ଅନ୍ତର୍ଜାତୀୟ ମହିଳା ଦିବସରେ ରକ୍ତଦାନ କଲେ ମହିଳା ଓ ହୋଟେଲ କର୍ମଚାରୀ

ସମ୍ବାଦ ଆମ ଓଡ଼ିଶା ଓ ସ୍ମାଇଲ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ରାଉରକେଲା:  ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମ୍ବାଦ ଆମ ଓଡ଼ିଶା ଓ ବୈଶାଖୀ ହୋଟେଲ(ସ୍ମାଇଲ ଫାଉଣ୍ଡେସନ)ର ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଷ୍ଟେସନ ନିକଟ ହୋଟେଲ ରାଧିକା ରିଜେନ୍ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ହୋଟେଲ ବୈଶାଖୀର ନିର୍ଦେଶକ(ସ୍ମାଇଲ ଫାଉଣ୍ଡେସନ)ର କ୍ଷୀରୋଦ ଚନ୍ଦ୍ର ସାହୁ, ସୁନ୍ଦରଗଡ଼ କିନ୍ନର ଆସୋସିଏସନର ସମ୍ପାଦିକା ଜୟା ତ୍ରିପାଠୀ ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ଅବସରରେ ଜୟା ତ୍ରିପାଠୀ କହିଥିଲେ,  ଆଜି ଭଳି ପବିତ୍ର ଦିନ ଆମେ ସମ୍ବାଦ ସହ ଏପରି ନିଆରା କାର୍ଯ୍ୟକ୍ରମ କରିବାର ସୁଯୋଗ ପାଇଛୁ। କାରଣ ରକ୍ତଦାନ ହେଉଛି ମହତ ଦାନ। ରକ୍ତ ଅଭାବରୁ ଯେମିତି ଅନ୍ୟ କାହାର ଜୀବନ ନ ଯାଉ ଆଜି ଦିନରେ ସଂକଳ୍ପ ନେବା ଦରକାର। ଯୁବପୀଢ଼ି ଓ  ମହିଳାମାନେ ସ୍ବେଚ୍ଛାରେ ରକ୍ତଦାନ କରିବାକୁ ଆଗେଇ ଆସିବାକୁ ସେ ଆହ୍ୱାନ କରିଥିଲେ। ଜୟା ତ୍ରିପାଠୀ ସମ୍ବାଦର ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ରକ୍ତଦାନ କରିବାକୁ ମହିଳାଙ୍କ ଭିତରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ହୋଟେଲର ମହିଳା କର୍ମଚାରୀଙ୍କ ସହ ଅନ୍ୟ କର୍ମଚାରୀମାନେ ରକ୍ତଦାନ କରିଥିଲେ। ‘ସମ୍ବାଦ’ର ମଳୟ ରଞ୍ଜନ ସାହୁ, ସାଗର ମହାପାତ୍ର, ଅଭିନାଶ ଶୁକ୍ଲା ଶିବିର ପରିଚାଳନାରେ ସହାୟତା କରିଥିଲେ। ହୋଟେଲ ରାଧିକାର ଗଣେଶ୍ୱର ସାହୁ, ପ୍ରଦୀପ୍ତ ସାହୁ, ମନୋଜ ମହାରଣା, ରାଜକିଶୋର ସ୍ୱାଇଁ, ସରୋଜ ମୁଦୁଲି, ଅଜିତ ପ୍ରଧାନ, କୀର୍ତ୍ତି କୁମାର ସେଠୀ, ମାତିଲ ଓରାମ, ଗ୍ଲୋରିଆ ବାକ୍ସଲ, ପ୍ରିୟବ୍ରତ ମଲିକ, ରଜନୀକାନ୍ତ ସେଠୀ ପ୍ରମୁଖ ପ୍ରମୁଖ ଶିବିରରେ ରକ୍ତଦାନ କରିବା ସହ ଶିବିରରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର