ଭୁବନେଶ୍ବର : ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ଆଜି ‘ସମ୍ବାଦ’- ‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ଦିନରେ ରାଜ୍ୟର ୯ଟି ଜୋନ୍‌ରେ ମୋଟ ୪୫ଟି ଶିବିର ଆୟୋଜନ ହୋଇଥିବାବେଳେ ଏଥିରୁ ୧୯୯୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

Advertisment

ସମ୍ବଲପୁର ଜୋନ୍‌ରେ ୧୩ଟି ଶିବିରରେ ସର୍ବାଧିକ ୫୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ଭୁବନେଶ୍ବର ଜୋନ୍‌ରେ ୪ଟି ଶିବିରରେ ୧୫୯ୟୁନିଟ, କଟକରେ ୪ଟି ଶିବିରରେ ୨୩୨ୟୁନିଟ, ରାଉରକେଲାରେ ଦୁଇଟି ଶିବିରରେ ୨୧୭ ୟୁନିଟ, ଜୟପୁରରେ ୪ଟି ଶିବିରରେ ୧୪୯ୟୁନିଟ, ବ୍ରହ୍ମପୁରରେ ୫ଟି ଶିବିରରେ ୧୬୯ୟୁନିଟ, ଅନୁଗୁଳରେ ଦୁଇଟି ଶିବିରରେ ୧୨୨ୟୁନିଟ, ବାଲେଶ୍ବରରେ ୭ଟି ଶିବିରରେ ୨୩୮ୟୁନିଟ, ଯାଜପୁରରେ ୪ଟି ଶିବିରରେ ୧୪୩ୟୁନିଟ ରକ୍ତ ସଂଗ୍ରହ ହୋଇଛି। ରାଉରକେଲା ଜୋନ୍‌ରେ ଜୟ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ, ସୁନ୍ଦରଗଡ଼ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ସର୍ବାଧିକ ୧୧୬ୟୁନିଟ ରକ୍ତ ସଂଗୃହୀତ ହୋଇଛି।

ଆଜିର ରକ୍ତଦାନ ଶିବିରର ସଫଳତା ପାଇଁ ‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସମସ୍ତ ରକ୍ତାଦାତା, ସ୍ବେଚ୍ଛାସେବୀ, ସହଯୋଗୀ ଅନୁଷ୍ଠାନ, ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ସମସ୍ତ ସଦସ୍ୟା ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।