ଅଳତି: ଘସିପୁରା ବ୍ଲକ୍ ରାମଚନ୍ଦ୍ରପୁର ଥାନା ଶାଳଦେଈ ଗ୍ରାମରେ ବାଲିଘାଟ ବନ୍ଦ ଦାବିରେ ଶତାଧିକ ମହିଳା ଏକତ୍ରିତ ରାସ୍ତାରୋକ କରିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଗାଁ ରାସ୍ତାରେ ଦୈନିକ ଶହଶହ ବାଲି ବୋଝେଇ ଟ୍ରକ୍ ଯାତାୟାତ କରୁଥିବାରୁ ରାସ୍ତା ଖାଲଖମା ହେବା ସହ ପ୍ରବଳ ଧୂଳି ଉଡ଼ୁଛି। ଗ୍ରାମରେ ରହିଛି ୪ଟି ସ୍କୁଲ୍ ଓ ୨ଟି ଅଙ୍ଗନବାଡ଼ି କେନ୍ଦ୍ର। ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାରେ ଛାତ୍ରଛାତ୍ରୀ ସ୍କୁଲ୍ ଯିବାକୁ ଅସୁରକ୍ଷିତ ମଣୁଛନ୍ତି। ରାତିରେ ବାଲି ବୋଝେଇ ଗାଡ଼ି ଗୁଡ଼ିକ ଦ୍ରୁତଗତିରେ ଯାତାୟାତ କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଛନ୍ତି।
ଏନେଇ ଲୋକେ ବାରମ୍ବାର ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଶତାଧିକ ମହିଳା ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ରାମଚନ୍ଦ୍ରପୁର ଥାନା ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।