ରକ୍ତରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି : ଏସଓଜି ହବରୁ ୨୬୧ ୟୁନିଟ ରକ୍ତ ସଂଗ୍ରହ

କୋରାପୁଟ : ଠିକ ବର୍ଷକ ତଳେ ଆଜିର ଦିନରେ ପୁଲୱମାରେ ଦେଶ ପାଇଁ ଜୀବନ ଦେଇଥିଲେ ୪୦ ବୀର ଯବାନ। ଲଢୁଆ ରକ୍ତରେ ଲାଲ ହୋଇ ଯାଇଥିଲା ଭାରତମାତାର ପଣତକାନି। ଆଉ ଏହି ଦିବସକୁ ରକ୍ତ ଦେଇ ମନେ ପକାଇଛନ୍ତି ଏ ମାଟିର ବୀର ଯବାନ। ଦେହରୁ ରକ୍ତ ନିଗାଡି ସହିଦଙ୍କୁ ଦେଇଛନ୍ତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

କୋରାପୁଟ ଏସଓଜି ତାଲିମ କେନ୍ଦ୍ର ଠାରେ ଆଜି ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏସଓଜି ଏଇଟି ଆଣ୍ଡ ଆରସି ଓ ଆମ ଓଡ଼ିଶାର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରୁ ମୋଟ ୨୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଆଜି ସକାଳେ ଏସଓଜି କମାଣ୍ଡାଣ୍ଟ ଆଶିଷ କୁମାର ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ। ପରେ ପରେ ଯବାନଙ୍କ ଲମ୍ବା ଲାଇନ ଲାଗିଥିଲା ରକ୍ତଦାନ କରିବାକୁ। ଏଠାରେ ଏସଓଜି ତାଲିମ ନେଉଥିବା ଓଡ଼ିଶା ପୁଲିସର ଯବାନ ଓ ବିଏସଏଫ ୧୫୫ ବାଟାଲିୟନର ଯବାନମାନେ ରକ୍ତ ଦେଇ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ରୋଗୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏପରିକି ରକ୍ତଦାନ କରିବାକୁ ଯବାନମାନଙ୍କ ଭିତରେ ଏକ ପ୍ରକାର ପ୍ରତିଯୋଗିତା ସୃଷ୍ଟି ହୋଇଥିଲା। ସ୍ଥିତି ଏମିତି ଥିଲା ଯେ, ୩ ଘଣ୍ଟାରେ ୨୬୧ ୟୁନିଟ ରକ୍ତ ସଂଗ୍ରହ ହୋଇ ଯାଇଥିଲା। ଖୁବ୍ ଖୁସି ଓ ଆନନ୍ଦରେ ଯବାନମାନେ ରକ୍ତ ଦେଇ ଏକ ଉତ୍ସବର ବାତାବରଣ ତିଆରି କରିଥିଲେ। ଏସଓଜି ଓ ବିଏସ୍ଏଫର ବରିଷ୍ଠ ଅଧିକାରୀମାନେ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଦେଶବାସୀଙ୍କୁ ସୁରକ୍ଷା ପାଇଁ ନିଜ ଜୀବନକୁ ସବୁବେଳେ ବାଜିରେ ଲଗାଉଥିବା ଯବାନ ଆଜି ଜୀବନର ଜୟଗାନ କରିବାକୁ ଶପଥ ନେଇଥିଲେ। ଗୁଳି, ବନ୍ଧୁକର ଭିଡ ଭିତରୁ ବାହାରି ସାଧାରଣ ଲୋକ ପାଇଁ ଦରଦୀ ସାଥୀ ପାଲଟି ଯାଇଥିଲେ। କୋରାପୁଟ ପରି ଆଦିବାସୀବହୁଳ ଜିଲ୍ଲାରେ ସବୁବେଳେ ରକ୍ତର ଆବଶ୍ୟକତା ରହିଥିଲାବେଳେ ଏକ୍ଷେତ୍ରରେ ସେମାନେ ଆଗକୁ ଆସି ଏ ମାଟି ପ୍ରତି ସେମାନଙ୍କ ଭଲ ପାଇବାର ପ୍ରମାଣ ଦେଇଥିଲେ। କେତେବେଳେ ମାଓବାଦୀ ତ କେତେବେଳେ ଆତଙ୍କବାଦୀଙ୍କ ସହ ମୁକାବିଲା କରୁଥିବା ଏହି ବୀର ଯବାନମାନେ ରକ୍ତଦାନ କରି ଆମକୁ ଜୀବନ ସହ ଲଢିବାରୁ ମୁକ୍ତି ଦେଇଛନ୍ତି। ଯବାନଙ୍କ ଏମିତି ମହତ କାମକୁ ସବୁ ମହଲରେ ପ୍ରଶଂସା କରାଯାଉଥିଲାବେଳେ ସେମାନଙ୍କ ପାଇଁ କୋରାପୁଟ ଗର୍ବ କରିବାର ସୁଯୋଗ ପାଇଛି। ଏସଓଜି କମାଣ୍ଡାଣ୍ଟ ଆଶିଷ କୁମାର ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲାବେଳେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ନିରଦ କୁମାର ପଲେଇ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଦେବାଶିଷ ମିଶ୍ର, ସର୍ଜେଣ୍ଟ ଲିଙ୍ଗରାଜ ମାଝୀ, ସୁବେଦାର କେ. ରୁଷିକେଶ ବେହେରା, ବିଏସଏଫ କମାଣ୍ଡାଣ୍ଟ ମନିଷ ଚନ୍ଦ୍ରା, ଟୁଆଇସି ତରୁଣ ଯୋଶୀ ପ୍ରମୁଖ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ସମ୍ବାଦ ଓ ଆମ ଓଡ଼ିଶାର ଜିଲ୍ଳା ପ୍ରତିନିଧି ପତିତପାବନ ସାହୁ, ଜୟପୁର ନଗର ପ୍ରତିନିଧି ଶ୍ରୀକାନ୍ତ ସାହୁ ଓ ତରୁଣ ମହାପାତ୍ର ଶିବିର ପରିଚାଳନା କରିଥିଲାବେଳେ କୋରାପୁଟ ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ରକ୍ତଭଣ୍ଡାର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଅବିନାଶ ପାଳ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲାବେଳେ ଭି. ଗଙ୍ଗାଧର, ଟଙ୍କିଆ ବେହେରା, ବିଶ୍ବୟିନୀ ନାୟକ, କବିତା ଚଣ୍ଡ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। କେ.ଜେ. ରୀନା, ରବୀନ୍ଦ୍ର ମିଶ୍ର, କେ.ଏନ. ମୂର୍ତ୍ତି, ସଂଜୟ ସିଂହ, ଭଗବାନ ବୁରୁଡିଙ୍କ ସମେତ ରାମେଶ୍ବରୀ ରାଉତ, ମନସ୍ବିନୀ ଗୌଡ, ସୁରଜ ସାହୁ, ଅମିତୋଶ ସେନାପତି, କୃତ୍ତିବାସ ସାହୁ, ଶୁଭମ ପଟ୍ଟନାୟକ, ପ୍ରିୟଙ୍କା ରାୟ, ନମିତା ବେହେରା ପ୍ରମୁଖ ସହାୟତା କରିଥିଲେ।

ଆମ ଦେଶର ବୀର ଯବାନମାନେ ପୁଲୱାମାରେ ଦେଶ ପାଇଁ ଜୀବନ ଦେଇଦେଲେ। ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଆମ ପାଖରେ କିଛି ନାହିଁ। ତେଣୁ ରକ୍ତଦାନ କରି ଜଣେ ଲୋକର ଜୀବନ ବଂଚାଇବାକୁ ଆମେ ନିଷ୍ପତ୍ତି ନେଇଥିଲୁ। ଏ କ୍ଷେତ୍ରରେ ଏସଓଜି କମାଣ୍ଡୋ ଓ ବିଏସଏଫ ଯବାନମାନେ ଆଗେଇ ଆସିଥିଲେ। ଫଳରେ ଏତେ ବଡ ଶିବିର ସଫଳ ହୋଇ ପାରିଲା। ଆଗକୁ ଏମିତି କାମ କରି ସମାଜର ସେବା ଜାରି ରଖିବୁ ଓ ଲୋକଙ୍କ ଜୀବନ ବଂଚାଇବୁ।
ଆଶିଷ କୁମାର, କମାଣ୍ଡାଣ୍ଟ, ଏସଓଜି, କୋରାପୁଟ

ରକ୍ତଦାନ କ୍ଷେତ୍ରରେ ଯବାନଙ୍କ ଆଗ୍ରହ ଓ ଉତ୍ସାହକୁ ଦେଖି ବହୁତ ଖୁସି ଲାଗୁଛି। ରକ୍ତଦାନରେ ସେମାନେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି। କୋରାପୁଟରେ ମେଡିକାଲ କଲେଜ ହେବା ପରେ ରକ୍ତର ଚାହିଦା ବଢି ଯାଇଥିଲାବେଳେ ଯବାନଙ୍କ ଏମିତି ମହତ କାର୍ଯ୍ୟ ଜିଲ୍ଲାର ଶହ ଶହ ରୋଗୀଙ୍କୁ ନୂଆ ଜୀବନ ଦେବାରେ ସହାୟକ ହୋଇ ପାରିବ। ଆଗକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ରକ୍ତଭଣ୍ଡାର ସମନ୍ବୟ ରକ୍ଷା କରି ରକ୍ତଦାନ ଶିବିର ଆୟୋଜନ କରିବା ଆବଶ୍ୟକ। ଏପରି ହୋଇ ପାରିଲେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଉ ରକ୍ତର ଅଭାବ ରହିବ ନାହିଁ।
ଡାକ୍ତର ରତିକାନ୍ତ ଖଟୁଆ, ରକ୍ତ ଭଣ୍ଡାର ଅଧିକାରୀ, କୋରାପୁଟ

ଦେଶପାଇଁ ଜୀବନକୁ ଉତ୍ସର୍ଗ କରିଥିବା ଯବାନମାନେ ଆଜି ରକ୍ତ ଦେଇ ସେମାନଙ୍କ ସମାଜ ପ୍ରତି ଥିବା ଅଙ୍ଗୀକାରବଦ୍ଧତାର ପ୍ରମାଣ ଦେଇଛନ୍ତି। ଏହା ନିହାତି ସାଧାରଣ ଲୋକଙ୍କୁ ପ୍ରେରଣା ଯୋଗାଇବା ସହ ଅନ୍ୟ ଯବାନଙ୍କୁ ଉତ୍ସାହିତ କରିବ।
ଆର. ରାଜକୁମାର, ଚିଏଚଏମ, ଏସଓଜି

ଏବେ ଆମେ ତାଲିମ ନେଉଛୁ। ଏହି ସମୟରେ ରକ୍ତଦାନ ପରି ପବିତ୍ର କାମ କରିଥିବାରୁ ଆମ ଭବିଷ୍ୟତ ନିଶ୍ଚୟ ସଫଳ ହେବ। ଜଣେ ଲୋକର ଜୀବନ ରକ୍ଷା କରିବାଠାରୁ ବଡ ଖୁସି ବୋଧେ ଆଉ କିଛି ନାହିଁ ବୋଲି ଆମକୁ ଆଜି ଅନୁଭବ ହେଉଛି।
ଘନଶ୍ୟାମ ମାଝୀ, ଏସଓଜି କମାଣ୍ଡୋ

ଜୀବନରେ ପ୍ରଥମ ଥର ପାଇଁ ରକ୍ତଦାନ କରିଥିବାରୁ ଖୁବ ଖୁସି ଲାଗୁଛି। କୋରାପୁଟକୁ ଆସି ଏଠାରେ ରକ୍ତ ଦେଇ ଫେରିଯିବି। ମୋ ରକ୍ତ ଜଣଙ୍କ ଜୀବନ ବଂଚାଇବ ଶୁଣିଲେ ଛାତି ଫୁଲି ଉଠୁଛି। ଦେଶ ପାଇଁ ଜୀବନ ଦେବାକୁ ଆମେ ଶପଥ ନେଇଥିଲାବେଳେ ଆଜି ଜଣେ ଲୋକଙ୍କୁ ଜୀବନ ଦେଇ ପାରିଛୁ।
ମୋତିଲାଲ ବେହେରା, ଏସଓଜି କମାଣ୍ଡୋ

ଓଡ଼ିଶାକୁ କିଛି ଦିନ ହେଲା ଆସିଛୁ। ଆଉ ଆସୁ ଆସୁ ଏଠାରେ ରକ୍ତଦାନ କରିବାର ସୁଯୋଗ ମିଳିଲା। ଏମିତି ମହତ କାମ ସହ ଓଡ଼ିଶା ଆଗମନ ହୋଇଥିବାରୁ ସଫଳତା ମିଳିବ ବୋଲି ଆଶାବାଦୀ ଅଛୁ। ରକ୍ତଦାନ ଦେଶସେବାର ଏକ ବଡ ମାଧ୍ୟମ। ଏହି ସୁଯୋଗ ମିଳିଥିବାରୁ ଆଜି ବେଶ ଖୁସି ଲାଗୁଛି।
ସଂଦୀପ ସିଂହ, ବିଏସଏଫ ଯବାନ

ସମ୍ବନ୍ଧିତ ଖବର