ବାଲେଶ୍ବର: କେଉଁ ପଞ୍ଚାୟତ ବ୍ଲକ୍‌ ସଦର ମହକୁମାଠାରୁ ୫୦ କିମି ଦୂରରେ ରହିଛି ତ ଆଉ କେଉଁ ପଞ୍ଚାୟତବାସୀଙ୍କୁ ଏକାଧିକ ବ୍ଲକ୍‌ ଅତିକ୍ରମ କରି ନିଜ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚିବାକୁ ହେଉଛି। ବ୍ଲକ୍‌ କାର୍ଯ୍ୟାଳୟରେ କାମ ପଡ଼ିଲେ କାହାର ସମ୍ପୂର୍ଣ୍ଣ ଗୋଟିଏ ଦିନ ତ ଆଉ କାହାର ଦୁଇଦିନ ନଷ୍ଟ ହେଉଛି। ଦଶନ୍ଧି ଦଶନ୍ଧି ଧରି ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକ ଏଭଳି ସମସ୍ୟା ଭୋଗୁଛନ୍ତି। ୨୦୨୭ରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ବ୍ଲକ୍‌ ପୁନର୍ଗଠନ ନିର୍ବାଚନୀ ପ୍ରସଙ୍ଗ ପାଲଟିବ ବୋଲି କୁହାଯାଉଛି।

Advertisment

ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନରେ ବାଲେଶ୍ବର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ବିଧାୟକମାନେ ବ୍ଲକ୍‌ ପୁନର୍ଗଠନ ସମ୍ପର୍କରେ ଦାବି ଉପସ୍ଥାପନ କରିଛନ୍ତି। ବାଲେଶ୍ବରରେ ଭୋଗରାଇ ବ୍ଲକ୍‌ ଠାରୁ ଆରମ୍ଭ କରି ବାଲିଆପାଳ, ଜଳେଶ୍ବର, ଖଇରା, ଔପଦା, ବାହାନଗା, ସଦର ବ୍ଲକରେ  ପୁନର୍ଗଠନ ଦାବି ଉଠିଛି। ଖଇରା ବ୍ଲକରେ ଆଜି ଖଇରାର ୮ ପଞ୍ଚାୟତ, ସୋରର ୩ ପଞ୍ଚାୟତକୁ ନେଇ ତୁଡ଼ିଗଡ଼ିଆ ବ୍ଲକ୍‌ ଗଠନ ପାଇଁ ନେତୃବନ୍ଦ ବୈଠକ କରିଛନ୍ତି। ଜଳେଶ୍ବର ବ୍ଲକର ୧୪ ପଞ୍ଚାୟତକୁ ନେଇ ରାଇବଣିଆ ବ୍ଲକ୍‌ ଗଠନ ଦାବିରେ ବହୁବାର ଆନ୍ଦୋଳନ ହୋଇଥିବା ବେଳେ ସଦ୍ୟସମାପ୍ତ ବିଧାନସଭା ଅଧିବେଶନରେ ସ୍ଥାନୀୟ ବିଧାୟକ ଅଶ୍ବିନୀ କୁମାର ପାତ୍ର ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ୫୦ଟି ପଞ୍ଚାୟତକୁ ନେଇ ଗଠିତ ରାଜ୍ୟର ଅନ୍ୟତମ ବୃହତ୍‌ ବ୍ଲକ ଭୋଗରାଇକୁ ଦୁଇଭାଗ କରିବାକୁ ଦାବି ହେଉଛି। ଉତ୍ତର ଭୋଗରାଇର ୧୮ ପଞ୍ଚାୟତକୁ ନେଇ କମର୍ଦ୍ଦା ବ୍ଲକ୍‌ ଗଠନ ଦାବି କରାଯାଉଛି।

ଏହି ୧୮ ପଞ୍ଚାୟତ ଭୋଗରାଇ ବ୍ଲକ୍‌ ସଦର ମହକୁମାଠାରୁ ପ୍ରାୟ ୩୦ କିମି ଦୂର। ‌ବାଲିଆପାଳ‌ ବ୍ଲକରେ ମଧ୍ୟ ଭୌଗୋଳିକ ଦୃଷ୍ଟିକୋଣରୁ ପୁନର୍ଗଠନ ଦାବି ‌‌‌‌ତେଜୁଛି। ଏହି ବ୍ଲକ୍‌ ଅନ୍ତର୍ଗତ ୮ପଞ୍ଚାୟତ, ବସ୍ତା ବ୍ଲକର ୪ ପଞ୍ଚାୟତକୁ ନେଇ ଲଙ୍ଗଳେଶ୍ବର ବ୍ଲକ ଗଠନ ଦାବି ହେଉଛି। ବାହାନଗା ବ୍ଲକର ୧୫ ପଞ୍ଚାୟତକୁ ନେଇ ଗୋପାଳପୁର ବ୍ଲକ୍‌ ଗଠନ ଦାବି ହେଉଥିବା ବେଳେ ସଦର ଓ ରେମୁଣା ବ୍ଲକର ଉପାନ୍ତ ଅଞ୍ଚଳକୁ ନେଇ ରସାଳପୁର ବ୍ଲକ୍‌ ଗଠନ ଦାବି ହେଉଛି। ସେହିପରି, ଔପଦା ବ୍ଲକର ୫ ପଞ୍ଚାୟତକୁ ନେଇ ପଞ୍ଚଲିଙ୍ଗେଶ୍ବର ବ୍ଲକ୍‌ ଗଠନ ଦାବି ହେଉଛି। ଏହି ୫ ପଞ୍ଚାୟତ ବ୍ଲକ୍‌ ସଦର ମହକୁମାଠାରୁ ପ୍ରାୟ ୫୦ କିମି ଦୂର।

ଏ ସମ୍ପର୍କରେ ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠୀ କହିଛନ୍ତି, ନୀଳଗିରି, ବାହାନଗା, ଖଇରା ଭଳି ୩ ବ୍ଲକ୍‌ ଅତିକ୍ରମ କରି ଆମକୁ ଔପଦା ବ୍ଲକ୍‌ ସଦର ମହକୁମାରେ ପହଞ୍ଚିବାକୁ ହେଉଛି। ପୂର୍ବ ସରକାର ସମୟରେ ଆମେ ପଞ୍ଚଲିଙ୍ଗେଶ୍ବର ବ୍ଲକ୍‌ ଗଠନ ପାଇଁ ଦାବି କରିଥିଲୁ। ନୂତନ ସରକାରକୁ ମଧ୍ୟ ସମାନ ଦାବି ଦୋହରାଇଛୁ।  ନୀଳଗିରିର ଦୁର୍ଗ ପଞ୍ଚାୟତଗୁଡ଼ିକୁ ନେଇ ବ୍ଲକ୍‌ ଗଠନ ଦାବି କିଛିବର୍ଷ ପୂର୍ବେ ହୋଇଥିଲା। ନୂଆ ସରକାର ରାଜ୍ୟରେ ଅନେକ ଗୁଡ଼ିଏ ନୂଆ ଏନ୍‌ଏସି, ମ୍ୟୁନିସିପାଲିଟି ଘୋଷଣା କରିଥିବାରୁ ବ୍ଲକ୍‌ ପୁନର୍ଗଠନ ଆଶା ପୂରଣ ହେବା ନେଇ ସଭିଏଁ ଆଶାବାନ୍ଧି ବସିଛନ୍ତି।