ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ଆଜି

ଭୁବନେଶ୍ବର: ବୁଧବାର ରାଜ୍ୟର ୩୧୪ଟି ବ୍ଲକର ଉପାଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ହେବ। ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ଛକାପଞ୍ଝା ମଧ୍ୟରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇଥିବା ବେଳେ ବହୁ ସ୍ଥାନରେ ଶାସକ ଦଳର ବିଦ୍ରୋହୀ ଗୋଷ୍ଠୀ ଅଧ୍ୟକ୍ଷ ପଦ ହାତେଇଛନ୍ତି। ମୁଖ୍ୟତଃ ଶାସକ ଦଳର ବିଧାୟକଙ୍କ ପ୍ରାର୍ଥୀକୁ ବିରୋଧ କରି ବିଦ୍ରୋହୀ ଗୋଷ୍ଠୀ ବ୍ଲକ ଅଧ୍ୟକ୍ଷ ପଦବି ହାତେଇ ନେଇଥିବାରୁ ଏବେ ବିଧାୟକଙ୍କ ଗୋଷ୍ଠୀ ଉପାଧ୍ୟକ୍ଷ ପଦବି ହାତେଇବାକୁ ଉଦ୍ୟମ ଚଳାଇଛନ୍ତି। ଏନେଇ ନିର୍ବାଚନମଣ୍ଡଳୀ ସ୍ତରରେ ଜୋର୍‌ରେ ଛକାପଞ୍ଝା ଚାଲିଛି। ଏପରିକି ଯିଏ ଯେମିତି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଜିତିଥିଲେ ସେହି ଢଙ୍ଗରେ ଉପାଧ୍ୟକ୍ଷ ନିର୍ବାଚନ ଜିତିବାକୁ ସବୁ ଉଦ୍ୟମ ଲଗାଇ ଦେଇଛନ୍ତି।

ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ନିର୍ବାଚନ ଅଧିକାରୀମାନେ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ନାମାଙ୍କନପତ୍ର ଦେଇ ପୁନର୍ବାର ଗ୍ରହଣ କରିବେ। ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ନାମାଙ୍କନପତ୍ରଗୁଡ଼ିକ ଯାଞ୍ଚ କରାଯିବ। ଅପରାହ୍ନ ୧ଟା ପୂର୍ବରୁ ପ୍ରାର୍ଥୀମାନେ ଚାହିଁଲେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ଅପରାହ୍ନ ୧ଟା ୩୦ରୁ ୪ଟା ମଧ୍ୟରେ ଭୋଟ୍‌ ଗ୍ରହଣ କରାଯିବ ଓ ପରେପରେ ଭୋଟ୍‌ ଗଣତି କରି ଫଳାଫଳ ପ୍ରକାଶ କରାଯିବ। ନିର୍ବାଚନ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ କେହି ମତଦାନ କେନ୍ଦ୍ରରୁ ବାହାରିପାରିବେନି। ସେହିପରି ସମାନ ଢଙ୍ଗରେ ମାର୍ଚ୍ଚ ୨୫ରେ ଜିଲ୍ଲା ପରିଷଦ ଉପସଭାପତି ପଦ ପାଇଁ ନିର୍ବାଚନ ହେବ।

ସମ୍ବନ୍ଧିତ ଖବର