ପୁରୀ: ପ୍ଲଟିଂ ପାଇଁ ମୂଷାନଈ ଜଳସ୍ରୋତକୁ ଅବରୋଧ। ମୂଷାନଈ ଭିତରେ ଜଳସ୍ରୋତକୁ ଅବରୋଧ କରି ତିଆରି ହୋଇଛି ରାସ୍ତା। ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ହୁଳୁହୁଳିଆ ରେଳ ଓଭର୍‌ବ୍ରିଜ୍‌ ନିକଟରେ। କିଛି ନ୍ୟସ୍ବସ୍ବାର୍ଥ ବ୍ୟକ୍ତି ମୂଷାନଈର ଜଳକୁ ଅଟକାଇ ଏହା ଭିତରେ ରାସ୍ତା ତିଆରି କରି ଜମି ପ୍ଲଟିଂ କରୁଛନ୍ତି। ଯାହାକୁ ଅଞ୍ଚଳବାସୀ ବିରୋଧ କରୁଥିଲେ ବି ଜମିମାଫିଆଙ୍କ ଭୟରେ ନିରବ ରହିବାକୁ ବାଧ୍ୟ ହେଉଛନ୍ତି। ଜମିମାଫିଆଙ୍କ ପହଞ୍ଚ ଏତେ ଯେ ସେ କାହାରିକୁ ବି ଖାତିର କରୁନାହାନ୍ତି। ଅଞ୍ଚଳବାସୀ ବି ଆରମ୍ଭରୁ ଏହାର ପ୍ରତିବାଦ କରିଥିଲେ। କିନ୍ତୁ ଭୟ ଦେଖାଇ ସ୍ବରକୁ ନିରବ କରି ଦିଆଯାଇଛି। ବଡ଼କଥା ହେଉଛି, ଏହି ଜାଗା ସଦର ମହକୁମା ଭିତରେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ। ତଥାପି ପ୍ରଶାସନ ଏ ସମ୍ପର୍କରେ ଜାଣି  ବି ନଜାଣିବା ଭଳି ରହିବା ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ରାସ୍ତାକୁ ହଟାଇ ମୂଷାନଈର ଜଳସ୍ରୋତକୁ ଅବରୋଧମୁକ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Advertisment

ଭାର୍ଗବୀ ନଦୀର ଏକ ଶାଖା ହେଉଛି ମଙ୍ଗଳାନଈ। ଏହାର ଶେଷ ମୁଣ୍ଡ ମଙ୍ଗଳାନଈରେ ମିଶିଛି। ହୁଳୁହୁଳିଆ ପୋଲ ନିକଟରୁ  ମଙ୍ଗଳାନଈ ପର୍ଯ୍ୟନ୍ତ ଏହାର ଅସ୍ତିତ୍ବ ଦୃଶ୍ୟମାନ ହେଉଥିବାବେଳେ ହୁଳୁହୁଳିଆ ପୋଲଠାରୁ ବୀରହରେକୃଷ୍ଣପୁର ଗାଁ ପାର୍ଶ୍ବକୁ ଥିବା ମୂଷାନଈର ବାକି ଜାଗାର ଅସ୍ତିତ୍ବ କୋଠାବାଡ଼ି ଭିତରେ ହଜିଗଲାଣି। ତଥାପି ହୁଳୁହୁଳିଆ ପୋଲଠାରୁ ମଙ୍ଗଳାନଈ ପର୍ଯ୍ୟନ୍ତ ଉନ୍ନତୀକରଣ କାର୍ଯ୍ୟ କରିବାକୁ ସରକାର ପ୍ରାୟ ୧୦୭ କୋଟି ଟଙ୍କାର ବଜେଟ୍‌ ଅନୁମୋଦନ କରିଛନ୍ତି। ଏହି ସୌନ୍ଦର୍ଯ୍ୟୀକରଣ କାମ ମନ୍ଥର ପଡ଼ି ଯାଇଥିଲେ ବି ଅଦ୍ୟାବଧି ଜାରି ରହିଛି। କିନ୍ତୁ ଇତିମଧ୍ୟରେ କେହି ମୂଷାନଈ ଭିତରେ ରାସ୍ତା କରି ଜଳ ସ୍ରୋତକୁ ସଂପୂର୍ଣ୍ଣ ଅବରୋଧ କରି ରଖିଛନ୍ତି। ହୁଳୁହୁଳିଆ ରେଳ ଓଭର୍‌ବ୍ରିଜ୍‌ ପୂର୍ବରୁ ବାମପାର୍ଶ୍ବରୁ ଏହି ରାସ୍ତା ଆରମ୍ଭ ହୋଇ ନଈ ଭିତରେ ଅପରପାର୍ଶ୍ବରେ ଥିବା ନୀଳଚକ୍ରନଗରକୁ ଲାଗିଛି। ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି, କିଛି ବ୍ୟକ୍ତି ନୀଳଚକ୍ରନଗରରେ ପ୍ଲଟିଂ ଉଦ୍ଦେଶ୍ୟରେ ଏଭଳି ମୂଷାନଈକୁ ପୋତି ରାସ୍ତା ତିଆରି କରିଛନ୍ତି।

ଏହି ରାସ୍ତା ଦେଇ ଭାରିଯାନ ବି ଯା’ଆସ କରୁଛି। ପ୍ଲଟିଂ ଜାଗାକୁ ମାଟି, ବାଲି, ଗୋଡ଼ି ଆଦି ବୁହା ହେଉଛି। ନୀଳଚକ୍ରନଗରରେ ଅଧିକାଂଶ ମୂଷାନଈକୁ ମାଡ଼ି ବସି ଘର କରିବାରେ ଲାଗିଥିବା ବେଳେ ନଈ ଭିତରେ ଏଭଳି ଜଳସ୍ରୋତକୁ ଅଟକାଇ ରାସ୍ତା ନିର୍ମାଣକୁ ଅଞ୍ଚଳବାସୀ ସହଜରେ ହଜମ କରି ପାରୁନାହାନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ଏଭଳି କରିଛନ୍ତି, ସେ ପ୍ରଭାବଶାଳୀ ହୋଇଥିବାରୁ କେହି ମୁହଁ ଖୋଲୁନାହାନ୍ତି। ଏ ସମ୍ପର୍କରେ ପୁରୀ ତହସିଲଦାର ଅଭିଷେକ ଦାଶ କହିଛନ୍ତି, ନଈ ଭିତରେ ଏଭଳି ରାସ୍ତା ତିଆରି ବେଆଇନ୍‌।  ଏ ସଂପର୍କରେ ଖବର ନାହିଁ। ଏହାର ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଦାଶ କଂିଛନ୍ତି।