ସରକାରଙ୍କ ଟାଳଟୁଳ ନୀତିକୁ ନିନ୍ଦା, ଆନ୍ଦୋଳନକୁ ଓହ୍ଲାଇବେ ରକ୍ତଭଣ୍ଡାର କର୍ମଚାରୀ!

ଭୁବନେଶ୍ବର : ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ରକ୍ତଭଣ୍ଡାର କର୍ମଚାରୀ। ୯ମାସ ତଳେ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ଓ ଟାଳଟୁଳ ନୀତି ବିରୋଧରେ ଆନ୍ଦୋଳନ ପାଇଁ କର୍ମଚାରୀ ସଜବାଜ ହେଉଛନ୍ତି। ରକ୍ତଭଣ୍ଡାର କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଲେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ରାଜ୍ୟରେ ୫୬ଟି ସରକାରୀ ରକ୍ତଭଣ୍ଡାରରେ ୫୮ଜଣ ଲାବୋରେଟାରି ଟେକ୍‌ନିସିଆନ୍‌ ଥିବା ବେଳେ ଷ୍ଟାଫ୍ ନର୍ସ, କ୍ଲର୍କ, ଆଟେଣ୍ଡାଣ୍ଟ, ସୁଇପର, କ୍ୟାମ୍ପ କୋର୍ଡିନେଟର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ମିଶାଇ ସମୁଦାୟ ୧୮୦ଜଣ ରହିଛନ୍ତି। ୧୮ଟି ରକ୍ତଭଣ୍ଡାରରେ କର୍ମଚାରୀ ନ ଥିବା ବେଳେ ସେସବୁ ରକ୍ତଭଣ୍ଡାରକୁ ଏନ୍‌ଏଚ୍‌ଏମ୍‌, ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସର କର୍ମଚାରୀ ପରିଚାଳନା କରୁଛନ୍ତି। ତେବେ ୧୮୦ଜଣଙ୍କ ମଧ୍ୟରୁ ମାତ୍ର ୩୯ଜଣଙ୍କୁ ନିୟମିତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବାରୁ ଅନ୍ୟ କର୍ମଚାରୀମାନେ ଏହାକୁ ବିରୋଧ କରିଛନ୍ତି।

ଚଳିତ ମାସ ୧୪ ତାରିଖରେ ରାଜ୍ୟ ସରକାରଙ୍କ ନିକଟରୁ ଏକ ଚିଠି ରାଜ୍ୟର ସମସ୍ତ ରକ୍ତଭଣ୍ଡାରକୁ ଆସିଥିଲା। ଏଥିରେ ରକ୍ତଭଣ୍ଡାରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଉଚିତ୍ ମୂଲ୍ୟରେ ଦରମା ପ୍ରଦାନ କରାଯିବ। ଏଥିପାଇଁ ଏକ କମିଟି ଗଠନ କରାଯାଇଛି ବୋଲି ଦର୍ଶାଯାଇଥିଲା। ମାତ୍ର ପରବର୍ତୀ ସମୟରେ ଆସିଥିବା ଆଉ ଏକ ଚିଠିରେ ଦର୍ଶାଯାଇଥିଲା ଯେ ରକ୍ତଭଣ୍ଡାରଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ କେବଳ ୨୬ଜଣ ଟେକନିସିଆନ୍ ଓ ଜଣେ ଷ୍ଟାଫ ନର୍ସଙ୍କୁ ନିୟମିତ କରାଯିବ। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ତେବେ ଏହି ଚିଠି ପହଞ୍ଚିବାର ଗୋଟିଏ ଦିନ ପରେ ରାଜ୍ୟ ରକ୍ତ ସଂଚାରଣ ପରିଷଦ ବା ଏସ୍‌ବିଟିଏସ୍‌ ଏକ ଚିଠି ଜାରି କରିଥିଲା। ତହିଁରେ ସରକାରଙ୍କ ପକ୍ଷରୁ ପୂର୍ବରୁ ନିୟମିତ ପାଇଁ ନିଷ୍ପତ୍ତି ହୋଇଥିବା ୨୭ଜଣ କର୍ମଚାରୀଙ୍କ ସହ ଆହୁରି ୧୨ଜଣଙ୍କୁ ନିୟମିତ କରିବା ପାଇଁ ଏଥିରେ ଉଲ୍ଲେଖ ରହିଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଏସ୍‌ବିଟିଏସ୍‌ ମଧ୍ୟରେ ତାଳମେଳ ନ ରହିବା ଓ କେଉଁ କର୍ମଚାରୀମାନେ ନିୟମିତ ହେବେ ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଅପରପକ୍ଷରେ ବିଭିନ୍ନ ରକ୍ତଭଣ୍ଡାରରେ କାର୍ଯ୍ୟ କରୁଥିବା ଅଣ ଟେକ୍‌ନିସିଆନ୍‌ କର୍ମଚାରୀ ଏଭଳି ନିଷ୍ପତ୍ତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି।

ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘର ସାଧାରଣ ସଂପାଦକ ରମଣୀ ଗଡ଼ନାୟକଙ୍କ କହିବା ମୁତାବକ, କର୍ମଚାରୀମାନେ ପୂର୍ବରୁ ଆନ୍ଦୋଳନ କରିବା ସମୟରେ ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ସେତେବେଳେ କୁହାଯାଇଥିଲା, ସରକାରୀ ଗାଇଡଲାଇନ୍‌ ଅନୁସାରେ ନିଯୁକ୍ତି ପାଇଥିବା ଟେକନିସିଆନ୍ ଓ ଷ୍ଟାଫ ନର୍ସଙ୍କୁ ନିୟମିତ କରାଯିବ ଓ ଅନ୍ୟ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ସେହି କର୍ମଚାରୀଙ୍କ ଦରମା ବୃଦ୍ଧି ସହ ସରକାରୀ ପାଣ୍ଠିରୁ ସେମାନଙ୍କୁ ଟଙ୍କା ଦିଆଯିବ। ମାତ୍ର ପରବର୍ତୀ ସମୟରେ ସରକାରଙ୍କ ପକ୍ଷରୁ ଯେଉଁ ଚିଠି ଆସିଥିଲା, ତହିଁରେ ପ୍ରଥମେ ୨୭ଜଣ ଓ ପରବର୍ତୀ ସମୟରେ ୧୨ଜଣଙ୍କୁ ନିୟମିତ କରିବା ପାଇଁ କୁହାଯାଇଛି। ଅପରପକ୍ଷରେ ଅନ୍ୟ କର୍ମଚାରୀଙ୍କୁ ସରକାର ଠକି ଚାଲିଛନ୍ତି। ଟେକ୍‌ନିସିଆନ୍ ଓ ଷ୍ଟାଫ୍ ନର୍ସଙ୍କୁ ବାଦ୍ ଦେଲେ ଅନ୍ୟ କର୍ମଚାରୀମାନେ ମଧ୍ୟ ଦୀର୍ଘ ୧୫/୨୦ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି। ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାକ୍ତଭଣ୍ଡାରକୁ ଆସିଥିବା ଚିଠିରେ ଉଲ୍ଲେଖ ରହିଛି ଯେ ରକ୍ତଭଣ୍ଡାରର ନିଜସ୍ବ ପାଣ୍ଠିରୁ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରାଯିବ। ରକ୍ତ ୟୁନିଟ୍‌ ପିଛା ପୂର୍ବରୁ ଯେଉଁ ଟଙ୍କା ମିଳୁଥିଲା, ତହିଁରୁ କର୍ମଚାରୀମାନଙ୍କୁ ଦରମା ଦିଆଯାଉଥିଲା। ମାତ୍ର ସରକାର ତାହାକୁ ବନ୍ଦ କରି ଦେଇଛନ୍ତି। ରାଜ୍ୟ‌ରେ ଥିବା ବଡ଼ ରକ୍ତଭଣ୍ଡାରଗୁଡ଼ିକ ହୁଏତ କିଛି ମାସ ପାଇଁ କର୍ମଚାରୀଙ୍କୁ ନିଜସ୍ବ ପାଣ୍ଠିରୁ କର୍ମଚାରୀଙ୍କୁ ଦରମା ଦେଇପାରିବେ। ମାତ୍ର ଅନ୍ୟ ରକ୍ତଭଣ୍ଡାର କ୍ଷେତ୍ରରେ ଏହା କଷ୍ଟକର ହୋଇପଡ଼ିବ ଓ କର୍ମଚାରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେବେ। ଯେଉଁ କର୍ମଚାରୀଙ୍କୁ ସରକାର ନିୟମିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ସେମାନଙ୍କର ନିୟମିତ କରାଯାଉ ଓ ଅନ୍ୟ ବଳକା କର୍ମଚାରୀଙ୍କର ଦରମା ବୃଦ୍ଧି କରାଯାଇ ସରକାରୀ ପାଣ୍ଠିରୁ ଦରମା ପ୍ରଦାନ କରନ୍ତୁ। ନଚେତ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀ ଗଡ଼ନାୟକ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର