଳେ ବ୍ଲକ୍ ସୃଷ୍ଟି କରିବାରେ ପ୍ରତିବନ୍ଧକ କ’ଣ ? ବାଟ ଓଗାଳୁଛି କିଏ ? ଆଜି ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଏମିତି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ ବିଧାୟକମାନେ। ଦଳ, ମତ ନିର୍ବିଶେଷରେ ସମସ୍ତଙ୍କ ମତ ସମାନ ଥିଲା। ନିଜ ନିଜ ନିର୍ବାଚନମଣ୍ଡଳୀରେ ତୃଣମୂଳ ସ୍ତରରେ ଲୋକମାନେ କେତେ ସମସ୍ୟା ସାମ୍ନା କରୁଛନ୍ତି, ତାହାକୁ ସେମାନେ ଗୃହରେ ଉପସ୍ଥାପନ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ମନ୍ତ୍ରୀ ତୁରନ୍ତ ଏ ଦିଗରେ ଠୋସ୍ ପଦକ୍ଷେପ ନେବାକୁ ଦାବି ଉଠିଥିଲା।

ଶାସକ ଦଳର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ମୂଳ ପ୍ରଶ୍ନ ଥିଲା, ଓଡ଼ିଶାରେ ବ୍ଲକ୍ ପୁନର୍ଗଠନ ନ ହେବାର କାରଣ କ’ଣ ? ପୁନର୍ଗଠନ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ କ’ଣ ? ଏଥିପାଇଁ ସରକାରଙ୍କ କୌଣସି ନୀତି ନିୟମ ନିର୍ଦ୍ଧାରିତ ହୋଇଛି କି ? ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର ଥିଲା, ରାଜ୍ୟ‌େର ବ୍ଲକ୍ ପୁନର୍ଗଠନ କାର୍ଯ୍ୟ ୧୯୫୮ ମସିହାରୁ ଆରମ୍ଭ ହୋଇ ମୋଟ୍ ୩୧୪ଟି ବ୍ଲକ୍ ଗଠିତ ହୋଇଛି। ବର୍ତ୍ତମାନ ପାଇଁ ରାଜ୍ୟରେ ବ୍ଲକ୍ ପୁନର୍ଗଠନ କରିବାକୁ ସରକାରଙ୍କ କୌଣସି ଯୋଜନା ନାହିଁ। ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ସାମଲ କହିଥିଲେ, ଗୋଟିଏ ଗୋଟିଏ ବ୍ଲକ୍ ଲୋକସଂଖ୍ୟା ୩ ଲକ୍ଷ ଟପି‌େଲଣି। ଏମିତି ହେଲେ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରିବନି। ଯଦି ଜିଲ୍ଲା ଓ ପଞ୍ଚାୟତ ପୁନର୍ଗଠନ ହୋଇପାରୁଛି, ତେବେ ନୂଆ ବ୍ଲକ୍ ଗଠନରେ ଅସୁବିଧା କେଉଁଠି ? ତେଣୁ ଯୋଜନା ନାହିଁ କହିଲେ ଚଳିବନି। ଏଥି ପାଇଁ ମନ୍ତ୍ରୀ ଆବଶ୍ୟକ ବନ୍ଦୋବସ୍ତ କରନ୍ତୁ।

ମନ୍ତ୍ରୀ କହିଥିଲେ, ୧୯୯୩ ମସିହାରେ ବ୍ଲକ୍ ପୁନର୍ଗଠନ ପାଇଁ ଜଷ୍ଟିସ୍ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିଲା। କିନ୍ତୁ ସେହି କମିଟି ରିପୋର୍ଟ ଦେଇପାରି ନ ଥିଲା। ସେତେବେଳେ ୩୨୭ଟି ନୂଆ ବ୍ଲକ୍ ପାଇଁ ପ୍ରସ୍ତାବ ଆସିଥିଲା। ପରବର୍ତ୍ତୀ ସମୟରେ ଏହି ପ୍ରକ୍ରିୟା ଆଉ କରାଯାଇ ନାହିଁ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କୋରାପୁଟର ଦଶମନ୍ତପୁର ଓ ବରିଗୁମା ବ୍ଲକ୍‌‌ର ଭୌଗଳିକ ସ୍ଥିତିର ଉଦାହରଣ ଦେଇ କହିଥିଲେ, ବ୍ଲକ୍‌ଗୁଡ଼ିକରେ କର୍ମଚାରୀ ଅଭାବ। ଲୋକଙ୍କଠାରୁ ବ୍ଲକ୍‌ ମୁଖ୍ୟାଳୟର ଦୂରତା ବହୁତ। ‌େତଣୁ ସରକାର ଏ ଦିଗରେ ଚିନ୍ତା କରନ୍ତୁ। ମନ୍ତ୍ରୀ, ସଚିବ ଚାହିଁଲେ କିଛି ହେବନି। ମନ୍ତ୍ରୀ ତୃତୀୟ ମହଲାକୁ ଯାଇ ଆଲୋଚନା କରି ନୂଆ ବ୍ଲକ୍ ପାଇଁ ତୁରନ୍ତ ନିଷ୍ପତ୍ତି ନିଅନ୍ତୁ।

ଶା‌ସକ ଦଳ ସଭ୍ୟ ଅନନ୍ତ ଦାସ ଭୋଗରାଇ ବ୍ଲକ୍‌ର ଆକାର ବଡ଼ ହୋଇଥିବାରୁ ଲୋକମାନେ କିପରି ସମସ୍ୟା ଭୋଗୁଛନ୍ତି, ସେ ସମ୍ପର୍କରେ କହିଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିବା ସହ ସରକାର ତୁରନ୍ତ କମିସନ ବସାଇ ବାଟ ବାହାର କରିବାକୁ ଦାବି କରିଥିଲେ। ଭୂପିନ୍ଦର ସିଂହ, ସୀମାରାଣୀ ନାୟକ ଓ ସନାତନ ବିଜୁଳି ପ୍ରମୁଖ ଏ ପ୍ରସଙ୍ଗରେ ଅତିରିକ୍ତ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଶ୍ରୀ ଜେନା ସଭ୍ୟମାନଙ୍କୁ ଉଦ୍‌ବେଗ ସହ ଏକମତ ହୋଇଥିଲେ। ସ୍ବୀକାର କରିଥିଲେ ଯେ ବ୍ଲକ୍ ପୁନର୍ଗଠନ ହୋଇ ନ ଥିବାରୁ ଲୋ‌େକ ଅସୁବିଧା ଭୋଗୁଛନ୍ତି। ପୁନର୍ଗଠନ ଦାବି ଯଥାର୍ଥ। ଏ ଦିଗରେ ନିଶ୍ଚିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ଏବଂ ପ୍ରକ୍ରିୟା ଆରମ୍ଭ ହେଲେ ବିଧାୟକମାନଙ୍କ ପ୍ରସ୍ତାବକୁ ତର୍ଜମା କରାଯିବ।