ଓଡ଼ିଶା ମୋ ପରିବାର ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମ : ୧୪,୮୩୯ ୟୁନିଟ୍‌ ସଂଗ୍ରହ, କଟକରୁ ସର୍ବାଧିକ ୧୧୬୬

ଭୁବନେଶ୍ୱର : ‘ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ’ ପକ୍ଷରୁ ଅନୁଷ୍ଠିତ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମରେ ମୋଟ ୧୪ ହଜାର ୮୩୯ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ଗତ ୯ ତାରିଖରୁ ସ୍ବାଧୀନତା ଦିବସ(୧୫ତାରିଖ) ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ସଦର ମହକୁମାରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତ ସଂଗ୍ରହ ହୋଇଥିଲା। ସଂଗୃହୀତ ତଥ୍ୟ ଅନୁସାରେ, କଟକ ସହରରେ ସର୍ବାଧିକ ୧୧୬୬ ୟୁନିଟ୍‌, କଳାହାଣ୍ଡିରେ ୧୦୮୨ ୟୁନିଟ୍‌, ବଲାଙ୍ଗୀରରେ ୧୦୫୨ ୟୁନିଟ୍‌, ମୟୂରଭଂଜରେ ୯୮୭ ୟୁନିଟ୍‌, ବାଲେଶ୍ବରରେ ୮୭୮ ୟୁନିଟ୍‌, କେନ୍ଦୁଝରରେ ୬୫୦ ୟୁନିଟ୍‌, ବରଗଡ଼ରେ ୬୨୭ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଗଂଜାମ ଭଳି ସମ୍ବେଦନଶୀଳ ଅଞ୍ଚଳରୁ ମଧ୍ୟ ୩୫୪ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଓଡ଼ିଶା ମୋ ପରିବାରର ଏହି ମହତ୍‌ କାମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି। ସେ କହିଛନ୍ତି, ଲୋକଙ୍କ ଜୀବନ ବଞ୍ଚାଇବାଠାରୁ ଅଧିକ ପୁଣ୍ୟ ଆଉ କିଛି ନାହିଁ। କୋଭିଡ୍‌ ସଂକଟରେ ରକ୍ତଦାନ ପରି ମହତ୍‌ କାର୍ଯ୍ୟ କରିଥିବା ସମସ୍ତ ଯୁବଗୋଷ୍ଠୀଙ୍କୁ ମୋର ସାଧୁବାଦ।

ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ଦେବୀପ୍ରସାଦ ମିଶ୍ର, ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜନପ୍ରତିନିଧିମାନେ ଉପସ୍ଥିତ ରହି ଏହି ମହତ୍‌ କାର୍ଯ୍ୟକ୍ରକୁ ପ୍ରୋତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର