ଭୁବନେଶ୍ବର: ରକ୍ତ ସଂଗ୍ରହ କରୁଥିବା କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବାକୁ ଦାବି କରିଛନ୍ତି ଶାସକ ଦଳର ବରିଷ୍ଠ ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ଶ୍ରୀ ପଟ୍ଟନାୟକ। ସେ କହିଲେ, ଗୃହରେ ରାଜନୈତିକ ତଥା ଦଳୀୟ ମନୋଭାବ ରଖି ବହୁ କଥା ଉଠିସାରିଲାଣି। ଏଠାରେ ମୁଁ ରାଜନୈତିକ କଥା କହୁ ନାହିଁ। ମୁଁ ଯେଉଁ ପ୍ରସଙ୍ଗ ଉଠାଉଛି ତାହା ନା ଗେରୁଆ ନା ସବୁଜ ରଙ୍ଗ। ମୁଁ ନାଲି ରଙ୍ଗ କଥା କହୁଛି, ଯାହା ରକ୍ତର ରଙ୍ଗ। କୌଣସି ପ୍ରକାର ଦଳୀୟ ମନୋଭାବ ନରଖି ତାହାର ବିଚାର କରାଯାଉ। ଦେହ ଖରାପ ହେଲେ ଆମ୍ଭେମାନେ ହସ୍ପିଟାଲ୍ରେ ଭର୍ତ୍ତି ହେଉ। ରକ୍ତ ପାଇଁ କେତେ କାକୁତିମିନତି ହେଉ।
ରକ୍ତର ମୂଲ୍ୟ କେହି ଦେଇପାରିବେ ନାହିଁ। ମୁଁ କିଛି ବର୍ଷ ହେଲା ରକ୍ତଦାନ ଅଭିଯାନ ସହ ସାମିଲ ଅଛି। ମୋ ଦଳ ମଧ୍ୟ ଏହାକୁ ଗୁରୁତ୍ବ ଦେଇଛି। ରକ୍ତଦାତା ଯେତିକି ଗୁରୁତ୍ବପୂର୍ଣ୍ଣ, ରକ୍ତ ସଂଗ୍ରହ କରୁଥିବା ବ୍ୟକ୍ତିଟି ସେତିକି ଗୁରୁତ୍ବପୂର୍ଣ୍ଣ। ଯେଉଁମାନେ ରକ୍ତ ସଂଗ୍ରହ କରୁଛନ୍ତି, ସେମାନଙ୍କୁ ଆମ ସରକାର କିପରି ରଖିଛନ୍ତି? ତାଙ୍କୁ ଯେତିକି ଦରମା ଦିଆଯାଉଛି, ତାହା ଯଥେଷ୍ଟ କି? ସେମାନେ ଦିନରାତି, ଛୁଟିଦିନ ସବୁବେଳେ କାମ କରନ୍ତି। ଏହି ଟେକ୍ନିସିଆନ, କର୍ମଚାରୀମାନଙ୍କୁ ରେଡ୍କ୍ରସରୁ ଆଣି ସରକାର ନିଜ ପାଖରେ ରଖିଲେ। କିନ୍ତୁ ସେମାନଙ୍କ ପେଟପାଟଣା କଥା ଠିକ୍ ଭାବେ ବୁଝାଯାଇନି। ରକ୍ତ ସଂଗ୍ରହକାରୀଙ୍କୁ ସର୍ବନିମ୍ନ ମଜୁରୀ ଦିଆଯିବ ବୋଲି ଏବେ କୁହାଯାଇଛି। କିନ୍ତୁ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ସହ ପ୍ରୋତ୍ସାହନ ରାଶି ଦିଆଯାଉ।