ଭଞ୍ଜନଗର : ଭଞ୍ଜନଗର ଆମ ପୁଲିସ ସମିତି, ଅଫିସର କ୍ଲବ ଓ ସମ୍ବାଦ-ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଘୁମୁସର କ୍ଲବ ଠାରେ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୧୧ ଜଣ ସ୍ବେଚ୍ଚାକୃତ ଭାବେ ରକ୍ତଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୪୩ଜଣ ପ୍ରଥମ ଥର ପାଇଁ ରକ୍ତଦାନ କରିଛନ୍ତି।
ଗଞ୍ଜାମ ଏଏସ୍ପି ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ରାସ୍ତା ଓ ଗୃହ ବିଭାଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ.ରମେଶ ପ୍ରସାଦ ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି ଶିବିର ଆୟୋଜନ ସଭିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ।
ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ବରେ ଆୟୋଜିତ ଶିବିରରେ ତନରଡା ସ୍ଥିତ ୮ମ ସ୍ପେସିଆଲ ଆଇଆର ବାଟାଲିଅନ କମାଣ୍ଡାଣ୍ଟ ପି.କେ.ଦାସ, ଭଞ୍ଜନଗର ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡା.ପୀତାମ୍ବର ଦାସ, ବିଏସଏନଏଲ ଏସଡିଓ ଗୌରୀ ଶଙ୍କର ମିଶ୍ର, ସ୍ବତନ୍ତ୍ର ଉପକାରାଗାର ଅଧିକ୍ଷକ ସର୍ବେଶ୍ବର ସାହୁ ଓ ଅଗ୍ନିଶମ କେନ୍ଦ୍ର ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ବାଳ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)