ବ୍ରହ୍ମପୁର : ରକ୍ତଦାନ ମହତ ଦାନ, ଏହାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଜଣେ ଉତ୍ସାହୀ ଯୁବକ। ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ କଟକରୁ ବ୍ରହ୍ମପୁର ଆସି ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ‘ଏବି ‌ନେଗେଟିଭ୍‌’ ଗ୍ରୁପ୍‌ ରକ୍ତ ଦେଇଛନ୍ତି। ଯୁବକ ଜଣକ ହେଉଛନ୍ତି କଟକର ସୁକୁମାର ଜୟଦୀପ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପ୍ରଭାଷିନୀ ସାହୁଙ୍କୁ ‘ଏବି ନେଗେଟିଭ୍‌’ ରକ୍ତ ଦରକାର ପଡ଼ିଥିଲା। ପ୍ରଭାଷିନୀଙ୍କ ସ୍ବାମୀ ଭ୍ରମରବର ସାହୁ ରକ୍ତ ପାଇଁ ବ୍ଲଡ୍‌ ଆର୍ମି ଗ୍ରୁପ୍‌କୁ ଯୋଗାଯୋଗ କରିଥିଲେ। ଗ୍ରୁପ୍‌ର ସଦସ୍ୟ ଶିବ ଓ ବାଲାଜୀ କଟକରେ ରହୁଥିବା ସୁକୁମାରଙ୍କ ସହିତ ଯୋଗାଯୋଗ କରିଥିଲେ। ସୁକୁମାର ରକ୍ତଦାନ କରିବାକୁ ରାଜି ହୋଇଥିଲେ। ଆଜି ସୁକୁମାର କଟକରୁ ବ୍ରହ୍ମପୁର ଆସି ବଡ଼ ଡାକ୍ତରଖାନା ରକ୍ତଭଣ୍ଡାରରେ ରକ୍ତଦାନ କରିଛନ୍ତି। ସୁକୁମାରଙ୍କ ଏହି ମହାନ କାର୍ଯ୍ୟକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି।