ଯାଜପୁରସଦର: ରାଜ୍ୟ ବିଜେଡି ସଂଗଠନକୁ ଚଳାଉଥିବା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଏବେ ନିଜ ବ୍ଲକ୍‌ ଚିନ୍ତା ଘାରିଛି। ନିର୍ବାଚନମଣ୍ଡଳୀରେ ବିଜେଡିର ସ୍ଥିତି ଗଡ଼ବଡ଼କୁ ନେଇ ସେ ଚିନ୍ତିତ ଥିବା ବେଳେ ଆଜି ଯାଜପୁର ସଦର ବ୍ଲକ୍‌ର ସମିତିସଭ୍ୟମାନଙ୍କୁ ଡାକି ଆଲୋଚନା କରିଛନ୍ତି। ଧର୍ମଶାଳା ପରେ ଗତକାଲି ବରୀ ବ୍ଲକ୍‌ ଅଧ୍ୟକ୍ଷଙ୍କ ସମେତ ୧୧ ଜଣ ସମିତିସଭ୍ୟ ଓ ୭ ଜଣ ସରପଞ୍ଚ ବିଜେପିରେ ସାମିଲ ହୋଇଥିଲେ। ଏହା ପରେ ବବିଙ୍କ ବ୍ୟସ୍ତତା ଓ ବ୍ୟଗ୍ରତା ସାମ୍‌ନାକୁ ଆସିଛି। ଯାଜପୁର ବ୍ଲକ୍‌ରେ ଏଭଳି ସ୍ଥିତି ଉପୁଜିବା ଆଶଙ୍କା କରି ସେ ତୁରନ୍ତ ବୈଠକ ଡାକି ସମିତିସଭ୍ୟମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଯାହା ଏବେ ରାଜ‌ନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଯାଜପୁର, କେନ୍ଦୁଝର ଭଳି ବିଭିନ୍ନ ଜିଲ୍ଲାରେ ବିଜେଡି ବ୍ଲକ୍‌ ସଂଗଠନ ବର୍ତ୍ତମାନ ଦୁର୍ବଳ ହେବାରେ ଲାଗିଛି। ପଞ୍ଚାୟତ ସମିତିସଭ୍ୟମାନେ ଦଳ ଛାଡ଼ି ବିଜେପିରେ ମିଶୁଛନ୍ତି। ଯାଜପୁର ଜିଲ୍ଲାର ଧର୍ମଶାଳାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ସାରା ରାଜ୍ୟକୁ ବ୍ୟାପିଛି। ସବୁଆଡ଼େ ଏବେ ବିଜେଡିକୁ ଅନାସ୍ଥା ଭୟ ଗ୍ରାସିଛି। ଧର୍ମଶାଳା, ବରୀ ବ୍ଲକ୍‌ରେ ସମିତିସଭ୍ୟମାନେ ବିଜେଡି ହାତ ଛାଡ଼ିବା ପରେ ବିଜେଡିର ସ୍ଥାନୀୟ ନେତା ଅହେତୁକ ତତ୍ପରତା ପ୍ରକାଶ କରିଛନ୍ତି। ନିଜ ସମର୍ଥିତ ସମିତିସଭ୍ୟମାନଙ୍କୁ ଡାକି ବୁଝାସୁଝା କରିବା ଆରମ୍ଭ କରିଛନ୍ତି। ଧର୍ମଶାଳା ଓ ରସୁଲପୁରର ୧୩ ଜଣ ସମିତିସଭ୍ୟ ଓ ୮ ଜଣ ସରପଞ୍ଚ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ଗତକାଲି ବରୀରେ ସମାନ ସ୍ଥିତି ଉପୁଜିଥିଲା। ବରୀ ବିଧାୟକ ବିଶ୍ବରଂଜନ ମଲ୍ଲିକ ରାଜ୍ୟରେ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏବେ ତାଙ୍କ ସ୍ଥିତି ଟଳମଳ ହେବା ପରେ ଯାଜପୁର ବିଜେଡି ସତର୍କ ହୋଇଯାଇଛି। ଦୁଇ ବ୍ଲକ୍‌ରେ ପଞ୍ଚାୟତ ସମିତି ପାଇଁ ଅନାସ୍ଥା ଭୟ ଉପୁଜିଛି। ବିଜେଡିର ସୁରକ୍ଷିତ ଗଡ଼ ଯାଜପୁର ବିଧାନସଭା କ୍ଷେତ୍ରରେ ବିଜେପିର ପରାଜୟ ହୋଇଥିବା ‌ବେଳେ ବିଜେଡି ଭଲ ସ୍ଥିତିରେ ରହିଛି। ଏତେ ସବୁ ପରେ ମଧ୍ୟ ବବି ସତର୍କତା ଦେଖାଇଛନ୍ତି। ସେ ଯାଜପୁର ବ୍ଲକ୍‌ର ସମିତି ସଭ୍ୟସଭ୍ୟାମାନଙ୍କୁ ଡାକି ତୃଣମୂଳସ୍ତରରେ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ବାର୍ତ୍ତା ଦେଇଛନ୍ତି।