ଦେବଗଡ଼: ମୌଳିକ ସମସ୍ୟାର ସମାଧାନ ନହେବାରୁ ଭୋଟ୍‌ ବର୍ଜନ ନିଷ୍ପତ୍ତି ସହିତ ବୁଥ୍‌କୁ ଯାଉଥିବା ପୋଲିଂ କର୍ମଚାରୀମାନଙ୍କୁ ମଧ୍ୟ ଛାଡ଼ି ନ ଥିଲେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍‌ର କଂସର ପଂଚାୟତ ଅନ୍ତର୍ଗତ ୮ ଗଁାର ଅଧିବାସୀ। ମାତ୍ର, ପ୍ରଶାସନର ପ୍ରତିଶ୍ରୁତି ପରେ ସେମ‌ାନେ ରାସ୍ତା ଅବରୋଧ ପ୍ରତ୍ୟାହାର କରିଛନ୍ତି।

Advertisment

ଏହି ୮ଟି ଗାଁ ମଧ୍ୟରେ ରହିଛି ଖଜୁରୀଖମଣ, ଭଙ୍ଗା‌ମୁଣ୍ଡା, ତୈଳଭାଙ୍ଗୁଣୀ, ଜଗଦଲା, ବିରିଆମ, ଲଇଣ୍ଡା, ହିରନଓ ବାଲିଆମ। ଏହି ୮ଟି ଗ୍ରାମରେ ୨୨୦ ପରିବାର ବସବାସ କରୁଛନ୍ତି। ପୂର୍ବରୁ ଗ୍ରାମକୁ ରାସ୍ତା ନଥିଲା, କିଛିବର୍ଷ ପୂର୍ବରୁ ଜିଲ୍ଲ‌ା ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ସଂଯୋଗ କରିବାପାଇଁ କଂସରଠାରୁ ଭଙ୍ଗାମୁଣ୍ଡା ପର୍ଯ୍ୟନ୍ତ ୭ କିମି ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ, ସଂପୃକ୍ତ ଠିକାସଂସ୍ଥା ମାତ୍ର ୩ କି.ମି. ରାସ୍ତା ନିର୍ମାଣ କରି ବାକି ରାସ୍ତା ବର୍ତ୍ତମାନ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଶିକ୍ଷା କ୍ଷେତ୍ରରେ ଆଜି ବି ଉକ୍ତ ଅଂଚଳ ଏବେ ବି ପଛରେ। ପାନୀୟଜଳ ବ୍ୟବସ୍ଥା ନଥିବା ଯୋଗୁଁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୧୫-୧୬ ରେ ଗ୍ରାମରେ ସରକାରଙ୍କ ପକ୍ଷରୁ ସୋଲାର ଲାଇଟ ଲଗାଯାଇଥିଲା । ତାହା ବି ଠିକ୍‌ ଭାବେ କାମ କରୁନାହିଁ। ଗ୍ରାମରେ ମୋବାଇଲ୍‌ ନେଟୱର୍କ ବି ରହୁନି। ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ଏହିସବୁ ମୌଳିକ ସମସ୍ୟାର ସମାଧାନ ନେଇ ଗ୍ରାମବାସୀମାନେ ମାର୍ଚ୍ଚ ୪ ତାରିଖ ଦିନ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ, ଏହାପରେ ବି ଜିଲ୍ଲାପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଫଳରେ, ୮ ଗ୍ରାମର ଲୋକେ ଭୋଟ୍‌ବର୍ଜନ କରିବେ ବୋଲି ଚେତାବନୀ ଦେବାସହିତ ଆଜି ବିରିଆମ-ଖଜରୁଖମଣ ଛକଠାରେ ରାସ୍ତାରୋକ କରିଥିଲେ। ରାସ୍ତାରୋକ କରି ସେମାନେ ବୁଥ୍‌କୁ ଯାଉଥିବା ପୋଲିଂ କର୍ମଚାରୀମାନଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଖବରପାଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଏସିଏଫ ସ୍ବ‌ାଧୀନତା ସାହାଣୀ, ତିଲେଇବଣି ବିଡିଓ ରଘୁନାଥ ପାଣିଗ୍ରାହୀ, ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ସେମାନଙ୍କୁ ବୁଝାସୁଝା କରିଥିଲେ। ଏହାପରେ ଜିଲ୍ଲାପ୍ରଶାସନ ପକ୍ଷରୁ ସେମାନଙ୍କୁ ପ୍ରତିଶ୍ରୁତି ଦେବାପରେ ସେମାନଙ୍କର ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।