ବ୍ଲଡ୍‌ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ଅଣଦେଖା: ଦୂର ହୋଇନି ଦରମା ସମସ୍ୟା

ଭୁବନେଶ୍ୱର : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଉଛି। ମୃତ୍ୟୁ ହାର ବି ସେଇ ଅନୁପାତରେ ତାଳ ଦେଇ ବଢ଼ି ଚାଲିଛି। ଏସବୁ ସତ୍ତ୍ବେ ପ୍ଲାଜ୍‌ମା ଥେରାପି ମୃତ୍ୟୁ ହାରରେ ରୋକ୍‌ ଲଗାଇବା‌ରେ କିଛିଟା ଆଶା ସଞ୍ଚାର କରିଛି। କିନ୍ତୁ କରୋନା ଆକ୍ରାନ୍ତଙ୍କୁ ନୂଆ ଜୀବନ ଦେବାରେ ମାଧ୍ୟମ ସାଜିଥିବା ବ୍ଲଡ୍‌ ବ୍ୟାଙ୍କ୍‌ର ଠିକା କର୍ମଚାରୀଙ୍କ ଦୁର୍ଦ୍ଦଶା ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ। ଦରମା ତ ଦୂରର କଥା, ସେମାନେ ପ୍ରତିଦିନ ଶିବିର ଆୟୋଜନ କରି ଶହଶହ ଲୋକଙ୍କ ସଂସ୍ପର୍ଶ‌ରେ ଆସୁଥିଲେ ମଧ୍ୟ ତାଙ୍କୁ କରୋନାଯୋଦ୍ଧା ବୋଲି ଅଭିହିତ କରିବାରେ ସରକାର କାର୍ପଣ୍ୟ କରି ଚାଲିଛନ୍ତି। ଏହା କେବଳ କର୍ମଚାରୀଙ୍କୁ ଆଘାତ ଦେଉନାହିଁ ବରଂ ପ୍ଲାଜ୍‌ମା ସଂଗ୍ରହ ନେଇ ସେମାନଙ୍କ ମଧ୍ୟରେ ଅନାଗ୍ରହ ଦେଖାଦେଇଛି।

ସଂପ୍ରତି କରୋନା ଯୋଗୁଁ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ମାତ୍ର ଏ ଦୁଃସମୟରେ ଯେମିତି ରାଜ୍ୟରେ ଆବଶ୍ୟକ ପଡ଼ୁଥିବା ରକ୍ତର ଭରଣା କରାଯାଇପାରିବ ସେନେଇ ବ୍ଲଡ୍‌ ବ୍ୟାଙ୍କ କର୍ମଚାରୀମାନେ ଅଧିକରୁ ଅଧିକ ଶିବିର ସହ ‌ସଂଶ୍ଳିଷ୍ଟ ହେଉଛନ୍ତି। ପ୍ରତିଦିନ ଶହଶହ ଲୋକଙ୍କ ସଂସ୍ପର୍ଶରେ ସିଧାସଳଖ ଆସୁଛନ୍ତି। ମାର୍ଚ୍ଚରୁ ଏପର୍ଯ୍ୟନ୍ତ ଦେଢ଼ଗୁଣା ଅଧିକ ଶିବିର ଆୟୋଜନ ହୋଇଛି। ଫଳରେ ଏପର୍ଯ୍ୟନ୍ତ ରକ୍ତ ଅଭାବରୁ କାହାର କିଛି କ୍ଷତି ହୋଇନାହିଁ। ଗୋଟେପଟେ ସରକାର ସ୍ବାସ୍ଥ୍ୟ କର୍ମଚାରୀଙ୍କଠୁ ନେଇ ଆଶା ଓ ଅଙ୍ଗନାବାଡ଼ି କର୍ମୀଙ୍କୁ ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ଦେଇ ଚାଲିଥିବା ବେଳେ, ବ୍ଲଡ୍‌ ବ୍ୟାଙ୍କ କର୍ମଚାରୀମାନଙ୍କୁ ଏ ତାଲିକାରେ ରଖିବାକୁ ସରକାର ଉଚିତ ମଣିନାହାନ୍ତି। କରୋନା ଭଳି ସଙ୍କଟ ସମୟ‌ରେ ଅନାୟାସରେ କାମ କରି ଚାଲିଥିଲେ ବି ନା ତାଙ୍କ ପାଇଁ ବୀମାର ବ୍ୟବସ୍ଥା କରିଛନ୍ତି ନା ଆର୍ଥିକ ପ୍ରୋତ୍ସାହନ ‌ପ୍ରଦାନ କରିଛନ୍ତି।

ସମଗ୍ର ରାଜ୍ୟରେ ୫୬ଟି ବ୍ଲଡ୍‌ ବ୍ୟାଙ୍କ୍‌ରେ ଟେକ୍ନିସିଆନ, ଷ୍ଟାଫ୍ ନର୍ସ, ଆଟେଣ୍ଡାଣ୍ଟ୍‌, ଅଫିସ୍‌ ଆସିଷ୍ଟାଣ୍ଟ୍‌, ଝାଡ଼ୁଦାର ଦୀର୍ଘ ବର୍ଷ ଧରି କାମ କରିଆସୁଛନ୍ତି। କଟକର ସେଣ୍ଟ୍ରାଲ୍‌ ବ୍ଲଡ୍‌ ବ୍ୟାଙ୍କ୍‌କୁ ବାଦ୍‌ ଦେଲେ ଅନ୍ୟ ୫୫ଟି ବ୍ଲଡ୍‌ ବ୍ୟାଙ୍କ୍‌କୁ ସରକାର ୨୦୧୭ରେ ନିଜ ଅଧୀନକୁ ନେଇଥିଲେ। ଫଳରେ ବ୍ଲଡ୍‌ବ୍ୟାଙ୍କ୍‌‌ରେ କାର୍ଯ୍ୟରତ କର୍ମଚାରୀମାନେ ଭାବିଥିଲେ ସେମାନଙ୍କ ଦୁଃଖ ଦୂର ହୋଇଯିବ। ମାତ୍ର ସରକାର ନିଜ ଅଧୀନକୁ ନେଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଲେ ନାହିଁ। ବିଶେଷତ୍ବ ଏହି ଯେ ସମାନ କାମ କରୁଥିଲେ ବି ବ୍ଲଡ୍ ବ୍ୟାଙ୍କ୍‌ କର୍ମଚାରୀଙ୍କ ଦରମାରେ ତାରତମ୍ୟ ରହିଛି। କେଉଁଠି ୨୦ ବର୍ଷ କାମ କରି ମଧ୍ୟ କିଏ ୮ ହଜାର ପାଉଥିବା ବ‌େଳେ ଆଉ କେଉଁଠି ୧୫ ହଜାର ଟଙ୍କା ମିଳୁଛି।

କିଛି ମାସ ତଳେ ବ୍ଲଡ୍‌ ବ୍ୟାଙ୍କ୍‌ କର୍ମଚାରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ନେଇ ଆଲୋଚନା ‌ହୋଇଥିଲା। ଅସମାନତା ଦୂର କରି ସମସ୍ତ ବ୍ଲଡ୍‌ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ଏକ ନିର୍ଦିଷ୍ଟ ହାରରେ ଦରମା ଦେବା ପାଇଁ ଆଲୋଚନା ଜାରି ରହିଥିଲା। ମାତ୍ର ନିର୍ବାଚନ ଉପନୀତ ହେବା ପରେ ସେ ପ୍ରସଙ୍ଗ କୁଆଡ଼େ ଉଭେଇ ଗଲା।

କିଛି ଦିନ ତଳେ ରକ୍ତଦାନ ଶିବିରରେ ରକ୍ତ ସଂଗ୍ରହରେ ବ୍ରତୀ ଥିବା କିଛି ବ୍ଲଡ୍‌ ବ୍ୟାଙ୍କ୍‌ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ବ୍ରହ୍ମପୁର, ଭୁବନେଶ୍ବର, ରାୟଗଡ଼ା ଓ କୁଚିଣ୍ଡାରେ ବ୍ଲଡ୍‌ ବ୍ୟାଙ୍କ୍‌ କର୍ମଚାରୀମାନେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏସବୁ ସତ୍ତ୍ବେ ସେମାନେ ସରକାରଙ୍କ ସୂତ୍ରରୁ ଗୁରୁତ୍ବ ପାଇନାହାନ୍ତି। ଦୁର୍ଭାଗ୍ୟ ଯେ ଯଦି ସେମାନଙ୍କ ମଧ୍ୟରୁ କାହାର କିଛି ହୋଇଯାଏ, ତେବେ ସେମାନଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୧ ହଜାର ଟଙ୍କା ବି ମିଳିବ ନାହିଁ। ସୂଚନା‌ଯୋଗ୍ୟ, ୧୮୦ରୁ ଅଧିକ କର୍ମଚାରୀ ରାଜ୍ୟରେ ପ୍ରତ୍ୟେକ ଦିନ ହେଉଥିବା ରକ୍ତଦାନ ଶିବିରରୁ ରକ୍ତ ସଂଗ୍ରହ କରିବା ଧାରା ଜାରି ରଖିଛନ୍ତି। ପ୍ରତିବର୍ଷ ଏହି କର୍ମଚାରୀମାନେ ରାଜ୍ୟରେ ପାଖାପାଖି ୨ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହ କରୁଛନ୍ତି। ଏବେ କରୋନା ସଙ୍କଟ ସମୟରେ ମଧ୍ୟ ସେମାନଙ୍କ ପ୍ରୟାସ ଯୋଗୁଁ ରକ୍ତର ଅଭାବ ଦେଖାଦେଇନାହିଁ। ଅନ୍ତତଃ ଏସବୁର ଗୁରୁତ୍ବକୁ ସରକାର ଉପଲବ୍ଧି କରି ସେମାନଙ୍କ କଥା ବିଚାରକୁ ନେବାକୁ କର୍ମଚାରୀମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର