ଗାନ୍ଧୀ ଜୟନ୍ତୀରୁ ରକ୍ତଭଣ୍ଡାର କର୍ମଚାରୀଙ୍କ କାର୍ଯ୍ୟବନ୍ଦ

ଭୁବନେଶ୍ୱର : ଅକ୍ଟୋବର ୨ରୁ ଅଚଳ ହୋଇପାରେ ରକ୍ତଭଣ୍ଡାର। ରାଜ୍ୟରେ ଥିବା ୫୫ଟି ରକ୍ତଭଣ୍ଡାରର କର୍ମଚାରୀମାନେ ଗାନ୍ଧୀ ଜୟନ୍ତୀରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲୋୟର ପିଏମ୍‌ଜିରେ ଧାରଣା ଦେବେ। ଫଳରେ ରକ୍ତ ପାଇଁ ରୋଗୀଙ୍କୁ ହଟହଟା ହେବାକୁ ପଡ଼ିବ। ରାଜ୍ୟରେ ଆବଶ୍ୟକୀୟ ରକ୍ତ ମିଳି ନପାରେ। ଏଥିପାଇଁ ଯେଉଁ ଅପ୍ରିତିକର ପରିସ୍ଥିତି ଉପୁଜିବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଓଡ଼ିଶା ରାଜ୍ୟ ରକ୍ତ ଭଣ୍ଡାର କର୍ମଚାରୀ ସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ସରକାରୀ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୫୫ଟି ସରକାରୀ ରକ୍ତଭଣ୍ଡାର ରହିଛି। ସେଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଏପର୍ପ୍ୟନ୍ତ ସରକାରୀ ଭାବେ ଘୋଷଣା କରାଯାଇ ନ ଥିବାରୁ ନାମମାତ୍ର ପାରିଶ୍ରମିକରେ ବର୍ଷର୍ ବର୍ଷ ଧରି ଗୋତିଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ବିପଦପୂର୍ଣ୍ଣ ବାତାବରଣ ମଧ୍ୟରେ ସେମାନେ ଏଡ୍‌ସ ସମେତ ବିଭିନ୍ନ ରୋଗ ପାଇଁ ରକ୍ତ ପରୀକ୍ଷା କରୁଛନ୍ତି। ରୋଗୀଙ୍କଠାରୁ ରକ୍ତ ସଂଗ୍ରହ କରୁଥିବାରୁ ରୋଗ ସଂକ୍ରମଣ ଆଶଙ୍କା ରହୁଛି। ଦିନରାତି ୨୪ ଘଣ୍ଟା ଜରୁରୀ ପରିସ୍ଥିତିରେ ଏମାନେ ରକ୍ତ ଯୋଗାଣ କାର୍ଯ୍ୟ କରୁଥିଲେ ମଧ୍ୟ ଡାକ୍ତରଖାନା ପରିସରରେ ସରକାରୀ ବାସଗୃହ ମିଳୁନି। ପଶ୍ଚିମବଙ୍ଗ, ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ ସମେତ ଦେଶର ପ୍ରାୟ ସବୁ ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାରଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ସରକାରୀ କର୍ମଚାରୀ କରାଯାଉ ନାହିଁ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଜନନୀ ଶିଶୁ ସୁରକ୍ଷା ଯୋଜନା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ଓ ସରକାରୀ ନୀତି ଅନୁଯାୟୀ ଥାଲାସେମିଆ ରୋଗୀଙ୍କୁ ମାଗଣାରେ ରକ୍ତ ଯୋଗାଇବା ଭଳି ଗୁରୁଦାୟିତ୍ୱ ରକ୍ତଭଣ୍ଡାର କର୍ମଚାରୀଙ୍କର ରହିଛି। ରାଜ୍ୟ ସରକାରଙ୍କ ଜୀବନ ବିନ୍ଦୁରେ ରକ୍ତ ସଂଗ୍ରହ ମଧ୍ୟ ଏହି କର୍ମଚାରୀଙ୍କ ଦ୍ୱାରା ସମ୍ପାଦିତ ହେଉଛି। କିନ୍ତୁ ଏହି କର୍ମଚାରୀ ସ୍ଥାୟୀ ନିଯୁକ୍ତି ପାଇନାହାନ୍ତି। ସରକାରୀ କର୍ମଚାରୀମାନେ ପାଉଥିବା ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁନି। ସରକାରୀ କ୍ୱାର୍ଟର୍ସ ମଧ୍ୟ ଯୋଗାଇ ଦିଆଯାଉନି। ଏଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଛି। ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ଦୁଇ ଥର ଧାରଣା ଦିଆଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ବି ରକ୍ତ ଭଣ୍ଡାର ପ୍ରସଙ୍ଗ ଉଠୁଛୁ। ଦାବି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଅବଗତ ରହିଛନ୍ତି। ତଥାପି ଦାବି ପୂରଣ କରାଯାଉ ନାହିଁ। ଆସନ୍ତା ୨ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ୫୫ଟି ରକ୍ତଭଣ୍ଡାରର ୧୮୦ ଜଣ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟବନ୍ଦ କରି ଲୋୟର ପିଏମ୍‌ଜିରେ ଧାରଣା ଦେବେ।

ମିଳିଥିବା ସୂଚନା ଅନୁଯାୟୀ ବର୍ତମାନ ପ୍ରାୟ ୧୫ଟି ରକ୍ତଭଣ୍ଡାରରେ ଜଣେ ବି ସରକାରୀ କର୍ମଚାରୀ ନାହାନ୍ତି। ବ୍ରହ୍ମପୁରସ୍ଥିତ ଏମ୍‌କେସିଜି, ବାଲେଶ୍ୱର ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, ଅନୁଗୁଳ ମେଡିକାଲ, ବଲାଙ୍ଗୀର ମେଡିକାଲ କଲେଜ ପାଇଁ ପ୍ରତିଦିନ ୧୦୦ରୁ ଅଧିକ ୟୁନିଟ୍‌ ଲେଖାଏ ରକ୍ତ ଆବଶ୍ୟକ ରହିଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେବେ।

ସମ୍ବନ୍ଧିତ ଖବର