ବରଗଡ଼: ବରଗଡ଼ର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ସଂକଟ ମଧ୍ୟରେ ଗତି କରୁଛି। ଏଠାରେ ଅଳ୍ପ ସଂଖ୍ୟକ କର୍ମଚାରୀ ସାଂଗକୁ ଅସଜଡ଼ା ଭିତ୍ତିଭୂମି ଯୋଗୁଁ ନାନାଦି ସମସ୍ୟା ସୃଷ୍ଟି ହେଉଛି। ପଶ୍ଚିମ ଓଡ଼ିଶାରେ ବରଗଡ଼ ଜିଲ୍ଲାର ଏହି ରକ୍ତଭଣ୍ଡାର ସ୍ବାସ୍ଥ୍ୟସେବାରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି। କିନ୍ତୁ କର୍ମଚାରୀ କମ୍‌ ଥିବାରୁ ଏହି ସେବା ନିରନ୍ତର ଯୋଗାଇବା କାଠିକର ହୋଇପଡ଼ିଛି। ସୂଚନା ମୁତାବକ, ରକ୍ତଭଣ୍ଡା‌ର ମାଧ୍ୟମରେ ବା‌ର୍ଷିକ ହାରାହାରି ୧୫ହଜାର ୟୁନିଟ୍‌ ରକ୍ତ ସଂଗ୍ରହ ହେଉଛି।

Advertisment

ବିଭିନ୍ନ  ସ୍ଥାନରେ ସ୍ବେଚ୍ଛ‌ାସେବୀ ଅନୁଷ୍ଠାନଗୁଡ଼ିକ ଦ୍ବାରା ୧୬୦ରୁ ୧୭୦ ଶିବିର ବର୍ଷକରେ ଆୟୋଜନ ହେଉଛି। ଏହାବାଦ୍‌ ରକ୍ତଭଣ୍ଡାରରେ ମଧ୍ୟ ନିୟମିତ ରକ୍ତ ସଂଗ୍ରହ କରାଯାଉଛି। ବର୍ଷକର ତଥ୍ୟ ଦେଖିଲେ ମାସିକ ୧୫ରୁ ଅଧିକ ଶିବିରରେ ରକ୍ତଭଣ୍ଡାରର କର୍ମଚାରୀ ନିୟୋଜିତ ରହୁଛନ୍ତି। ଏହାବାଦ୍‌ ରକ୍ତଭଣ୍ଡାରରେ ୨୪ ଘଣ୍ଟିଆ କାମ ବି ଚାଲିଛି। ଗୋଟିଏ ଦିନରେ ଦୁଇରୁ ତିନୋଟି ଶିବିର ମଧ୍ୟ ଦୂରଦୂରାନ୍ତରରେ ଆୟୋଜନ ହେଉଛି। ତେଣୁ ଏତିକି କାମ ତୁଟାଇବା ପାଇଁ ରକ୍ତଭଣ୍ଡାରରେ କର୍ମଚାରୀ ଅଭାବ। ଏଠାରେ ବର୍ତ୍ତମାନ ଜଣେ ମେଡିକାଲ୍‌ ଅଫିସର୍‌, ଲାବ୍‌ ଟେକ୍‌ନିସିଆନ୍‌ ୩ଜଣ, ୨ଜଣ ଲାବ୍‌ ଆସିଷ୍ଟାଣ୍ଟ, ୪ଜଣ ଆଟେଣ୍ଡାଣ୍ଟ, ଜଣେ ଲେଖାଏଁ କାଉନସିଲର୍‌ ଓ ଡାଟାଏଣ୍ଟ୍ରି ଅପରେଟର୍‌ ଅଛନ୍ତି।

କିନ୍ତୁ ରକ୍ତସଂଗ୍ରହ, ଶିବିର ସଂଖ୍ୟା ‌ଏବଂ ରକ୍ତଭଣ୍ଡାରର ଦୈନନ୍ଦିନ କାମ ଯୋଗୁଁ ମାତ୍ର ଏତକ କର୍ମଚାରୀଙ୍କ ଉପରେ ଅତିରିକ୍ତ ବୋଝ ପଡ଼ୁଛି। ବୁର୍ଲା ରକ୍ତଭଣ୍ଡାରରେ ୪୨ କର୍ମଚାରୀ ରହୁଥିବାବେଳେ ବରଗଡ଼ରେ ମାତ୍ର ୧୨ଜଣ କର୍ମଚାରୀ ଅଛନ୍ତି। ଅନ୍ତତଃ ଆହୁରି ୧୨ଜଣ ଅତିରିକ୍ତ କର୍ମଚାରୀ ନିଯୁକ୍ତ ହେଲେ ରକ୍ତଭଣ୍ଡାରର କାମ ସୁରୁଖୁରୁରେ ଚାଲନ୍ତା ବୋଲି ମତପ୍ରକାଶ ପାଉଛି। ସେହିପରି ରକ୍ତଭଣ୍ଡାରର ଦୈନନ୍ଦିନ କାର୍ଯ୍ୟକୁ ଦେଖିଲେ, ଏଠାରେ ଭିତ୍ତିଭୂମିର ଆହୁରି ବିକାଶ ଜରୁରୀ ହୋଇପଡ଼ିଛି।