କରୋନାକୁ ହରାଇ ପ୍ଲାଜମା ଦାନ କଲେ ଯୋଦ୍ଧା

ପ୍ରଶଂସା ସାଉଁଟିଲେ ରକ୍ତ ଭଣ୍ଡାର କର୍ମଚାରୀ, ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ

ରାୟଗଡ଼ା : ନିଜେ କରୋନା ସହ ଲଢ଼ି ଜିତିଲେ। ଏବେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ପ୍ଲାଜମା ଦାନ କଲେ। ସଙ୍କଟାପନ୍ନ ଅବସ୍ଥାରେ କରୋନାରୁ ମୁକ୍ତି ପାଇଁ ପ୍ଲାଜମା ଭଲ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ଆଜି ପ୍ଲାଜମା ଦାନ କରିଛନ୍ତି ରାୟଗଡ଼ା ରକ୍ତ ଭଣ୍ଡାର କର୍ମଚାରୀ ଉମାକାନ୍ତ ମିଶ୍ର। ଯାହା ଅନ୍ୟ ଯୋଦ୍ଧାଙ୍କ ପାଇଁ ଉଦାହରଣ ପାଲଟିଛି।

ବିଷମକଟକ ବ୍ଲକ୍ ଦୁର୍ଗୀର ଜଣେ ବ୍ୟକ୍ତି କରୋନାର ଆକ୍ରାନ୍ତ ହୋଇ ବିଶାଖାପାଟଣା ଆପଲୋ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗତ କିଛି ଦିନ ଧରି ବ୍ୟକ୍ତି ଜଣଙ୍କୁ ଜ୍ୱର ସହିତ ଥଣ୍ଡା, କାଶ ଲାଗି ରହିଥିଲା। ଔଷଧ ସେବନ ପରେ ମଧ୍ୟ ଜ୍ୱର ନ କମିବାରୁ ଗତ ୧୩ ତାରିଖରେ ରାୟଗଡ଼ାରେ ସ୍ୱାବ ପରୀକ୍ଷା କରିଥିଲେ। ୧୪ ତାରିଖରେ ରିପୋର୍ଟ ନେଗେଟିଭ୍ ଆସିଥିଲା। ହେଲେ ଜ୍ୱର କିନ୍ତୁ କମିନଥିଲା। ସନ୍ଦେହରେ ବ୍ୟକ୍ତି ଜଣଙ୍କ ବିଶାଖାପାଟଣା ଯାଇ ସ୍ୱାବ ପରୀକ୍ଷା କରିଥିଲେ। ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ସେ ବର୍ତ୍ତମାନ ଆପଲୋରେ ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସା ସତ୍ତ୍ବେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନଥିବାରୁ ପ୍ଲାଜମା ଦେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ପରିବାର ଲୋକ ରାୟଗଡ଼ା ରକ୍ତ ଭଣ୍ଡାରକୁ ଆସି ପ୍ଲାଜମା ଯୋଗାଡ଼ କରିବା ପାଇଁ ବୁଝାଶୁଝା କରିଥିଲେ। ପରିବାର ଲୋକଙ୍କ ନିବେଦନ ରକ୍ଷା କରି କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ରକ୍ତ ଭଣ୍ଡାର କର୍ମଚାରୀ ଉମାକାନ୍ତ ପ୍ଲାଜମା ଦେବା ଲାଗି ରାଜି ହୋଇଥିଲେ। ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ସହ ଉମାକାନ୍ତ ବିଶାଖାପାଟଣାରେ ପହଞ୍ଚି ଆପଲୋ ହସପିଟାଲରେ ପ୍ଲାଜମା ଦାନ କରିଛନ୍ତି। ଉମାକାନ୍ତଙ୍କ ଏପରି କାର୍ଯ୍ୟକୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ଜିଲ୍ଲାର ବିଭିନ୍ନ ବର୍ଗର ଲୋକ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ଜୁଲାଇ ୨୩ ତାରିଖରେ ରକ୍ତ ଭଣ୍ଡାର କର୍ମଚାରୀ ଉମାକାନ୍ତ କରୋନାର ଶିକାର ହୋଇ ଚିକିତ୍ସା ପାଇଁ ଜେକେପୁର କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହୋଇ ଫେରିବା ପରେ ହୋମ୍ ଆଇସୋଲେସନରେ ଥିଲେ। ଗତ କିଛି ଦିନ ତଳେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଆଜି ପ୍ଲାଜମା ଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ ରାୟଗଡ଼ାର ଜିଲ୍ଲାର ପ୍ରଥମ କରୋନା ଯୋଦ୍ଧା ଭାବେ ଉମାକାନ୍ତ ପ୍ଲାଜମା ଦାନ କରିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର