ଭୁବନେଶ୍ବର: ଓଡ଼ିଶାରେ ବିଜେପି କ୍ଷମତାସୀନ ହେଲା। ରାଜ୍ୟରେ ଲୋକସଭାର ୨୧ଟି ଆସନ ମଧ୍ୟରୁ ୨୦ଟିରେ ବିଜେପି ପ୍ରାର୍ଥୀ ନିର୍ବାଚିତ ହେଲେ। କେନ୍ଦ୍ରରେ ମୋଦୀ ସରକାର ଗଠନରେ ଏହି ୨୦ଟି ଆସନ ସହାୟକ ହେଲା। ଏଭଳି ପରିସ୍ଥିତିରେ କେନ୍ଦ୍ର ବଜେଟ୍‌ରେ‌ ଓଡ଼ିଶା ବହୁତ କିଛି ପାଇବ ବୋଲି ଆଶା କରିବା ସ୍ବାଭାବିକ। କିନ୍ତୁ ଓଡ଼ିଶାବାସୀଙ୍କ ଆଶା ପୂରଣ କରିବା ପରିବର୍ତ୍ତେ ଆନ୍ଧ୍ରକୁ ଖୁସି କରିବାକୁ ଯାଇ କେନ୍ଦ୍ର ସରକାର ଓଡ଼ିଶାକୁ ବିପଦ ମୁହଁକୁ ଠେଲି ଦେଇଛନ୍ତି। ଯେଉଁ ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ଓଡ଼ିଶା ବିରୋଧ କରୁଥିଲା, ‌େସହି ପ୍ରକଳ୍ପକୁ କେନ୍ଦ୍ର ବଜେଟ୍‌ରେ ଅଗ୍ରାଧିକାର ଦିଆଯାଇଛି। ଆନ୍ଧ୍ର ଦ୍ବାରା ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ ଲାଗି ଅଧିକ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ରର ଏଭଳି ଆଭିମୁଖ୍ୟକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ଦଳ ଏହାକୁ ଓଡ଼ିଶା ପ୍ରତି ମୋଦୀ ସରକାରଙ୍କର ବିଶ୍ବାସଘାତକତା ବୋଲି ବର୍ଣ୍ଣନା କରିଛନ୍ତି। ବିରୋଧୀ ବିଜେଡି ଓ କଂଗ୍ରେସର ନେତାମାନେ ଏହି ଘୋଷଣାକୁ କଡ଼ା ସମାଲୋଚନା କରି କହିଛନ୍ତି, ପୋଲାଭରମ୍‌ ପ୍ରତି କେନ୍ଦ୍ରର ଦରଦ କାରଣରୁ ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀବହୁଳ ଗାଁ ଜଳମଗ୍ନ ହେବ, ହଜାର ହଜାର ଲୋକ ବିସ୍ଥାପିତ ହେବେ, ଅନେକ ଉର୍ବର ଜମି ବନ୍ୟା ସମୟରେ କ୍ଷତିଗ୍ରସ୍ତ ହେବ ଏବଂ ବ୍ୟାପକ ଜଙ୍ଗଲ ପାଣିରେ ବୁଡ଼ିଯିବ। ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶା ପାଇଁ ସବୁଦିନିଆ କ୍ଷତି ପହଞ୍ଚିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଜଣାଇବା ସହିତ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। ପ୍ରକଳ୍ପ କାମ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ କେନ୍ଦ୍ର ସରକାରଙ୍କୁ ଏକାଧିକ ଚିଠି ମଧ୍ୟ ଲେଖିଥିଲେ। ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବାରୁ ରାଜ୍ୟରେ ଜନଶୁଣାଣି ‌ହୋଇ ନଥିବା ରାଜ୍ୟ ସରକାର ଦର୍ଶାଇଥିଲେ।

Advertisment

ବଜେଟ୍‌ରେ ପୋଲାଭରମ ପ୍ରକଳ୍ପ ପାଇଁ କରାଯାଇଥିବା ସ୍ବତନ୍ତ୍ର ବ୍ୟବସ୍ଥା ଓଡ଼ିଶାର ସ୍ବାର୍ଥପ୍ରତି ଶକ୍ତ ଧକ୍କା ବୋଲି ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ରାଜ୍ୟ ରାଜ୍ୟ ମଧ୍ୟରେ ସଂହତିକୁ ବିଜେପି କ୍ଷତି ପହଞ୍ଚାଇବା ସହିତ ବିଦ୍ବେଷର ମଞ୍ଜି ବୁଣୁଛି ବୋଲି ସେ ଅଭିଯୋଗ କରିଛନ୍ତି। କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି କେନ୍ଦ୍ର ସରକାର ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଖୁସି କରିବା ଲାଗି ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। କିନ୍ତୁ ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେବାକୁ ଥିବା ଓଡ଼ିଶାର ଆପତ୍ତିକୁ ବିଚାରକୁ ନେଇ ନାହାନ୍ତି ବୋଲି ସେ କହିଛନ୍ତି।

ସେହିପରି କଂଗ୍ରେସ ବିଧାୟିକା ସୋଫିଆ ଫିର୍‌ଦୋସ୍‌ କହିଛନ୍ତି ଯେ ପୋଲାଭରମ ପ୍ରକଳ୍ପ ପାଇଁ ଓଡ଼ିଶାର ଅନେକ ଗାଁ ଜଳମଗ୍ନ ହେବ ଏବଂ ହଜାର ହଜାର ଲୋକ ବିସ୍ଥାପିତ ହେବେ। ଓଡ଼ିଶାବାସୀଙ୍କ ପ୍ରତି ବିଜେପି ସରକାର ବିଶ୍ବାସଘାତ କରିଥିବା ସେ ଦର୍ଶାଇଛନ୍ତି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ପୋଲାଭରମକୁ ସହାୟତା ଘୋଷଣା କରିଛନ୍ତି। ଏହି ପ୍ରକଳ୍ପ ଶୀଘ୍ର ଶେଷ କରିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧତା ଜଣାଇଛନ୍ତି। ଏଥିପାଇଁ ଆବଶ୍ୟକ ପାଣ୍ଠି କେନ୍ଦ୍ର ଯୋଗାଇ ଦେବ। ଆନ୍ଧ୍ରପ୍ରଦେଶ ଏବଂ ଏହାର କୃଷକଙ୍କ ପାଇଁ ଉକ୍ତ ପ୍ରକଳ୍ପ ଜୀବନରେଖା ହୋଇଥିବା ବେଳେ ଦେଶର ଖାଦ୍ୟ ସୁରକ୍ଷାକୁ ଏହା ସୁଦୃଢ଼ କରିବ ବୋଲି ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍‌ ଭାଷଣରେ କହିଛନ୍ତି। ‌ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାଡ଼ୁ ନାଇଡୁଙ୍କ ଟିଡିପି କେନ୍ଦ୍ରର ସଂଖ୍ୟାଲଘୁ ବିଜେପି ସରକାରକୁ ସମର୍ଥନ ଦେଉଥିବାରୁ ବଜେଟ୍‌ରେ ଏହି ପ୍ରକଳ୍ପକୁ ମଧ୍ୟ ଆଖିବୁଜା ସମର୍ଥନ କରାଯାଇଛି। ଏହି ପ୍ରକଳ୍ପକୁ ଓଡ଼ିଶା ସରକାର ବହୁ ପୂର୍ବରୁ ବିରୋଧ କରିଆସୁଛନ୍ତି। ଲୋକସଭା ଏବଂ ରାଜ୍ୟସଭାରେ ଓଡ଼ିଶାର ସାଂସଦମାନେ ଏହି ପ୍ରସଙ୍ଗ ଏକାଧିକ ଥର ଉଠାଇଛନ୍ତି।