ଭୁବନେଶ୍ବର: ହଠାତ୍ ବାପା ସମସ୍ତଙ୍କୁ ପର କରି କେଉଁଆଡ଼େ ଚାଲିଗଲେ। ଚାରିଚାରିଟା ଛୁଆଙ୍କୁ ଧରି ମା’ ଅପେକ୍ଷା କଲା କିଛି ଦିନ। ଏହା ପରେ ଦିନେ ବଡ଼ପୁଅ ଓ ଝିଅଙ୍କୁ ନେଇ ମା ବି ହଜିଗଲା। ଦୁଇ ବର୍ଷର କୁନି ଝିଅଟି ୯ମାସର କଅଁଳ ଭାଇକୁ ଧରି କାନ୍ଦୁଥିଲା। ମା’ କ୍ଷୀର ଛାଡ଼ିନଥିବା ଅ ବୋଧ ଶିଶୁପୁତ୍ରଟିର କାନ୍ଦିବାର ରାହା ବନ୍ଦ ହେଉନଥିଲା। ଘର ମାଲିକ ଦୁଇ ଶିଶୁଙ୍କୁ ପୁଲିସ ଜିମା ଦେଲେ। ପୁଲିସ ସେମାନଙ୍କୁ ଚାଇଲ୍‌ଡ ଲାଇନ୍‌ରେ ଛାଡ଼ିଲା। ଘର ମାଲିକଙ୍କଠାରୁ ଠିକଣା ନେଇ ପୁଲିସ ବାପାମାଙ୍କୁ ଖୋଜିଲା, ହେଲେ ନିରାଶ ହେଲା। ବାପାମା ଥାଇ ବି ପିଲା ଦୁଇଟି ଅନାଥ ହୋଇଗଲେ। ବିଧିର ବିଧାନ ସବୁବେଳେ ବିଚିତ୍ର। ସ୍ପେନ୍‌ର ଏକ ଦମ୍ପତି (ଜେମା ଭିଡ୍‌ଲ ଓ ଜୁଆମ୍‌ ଜୋସ୍‌) ଏହି ଦୁଇ ଶିଶୁଙ୍କୁ ପୋଷ୍ୟସନ୍ତାନ ଭାବେ କୋଳେଇ ନେଲେ। ଓଡ଼ିଆରେ ହିଁ ଝିଅର ନ‌ାଁ ରଖି‌ଲେ ସ୍ନେହା। ଏବେ ସ୍ନେହା ଉଚ୍ଚଶିକ୍ଷିତା। ପିଜି ସାରି ଚଳଚ୍ଚିତ୍ର ପାଠ୍ୟକ୍ରମ ଉପରେ ଅଧ୍ୟୟନ କରିବା ସହ ଶିଶୁଶିକ୍ଷା ଉପରେ ଗବେଷଣା କରୁଛି। ଭାଇ ସୋମ୍‌ ମଧ୍ୟ ପିଜି କଲାଣି। ଏହା ଭିତରେ ସ୍ପେନ୍‌ ଦମ୍ପତିଙ୍କଠାରୁ ସେମାନେ ଶୁଣିଛନ୍ତି ସେମାନଙ୍କ ବାପାମାଙ୍କ କଥା। ସ୍ନେହା ମନରେ ଜନ୍ମିଛି ଉତ୍କଣ୍ଠା। କ’ଣ ପାଇଁ ବାପାମା ସେମାନଙ୍କୁ ଅନାଥ କରିଦେଲେ? ମନରେ ରାଗ, କ୍ଷୋଭ କି ଅଭିମାନ ନାହିଁ। କିନ୍ତୁ ରହିଛି ରକ୍ତର ଦୁର୍ବାର ଆକର୍ଷଣ। ୨୦ ବର୍ଷ ପରେ ରକ୍ତ ଡାକିଛି। ତେଣୁ ବାପାମାଙ୍କୁ ଖୋଜିଖୋଜି ସେ ପହଞ୍ଚିଛି ଭୁବନେଶ୍ବରରେ। ବେଶ୍‌ ଯତ୍ନରେ ଲାଳନପାଳନ କରିଥିବା ସ୍ପେନୀୟ ମା ଜେମା ମଧ୍ୟ ଆସିଛନ୍ତି ସାଙ୍ଗରେ। 

Advertisment

ଭୁବନେଶ୍ବରରେ ପହଞ୍ଚିବା ପରେ ସ୍ନେହା ଓ ସ୍ପେନୀୟ ମା ପହଞ୍ଚିଛନ୍ତି ରମାଦେବୀ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପିକା ସ୍ନେହସୁଧା ମିଶ୍ରଙ୍କ ନିକଟରେ। ଅନର୍ଗଳ ଇଂରାଜୀ କହୁଥିବା ସ୍ନେହାର ଆବେଗଭରା କଥାକୁ ବୁଝିପାରିଛନ୍ତି ଅଧ୍ୟାପିକା ଶ୍ରୀମତୀ ମିଶ୍ର। ସବୁ କଥା ଶୁଣିବା ଅଧ୍ୟାପିକା ଶ୍ରୀମତୀ ମିଶ୍ର ମଧ୍ୟ ଭାବବିହ୍ବଳ ହୋଇପଡ଼ିଛନ୍ତି। ରକ୍ତର ଆକର୍ଷଣ ସ୍ନେହାକୁ ଭାରତ ଭିଡ଼ି ଆଣିଛି, ଯାହା ସ୍ବାଭାବିକ। କିନ୍ତୁ କେତେ ଉଦାର ସେହି ସ୍ପେନୀୟ ମହିଳା ଜେମା। ସେ ବି ଝିଅ ସ୍ନେହାର ମନ କଥା ରଖିବାକୁ ପ୍ରଚୁର ଅର୍ଥ ବ୍ୟୟ କରି ଧାଇଁଆସିଛନ୍ତି ଭୁବନେଶ୍ବର। ଅଧ୍ୟାପିକା ଶ୍ରୀମତୀ ମିଶ୍ର କମିସନରେଟ୍‌ ପୁଲିସର ସହଯୋଗ ଲୋଡ଼ିଛନ୍ତି। ବାପାମାଙ୍କ ସନ୍ଧାନ ପାଇବାକୁ ଇନ୍‌ସ୍ପେକ୍ଟର ଅଞ୍ଜଳିଙ୍କୁ କମିସନେରଟ୍‌ ପୁଲିସ ପକ୍ଷରୁ ଦାୟିତ୍ବ ଦିଆଯାଇଛି। ଚାଇଲ୍‌ଡ ଲାଇନ୍‌ରୁ ମିଳିଥିବା ସ୍ନେହାଙ୍କ କାହାଣୀ ଥିଲା ଏମିତି କିଛି। ୨୦୦୪ ମସିହାରେ ନୂଆପଲ୍ଲୀ ଭୋଇସାହି ଅଞ୍ଚଳରେ ଭଡ଼ାରେ ରହୁଥିବା ସନ୍ତୋଷ ଦାସ ଏକ ଘରୋଇ ସଂସ୍ଥାରେ ରୋଷେୟା କାମ କରୁଥିବାବେଳେ ସ୍ତ୍ରୀ ବନଲତା ଥିଲେ ଗୃହିଣୀ। ଚାରିଟି ସନ୍ତାନର ପରିବାର ସ୍ବଳ୍ପ ରୋଜଗାରରେ ବଡ଼ କଷ୍ଟରେ ଚଳୁଥିଲା। ଅଭାବୀ ସଂସାରକୁ ଚଳାଇ ନ ପାରି ଦିନେ ହତ‌ାଶ ସନ୍ତୋଷ ଅନ୍ତର୍ଦ୍ଧାନ ହୋଇଗଲେ। କିଛି ଦିନ ପରେ ବନଲତା ତାଙ୍କ ବଡ଼ପୁଅ ଓ ଝିଅକୁ ନେଇ କେଉଁଆଡ଼େ ଚାଲିଗଲେ। ଭଡ଼ାଘରେ ରହିଗଲେ ସାନଝିଅ ସ୍ନେହ ଓ କୋଳପୋଛା ପୁଅ ସୋମ୍‌। ଘର ମାଲିକ ଓ ନୂଆପଲ୍ଲୀ ଥାନା ପୁଲିସ ସହଯୋଗରେ ଏହି କୋମଳମତି ଶିଶୁଦ୍ବୟ ପହଞ୍ଚିଲେ ରୁଚିକା ଚାଇଲ୍‌ଡ ଲାଇନ୍‌ରେ ଏବଂ ପରେ ପହଞ୍ଚିଗଲେ ସ୍ପେନ୍‌ରେ। ଜୋସ୍‌ ଓ ଜେମା ସେମାନଙ୍କୁ ବହୁ ଯତ୍ନରେ ବଡ଼ କରିଛନ୍ତି। ଜେମାଙ୍କଠାରୁ ପିଲାବେଳର କାହାଣୀ ଶୁଣି ସ୍ନେହାର ମନପ୍ରାଣ ବିକଳ ହୋଇଉଠିଛି। ଥରକ ପାଇଁ ହେଉ ପଛେ ଜନ୍ମକଲା ବାପାମାଙ୍କୁ ଦେଖିବ। ସେଇଥି ପାଇଁ ତ ଭାରତ ଧାଇଁ ଆସିଛି। ଏବେ ଦେଖିବାର ବେଳ ସତରେ କ’ଣ ସ୍ନେହାକୁ ମିଳିବେ ତା’ର ବାପାମା! ପୁଲିସ କ’ଣ ଖୋଜିପାରିବ ସେମାନଙ୍କୁ!