ବ୍ଲକ୍‌ସ୍ତରରେ ନିଯୁକ୍ତ ହେବେ ବ୍ଲକ୍ ରିସୋର୍ସ ପର୍ସନ୍

ଭୁବନେଶ୍ବର : ଓଡ଼ିଶା ଜଳ ଓ ପରିମଳ ମିସନ ଅଧୀନରେ ବ୍ଲକ୍‌ସ୍ତରରେ କାର୍ଯ୍ୟ କରୁଥିବା ବିସି/ସିସିଙ୍କ ବଦଳରେ ଏଣିକି ବ୍ଲକ୍ ରିସୋର୍ସ ପର୍ସନ ବା ବିଆରପି କାର୍ଯ୍ୟ କରିବେ। ଗୋଟିଏ ଏଜେନ୍ସି ଜରିଆରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ଖୋଲା ନିଯୁକ୍ତି ପ୍ରକ୍ରିୟାରେ ଏଜେନ୍ସିର ଚୟନ କରାଯିବ ବୋଲି ଜଣାପଡ଼ିଛି। ଏ ନେଇ ମିସନ୍ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି।

ମିସନ୍ ପକ୍ଷରୁ କୁହାଯାଇଛି ଯେ ବ୍ଲକ୍‌ସ୍ତରରେ ବାହ୍ୟ ମଳତ୍ୟାଗମୁକ୍ତ, ଏସ୍‌ଏଲଡବ୍ଲୁଏମ୍‌ ଭଳି କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରିବା ପାଇଁ ବ୍ଲକ୍‌ସ୍ତରରେ ଆଉଟସୋର୍ସିଂ ଜରିଆରେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଯେଉଁ ସଂସ୍ଥା ଜରିଆରେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି, ସେହି ସଂସ୍ଥାର ମାର୍ଚ ୩୧ ତାରିଖରେ କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ ସଂପୃକ୍ତ ସଂସ୍ଥାର ନବୀକରଣ ହେବ ନାହିଁ। ନିକଟରେ ମିସନ୍‌ର ହୋଇଥିବା ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେଣୁ ବ୍ଲକ୍‌ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ବିସି/ସିସିମାନେ ସମସ୍ତ ଫାଇଲ, ରେକର୍ଡପତ୍ର ଓ ରେଜିଷ୍ଟ୍ରାର ପ୍ରମୁଖ ମାର୍ଚ ମାସ ଶେ‌ଷ ସୁଦ୍ଧା ସଂପୃକ୍ତ ଜିଲ୍ଲାର କନିଷ୍ଠ ଯନ୍ତ୍ରୀଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦେଶ ଦିଆଯାଇଛି। ଯଦି କୌଣସି ବ୍ଲକ୍‌ରେ କନିଷ୍ଠ ଯନ୍ତ୍ରୀ ଉପଲବ୍ଧ ନ ଥାନ୍ତି, ତାଙ୍କ ବଦଳରେ ଆରଡବ୍ଲୁଏସ୍‌ଏସ୍‌ଙ୍କୁ ଫାଇଲଗୁଡ଼ିକୁ ହସ୍ତାନ୍ତର କରିବେ।

ସମ୍ବନ୍ଧିତ ଖବର