ଯୁବ ସ୍ବାଭିମାନ ଦିବସ ଅବସରରେ ୫୪୬୧ ୟୁନିଟ ରକ୍ତ ସ˚ଗ୍ରହ

ରଣଜିତ ଗୁରୁଙ୍କ ସ୍ମୃତିରେ ଉତ୍ସର୍ଗ

ଭୁବନେଶ୍ବର : ‘ଆମ ଓଡ଼ିଶା’ର ଅଧୢକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନ ‘ଯୁବ ସ୍ବାଭିମାନ ଦିବସ’ ଅବସରରେ ସାରା ରାଜ୍ୟରେ ୬୭ଟି ଶିବିରରୁ ମୋଟ୍‌ ୫୪୬୧ୟୁନିଟ ରକ୍ତ ସ˚ଗ୍ରହ ହୋଇଛି। ଚଳିତ ବର୍ଷ ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ପରଲୋକଗତ ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ସ୍ମୃତିରେ ଉତ୍ସର୍ଗ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।

ରାଜ୍ୟରେ ରକ୍ତଦାନ ଅଭିଯାନକୁ ଏକ ନୂଆ ମୋଡ଼ ଦେଇଥିବା ଶ୍ରୀ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରାଜ୍ୟର ସମସ୍ତ ରକ୍ତଭଣ୍ଡାର ସହଯୋଗରେ ସମସ୍ତ ଜିଲ୍ଲାରେ ଏହି ଦିନ ରକ୍ତଦାନ ଶିବିର ଆୟୋଜିତ ହୋଇଆସୁଛି। ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଥିରେ ରକ୍ତ ଦେବାକୁ ଯୁବପିଢ଼ିଙ୍କ ମଧୢରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ପ୍ରତିକୂଳ ପାଗ ସତ୍ତ୍ବେ ସକାଳୁ ବିଳମ୍ବିତ ସ˚ଧୢା ପର୍ଯ୍ୟନ୍ତ ବିଭିନ୍ନ ଶିବିରରେ ରକ୍ତ ସ˚ଗ୍ରହ ହୋଇଛି।

‘ସମ୍ବାଦ’ର ୯ଟି ଜୋନ୍‌ରେ ଦୁଇ ଦିନବ୍ୟାପୀ ୬୭ଟି ଶିବିର କରି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଟକ ଜୋନ୍‌ର ସାରଳା ଭବନ ଶିବିରରେ ସର୍ବାଧିକ ୮୦୩ ୟୁନିଟ ରକ୍ତ ସ˚ଗ୍ରହ ହୋଇଥିବାବେଳେ ଭୁବନେଶ୍ବର ଜୋନ୍‌ର ଖଣ୍ଡପଡ଼ା ଶିବିରରେ ୪୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ସେହିପରି ସମ୍ବଲପୁର ଜୋନ୍‌ର ବେଦାନ୍ତ ଶିବିରରୁ ୩୩୭ ୟୁନିଟ୍‌, ଭୂଷଣ ଷ୍ଟିଲ ପ୍ଲାଣ୍ଟ ଶିବିରରୁ ୨୫୭ ୟୁନିଟ, ବରଗଡ଼ ଜିଲ୍ଲାର ବିକାଶ ଅନୁଷ୍ଠାନ ସମୂହରୁ ୧୬୪ୟୁନିଟ, ବାଲେଶ୍ବର ସମ୍ବାଦ ଭବନରୁ ୧୫୮ୟୁନିଟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଶିବିରରୁ ୧୫୬ ୟୁନିଟ ଓ ବଲାଙ୍ଗୀର ଟାଉନ୍ ହଲ୍ ଶିବିରରୁ ୧୫୨ ୟୁନିଟ ରକ୍ତ ସଂଗ୍ରହ ହୋଇଛି।

ସମ୍ବଲପୁର ଜୋନ୍‌ରେ ସର୍ବାଧିକ ୨୧ଟି ଶିବିରରୁ ୧୭୯୦ ୟୁନିଟ ରକ୍ତ ସ˚ଗ୍ରହ ହୋଇଥିବାବେଳେ କଟକ ଜୋନ୍‌ରେ ୫ଟି ଶିବରରୁ ୧୧୭୧ୟୁନିଟ, ଭୁବନେଶ୍ବର ଜୋନ୍‌ରେ ୭ଟି ଶିବିରରୁ ୭୭୦ ୟୁନିଟ, ବାଲେଶ୍ବର ଜୋନ୍‌ରେ ୧୦ଟି ଶିବିରରୁ ୭୪୨ୟୁନିଟ, ଯାଜପୁର ଜୋନ୍‌ରେ ୬ଟି ଶିବିରରୁ ୧୬୫ ୟୁନିଟ, ଅନୁଗୁଳ ଜୋନ୍‌ରେ ୪ଟି ଶିବିରରୁ ୨୨୭ ୟୁନିଟ, ରାଉରକେଲା ଜୋନ୍‌ରେ ୪ଟି ଶିବିରରୁ ୧୬୮ ୟୁନିଟ, ବ୍ରହ୍ମପୁର ଜୋନ୍‌ରେ ୪ଟି ଶିବିରରୁ ୧୧୬ ୟୁନିଟ, ଜୟପୁର ଜୋନ୍‌ରେ ୬ଟି ଶିବିରରୁ ୩୧୨ୟୁନିଟ ରକ୍ତ ସ˚ଗ୍ରହ ହୋଇଛି।

ରାଜ୍ୟର ସମସ୍ତ ରକ୍ତ ଭଣ୍ତାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବ˚ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର କର୍ମଚାରୀମାନେ ସହଯୋଗ କରିଥିଲେ।ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ମଧୢରେ ‘ଯୁବ ସ୍ବାଭିମାନ ଦିବସ’ରେ ରେକର୍ଡ ସଂଖ୍ୟକ ରକ୍ତ ସ˚ଗୃହୀତ ହେଉଛି।

ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସମସ୍ତ ରକ୍ତଦାତା, ସହଯୋଗୀ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହ ଏହି ସଫଳତାକୁ ସେ ‘ସମ୍ବାଦ’ର ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ସ୍ବର୍ଗତ ରଣଜିତ୍‌ ଗୁରୁଙ୍କ ସ୍ମୃତିରେ ଉତ୍ସର୍ଗ କରିଛନ୍ତି।

ସମ୍ବନ୍ଧିତ ଖବର