ଚିତ୍ର ବଦଳାଇଲା ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ

କଂଗ୍ରେସ ହାତରେ ଗୋଟିଏ, ବିଜେପି ନେଲା ୩

ସମ୍ବଲପୁର: ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରେ ବିଜେଡି ବଡ଼ ସଫଳତା ମିଳିଥିଲା। ସମ୍ବଲପୁର ଜିଲ୍ଲାର ୯ ପଞ୍ଚାୟତ ସମିତି ମଧ୍ୟରୁ ୭ଟି ବିଜେଡି ଓ ୨ଟି ବିଜେପି ଅକ୍ତିଆର କରିଥିଲା। ଗୋଟିଏ ବି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ କଂଗ୍ରେସ ହାତକୁ ଯାଇନଥିଲା। ହେଲେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ବେଳେ ଚିତ୍ର ବଦଳିଛି। ଏଥିରେ କଂଗ୍ରେସ ଖାତା ଖୋଲିଛି। ରେଂଗାଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଭାବେ ଜିଲ୍ଲା ଯୁବ କଂଗ୍ରେସର ସାଧାରଣ ସଂପାଦକ ଅନିଲ ବେହେରାଙ୍କ ପତ୍ନୀ ସ୍ବାତି ବେହେରା ବିଜୟୀ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ବାମରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଭାବେ ସଂଜୟ କୁମାର ଦାସ ନିର୍ବାଚିତ ହୋଇଛନ୍ତି। ବ୍ଲକର ୧୭ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୯ ଜଣ ତାଙ୍କ ସପକ୍ଷରେ ଭୋଟ ଦେଇଥିଲେ। ତାଙ୍କ ପ୍ରତିଦ୍ବନ୍ଦ୍ବୀ  ଗୋବିନ୍ଦପୁର ସମିତିସଭ୍ୟ ଅଜୟ କୁମାର ସେଠଙ୍କୁ ୮ ଖଣ୍ଡ ଭୋଟ ମିଳିଥିଲା। ସଂଜୟଙ୍କ ବିଜୟ ସହିତ ବିଜେପି ଖାତାକୁ ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଆସନ ଯାଇଛି। ବାମରା ଭଳି ମାନେଶ୍ବର ପଞ୍ଚାୟତ ସମିତିର ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ବିଜେପି ଅକ୍ତିଆର କରିନେଇଛି।

ସର୍ବମୋଟ ୧୨ ସମିତି ସଭ୍ୟଙ୍କ ମଧ୍ୟରୁ ୭ ଜଣ ଏଠାକାର ବିଜେପି ସମର୍ଥିତ ଉପାଧ୍ୟକ୍ଷ ପ୍ରାର୍ଥୀ ନରେନ୍ଦ୍ର କୁମାର ମିଶ୍ରଙ୍କୁ ଭୋଟ ଦେଇଥିଲେ। ବିଜେଡି ସମର୍ଥିତ ପ୍ରାର୍ଥୀ ଉଗ୍ରସେନ ସାହୁଙ୍କୁ ମାତ୍ର ୫ଟି ଭୋଟ ମିଳିଥିଲା। ତେବେ, ଜମନକିରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଭାବେ ରୋହିତ ଭୋଇ ନିର୍ବାଚିତ ହୋଇଛନ୍ତି। କୁଚିଣ୍ଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଭାବେ ବିଜେପିର ସମର୍ଥିତ ପ୍ରାର୍ଥିନୀ ରଶ୍ମିତା ନାୟକ ବିଜୟୀ ହୋଇଛନ୍ତି। ରଶ୍ମିତା ନିଦ୍ବର୍ନ୍ଦ୍ବରେ ଉପାଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି। କୁଚିଣ୍ଡା ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ କିନ୍ତୁ ବିଜେଡି ଖାତାକୁ ଯାଇଥିଲା। ବିଜେଡି ରାଜ୍ୟ ସଂପାଦକ ଭୁବନେଶ୍ବର କିଷାନ ନିଦ୍ବର୍ନ୍ଦ୍ବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଏଭଳି ସ୍ଥିତିରେ କୁଚିଣ୍ଡା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ଯଥାକ୍ରମେ ବିଜେଡି ଓ ବିଜେପି ନିଜ ନିଜ ମଧ୍ୟରେ ବାଣ୍ଟି ନେଇଥିବା ଚର୍ଚ୍ଚା ହେଉଛି।

ସେହିପରି ରେଂଗାଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଭାବେ କଂଗ୍ରେସ ସମର୍ଥିତ ପ୍ରାର୍ଥିନୀ ସ୍ବାତୀ ବେହେରା ନିର୍ବାଚିତ ହୋଇଛନ୍ତି। ସ୍ବାତୀଙ୍କ ସପକ୍ଷରେ ୧୦ଟି ଭୋଟ ପଡ଼ିଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥିନୀ ସଂଜିବନୀ ବେହେରାଙ୍କୁ ୬ଟି ଭୋଟ ମିଳିଥିଲା। ରେଂଗାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରେ ବିଜେଡି ସମର୍ଥିତ ପ୍ରାର୍ଥୀ ସତ୍ୟ ନାରାୟଣ ଅଗ୍ରୱାଲ ବିଜୟୀ ହୋଇଥିଲେ। ଅଧ୍ୟକ୍ଷ ପଦ ପାଇଁ ବିଜେଡି ଜିଲ୍ଲା ଉପସଭାପତି କିରଣ ବେହେରାଙ୍କ ସହିତ ତାଙ୍କର ଟକ୍କର ହୋଇଥିଲା। ଅବଶ୍ୟ ସ୍ବାତୀଙ୍କ ପ୍ରତି ସତ୍ୟ ନାରାୟଣଙ୍କ ସମର୍ଥନ ରହିଥିବା କହାଯାଉଛି। ବିଜେଡି ସମର୍ଥିତ ସଭ୍ୟ ରୋହିତଙ୍କ ସପକ୍ଷରେ ୧୪ଟି ଭୋଟ ପଡ଼ିଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ରାଜେଶ ପଟେଲଙ୍କୁ ୭ଟି ଭୋଟ ମିଳିଥିଲା।

ଏଥି ସହିତ ବିଜେଡି ଜମନକିରା ପଞ୍ଚାୟତ ସମିତିର ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଆସନ ଅକ୍ତିଆର କରିନେଇଛି। ନାକ୍‌ଟିଦେଉଳ ଓ ରେଢ଼ାଖୋଲ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦରେ ଯଥାକ୍ରମେ ଜିତେନ୍ଦ୍ରୀୟ ପ୍ରଧାନ ଓ ଚିନ୍ମୟୀ ତ୍ରିପାଠୀ ନିଦ୍ବର୍ନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏହି ଦୁଇ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ମଧ୍ୟ ବିଜେଡି ଖାତାକୁ ଯାଇଥିଲା। ସେହିପରି ଧନକଉଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ଭଳି ଉପାଧ୍ୟକ୍ଷା ପଦ ବି ବିଜେଡି ଅକ୍ତିଆର କରିନେଇଛି। ଏଠାରୁ ବିଜେଡି ସମର୍ଥିତ ପ୍ରାର୍ଥୀ ରଂଜୁଲତା ଭୋଇ ନିଦ୍ବର୍ନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଯୁଯୁମୁରା ବ୍ଲକର ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ମନ୍ଦାକିନୀ ବିଶ୍ୱାଳ। ମନ୍ଦାକିନୀଙ୍କୁ ବିଜେଡି, କଂଗ୍ରେସ ଆଦି ଦଳର ସମର୍ଥିତ ପ୍ରାର୍ଥୀଙ୍କ ସମର୍ଥନ ମିଳିଥିଲା। ତାଙ୍କ ସପକ୍ଷରେ ୧୦ ସମିତି ସଭ୍ୟ ଭୋଟ ଦେଇଥିଲେ। ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଜେପି ସମର୍ଥିତ ଉପାଧ୍ୟକ୍ଷ ପ୍ରାର୍ଥୀ ଜୟନ୍ତ ପ୍ରଧାନଙ୍କୁ ୮ଟି ଭୋଟ ମିଳିଥିଲା।

ସମିତି ସଭ୍ୟ ନିର୍ବାଚନ ଦଳୀୟ ଚିହ୍ନ ଆଧାରରେ ହୋଇନଥାଏ। ସମିତି ସଭ୍ୟମାନଙ୍କ ମଧ୍ୟରେ ଜଣେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଆଉ ଜଣେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥାନ୍ତି। ଏହି ଦୁଇ ପଦ ଅକ୍ତିଆର ସହିତ ପଞ୍ଚାୟତ ସମିତିରେ କ୍ଷମତାରେ ରହିବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିଜର କାର୍ଯ୍ୟକର୍ତ୍ତା କିମ୍ବା ସମର୍ଥକମାନଙ୍କୁ ପ୍ରାର୍ଥୀ କରାଇଥାନ୍ତି। ଏଥର କ୍ଷମତା ହାସଲ ପାଇଁ ବିଭିନ୍ନ ଦଳ ମଧ୍ୟରେ ବିଭିନ୍ନ ବ୍ଲକ ସ୍ତରରେ ଅଘୋଷିତ ବୁଝାମଣା ହୋଇଥିବା ଆଜିର ନିର୍ବାଚନରୁ ସ୍ପଷ୍ଟ ହୋଇଯାଇଛି। କେବଳ ସେତିକି ନୁହେଁ, ବିଭିନ୍ନ ବ୍ଲକରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ମଧ୍ୟ ପଦାକୁ ଆସିଛି।

ସମ୍ବନ୍ଧିତ ଖବର