‘ଫନି’ ସହାୟତା ରାଶି ବଣ୍ଟନ ତାଲିକାରେ ମାହାଙ୍ଗା ବ୍ଲକ୍‌ ଉପାଧ୍ୟକ୍ଷାଙ୍କ ନାଁ

କଟକ : ମାହାଙ୍ଗା ବ୍ଲକରେ ଆବାସ ଦୁର୍ନୀତିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କଟକ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଭିକାରି ଚରଣ ସ୍ବାଇଁଙ୍କ ସଂପୃକ୍ତିକୁ ନେଇ ହଟଚମଟ ଚାଲିଥିବା ବେଳେ ଏବେ ‘ଫନି’ ସହାୟତା ରାଶି ବଣ୍ଟନ ଦୁର୍ନୀତିରେ ଫସିଛନ୍ତି ମାହାଙ୍ଗା ବ୍ଲକର ଉପାଧ୍ୟକ୍ଷା। ଉପାଧ୍ୟକ୍ଷା ରସିଦା ବେଗମଙ୍କ ସ୍ବାମୀ ରିଆଜୁଲ୍ ହୋଦା, ଶାଶୂ ଜାହିରା ଖାତୁନ ଓ ଦିଅରଙ୍କ ନାମ ଫନି କ୍ଷତିଗ୍ରସ୍ତଙ୍କ ତାଲିକାରେ ରହିଥିବା ଜଣାପଡ଼ିଛି। ୩ ଜଣ ଆଂଶିକ କ୍ଷତିଗ୍ରସ୍ତ ଭାବେ ୩୨ଶହ ଟଙ୍କା ଲେଖାଏ ସହାୟତା ପାଇବାକୁ ମନୋନୀତ ହୋଇଛନ୍ତି। ସେମାନେ ଗୋଟିଏ କୋଠାଘରେ ରହୁ ଥିବାବେଳେ ଫନି କ୍ଷତିଗ୍ରସ୍ତ ତାଲିକାରେ କିଭଳି ସ୍ଥାନ ପାଇଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ମାହାଙ୍ଗା ବ୍ଲକ୍‌ରେ ଆବାସ ଯୋଜନା କେଳେଙ୍କାରୀ ସାଙ୍ଗକୁ ଏବେ ଫନି ସହାୟତା ରାଶି କେଳେଙ୍କାରୀରେ ଶାସକ ଦଳର ନେତାଙ୍କ ନାମ ଯୋଡ଼ି ହେବା ଘଟଣା ସାଧାରଣରେ ପ୍ରତିକ୍ରିୟାର କାରଣ ହୋଇଛି। କିନ୍ତୁ ମାଳମାଳ ଦୁର୍ନୀତିର ତାଲିକା ବଢି ଚାଲିଥିବା ବେଳେ ପ୍ରଶାସନ ପଦକ୍ଷେପ ନ ନେବା ଘଟଣା ପରୋକ୍ଷରେ ଅଧିକ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ମାହାଙ୍ଗା ବ୍ଲକ ମଧୁପୁର ଗ୍ରାମର ତଇମୁଲ ହୋଦାଙ୍କ ପୁଅ ତଥା ବ୍ଲକ ଉପାଧ୍ୟକ୍ଷା ରସିଦା ବେଗମଙ୍କ ସ୍ବାମୀ ରିଆଜୁଲ ହୋଦା ୨୦୧୨/୧୩ରେ ଆବାସ ଯୋଜନାରେ ପକ୍କାଘର ପାଇଥିଲେ। ପୁଣି ୨୦୧୪/୧୫ରେ ରିଆଜୁଲଙ୍କ ମା’ ଜାହିରା ଖାତୁନ୍‌ ପକ୍କାଘର ଯୋଜନାରେ ଘର ପାଇଥିଲେ। ସେମାନଙ୍କର ଏବେ କୋଠା ଘର ଥିବା ବେଳେ ପରିବାରର ସମସ୍ତେ ଏକାଠି ରହୁଛନ୍ତି। ହେଲେ ‘ଫନି’ କ୍ଷତିଗ୍ରସ୍ତଙ୍କ ତାଲିକାରେ ୩ ଜଣଙ୍କୁ ଘରଭଙ୍ଗା ସହାୟତା ରାଶି ଦେବାପାଇଁ ମନୋନୀତ କରାଯାଇ ତାଲିକାରେ ସ୍ଥାନ ଦିଆଯାଇଛି। ମାହାଙ୍ଗା‌ ବ୍ଳକ୍‌ରେ ପ୍ରଥମେ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଏବଂ ଏବେ ଉପାଧ୍ୟକ୍ଷାଙ୍କ ନାମ କେଳେଙ୍କାରୀରେ ଫସି ଥିବା ବେଳେ ଶାସକ ଦଳର ଅନେକ ଆଗଧାଡ଼ିର ନେତାଙ୍କ ନାମ ଫନି କ୍ଷତିଗ୍ରସ୍ତଙ୍କ ତାଲିକାରେ ରହିଥିବା ଅଭିଯୋଗ ହୋଇଛି।

ଏ ସଂପର୍କରେ ବ୍ଲକ୍‌ ଉପାଧ୍ୟକ୍ଷାଙ୍କ ମତାମତ ମିଳି ପାରିନଥିବା ବେଳେ ଉପାଧ୍ୟକ୍ଷାଙ୍କ ସ୍ବାମୀ ରିଆଜୁଲ ହୋଦା କହିଛନ୍ତି ଯେ, ତାଙ୍କର ପ୍ରଥମେ ଚାଳ ଘର ଥିଲା। ତେଣୁ ଆବାସ ଯୋଜନାରେ ସେମାନେ ଘର ପାଇଥିଲେ। ସେତେବେଳେ କିନ୍ତୁ ସେ ବିବାହ କରି ନଥିଲେ। ‘ଫନି’ରେ ତାଙ୍କର ଆଜବେଷ୍ଟସ ଘର ଉପରେ ନଡ଼ିଆ ଗଛ ପଡି ଘର ଭାଙ୍ଗି ଯାଇଥିଲା। ତେଣୁ ତାଙ୍କୁ ସହାୟତା ମିଳିଛି। ହେଲେ ତାଙ୍କ ନାମ, ତାଙ୍କ ମା’ ଓ ଭାଇଙ୍କ ନାମ କିଭଳି କ୍ଷତିଗ୍ରସ୍ତ ତାଲିକାରେ ରହିଲା, ତାହାର ଉତ୍ତର ମିଳୁ ନାହିଁ।

ଯାହାର ଘର ସଂପୂର୍ଣ୍ଣ ଉଜୁଡି ଯାଇଛି, ସେମାନଙ୍କ ନାମ ସହାୟତା ରାଶି ପାଇଁ ତାଲିକାରେ ଚଢି ପାରୁ ନଥିବାବେଳେ ବ୍ଲକ ଉପାଧ୍ୟକ୍ଷାଙ୍କ ପରିବାରର ୩ ଜଣଙ୍କ ନାମ କିଭଳି ତାଲିକାରେ ରହିଛି, ତାହାକୁ ନେଇ ସାଧାରଣରେ ବିସ୍ମୟ ସୃଷ୍ଟି ହୋଇଛି।

ପ୍ରଶାସନ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର