କରୋନା କଟକଣା ପାଇଁ ରକ୍ତଦାନ ଶିବିର ବନ୍ଦ : ବ୍ରହ୍ମପୁର ବଡ଼ମେଡିକାଲ ଭଣ୍ଡାରରେ ରକ୍ତ ଅଭାବ, ରୋଗୀ ହନ୍ତସନ୍ତ

ବ୍ରହ୍ମପୁର : କରୋନା ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବନ୍ଦ। ରକ୍ତଦାତା ମଧ୍ୟ ଆସୁନାହାନ୍ତି। ଏଣୁ ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତଭଣ୍ଡାର ସମେତ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଭଞ୍ଜନଗର ରକ୍ତଭଣ୍ଡାରରେ ବିଭିନ୍ନ ଗ୍ରୁପ୍‌ର ରକ୍ତ ଅଭାବ ଦେଖାଦେଇଛି। କରୋନା ଭୂତାଣୁ ଯୋଗୁଁ ଚାରିଆଡ଼େ ଭୟର ବାତାବରଣ। ଆବଶ୍ୟକ ସଚେତନତା ଦ୍ବାରା କରୋନା ସଂକ୍ରମଣ ଆଶଙ୍କାରୁ ନିଜକୁ ରକ୍ଷା କରାଯାଇ ପାରିବ ବୋଲି କୁହାଯାଉଛି। ଜନଗହିଳପୂର୍ଣ୍ଣ ସ୍ଥାନକୁ ନ ଯିବା ସହିତ ସଭା, ସମିତି, କାର୍ଯ୍ୟକ୍ରମ ବାତିଲ କରାଯାଇଛି। ସେହି ନିର୍ଦ୍ଦେଶ ଅନୁସାରେ ରକ୍ତଦାନ ଶିବିରକୁ ମଧ୍ୟ ବନ୍ଦ କରାଯାଇଛି। ରକ୍ତଦାନ ଶିବିର ବନ୍ଦ ରହିଥିବାରୁ ବଡ଼ ଡାକ୍ତରଖାନା ପରିସରରେ ଥିବା ଦକ୍ଷିଣ ଓଡ଼ିଶାର ସର୍ବବୃହତ ରକ୍ତଭଣ୍ଡାରରେ ରକ୍ତ ଅଭାବ ସମସ୍ୟା ଗୁରୁତର ରୂପ ନେଇଛି। ଫଳରେ ରୋଗୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। କିଛି ନିର୍ଦ୍ଦିଷ୍ଟ ଗ୍ରୁପ୍‌ର ରକ୍ତ ଆଦୌ ନାହିଁ। ସାଧାରଣ ଓ-ପଜିଟିଭ୍‌ ଗ୍ରୁପ୍‌ ସଂଖ୍ୟା ୩୦ୟୁନିଟ୍‌କୁ ଖସି ଯାଇଛି। ଯାହାକି ଚିନ୍ତାର କାରଣ ହୋଇଛି। ଅନ୍ୟପଟେ ଭଣ୍ଡାରରୁ ପ୍ରାୟ ୧ହଜାର ପାଖାପାଖି ଥାଲାସେମିଆ, ହିମୋଫିଲିଆ, ଏଚ୍‌ଆଇଭି ଆକ୍ରାନ୍ତ ରୋଗୀଙ୍କୁ ମାଗଣାରେ ରକ୍ତ ପ୍ରଦାନ କରାଯାଉଛି। ରକ୍ତ ଅଭାବ ପରିଲକ୍ଷିତ ହୋଇଥିବା ବେଳେ ଏହି ରୋଗୀମାନେ ରକ୍ତ କିପରି ପାଇବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସାଧାରଣତଃ ଖରାଦିନ ଆସିଲେ ରକ୍ତ ଅଭାବ ଦେଖା ଦେଇଥାଏ। ଖରାଦିନରେ ଶିବିର ସଂଖ୍ୟା କମିବାରୁ ଏଭଳି ସମସ୍ୟା ହୋଇଥାଏ। ଏପ୍ରିଲ ଶେଷ ସପ୍ତାହ ଓ ମେ ପ୍ରଥମ ସପ୍ତାହରେ ରକ୍ତ ଅଭାବ ସମସ୍ୟା ଜଟିଳ ହୋଇଥାଏ। ଖରାଦିନରେ ରକ୍ତଦାନ କରିବାକୁ ଲୋକ ଆଗ୍ରହ ପ୍ରକାଶ କରୁ ନଥିବାରୁ ରକ୍ତ ସଂଗ୍ରହ କମିଯାଏ। ଏବେ କରୋନା ଯୋଗୁଁ ରକ୍ତଦାନ ଶିବିରକୁ ବାତିଲ କରାଯାଇଛି। ଗତ ୧୬ତାରିଖରୁ ଆଉ ରକ୍ତଦାନ ଶିବିର ହେଉ ନାହିଁ। ରକ୍ତ ଭଣ୍ଡାରରେ ଗଚ୍ଛିତ ଥିବା ରକ୍ତ ଦିନକୁ ଦିନ ସରିବାକୁ ବସୁଥିବା ବେଳେ ନୂଆ ରକ୍ତ ସଂଗ୍ରହ ହେଉ ନାହିଁ। କିଛି ସ୍ବେଚ୍ଛାସେବୀ ରକ୍ତଭଣ୍ଡାରରେ ପହଞ୍ଚି ରକ୍ତଦାନ କରୁଛନ୍ତି। କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ଅନ୍ୟପଟେ ରକ୍ତଭଣ୍ଡାରକୁ ମିଳିଥିବା ପ୍ରାୟ ୬୮ ଲକ୍ଷ ଟଙ୍କାର ମୋବାଇଲ୍‌ ଭ୍ୟାନ୍‌ ବଡ଼ ଡାକ୍ତରଖାନା ପରିସରରେ ପଡ଼ିରହି ଖତ ଖାଉଛି। ତାହା ରକ୍ତ ସଂଗ୍ରହ ପାଇଁ ବୁଲାଯାଉ ନାହିଁ। ବିଭିନ୍ନ ଅଞ୍ଚଳ ବୁଲି ଏହି ଭ୍ୟାନ୍‌ ଜରିଆରେ ରକ୍ତ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁଁ ଭ୍ୟାନ୍‌ ବୁଲୁ ନାହିଁ। ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଶିବିର ବନ୍ଦ ରଖିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏ ସମ୍ପର୍କରେ ବିଭାଗୀୟ ମୁଖ୍ୟ ପ୍ରଫେସର ରବି ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଶିବିର ବନ୍ଦ କରାଯାଇଛି। ଯେଉଁମାନେ ରକ୍ତଦାନ କରିବାକୁ ଚାହୁଁଛନ୍ତି, ସେମାନେ ରକ୍ତଭଣ୍ଡାରରେ ପହଞ୍ଚି ରକ୍ତଦାନ କରି ପାରିବେ। ରକ୍ତଦାତାଙ୍କ ପାଇଁ ସେଠାରେ ସମସ୍ତ ପ୍ରକାର ସୁବିଧା କରାଯାଇଛି। ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁଁ ଭ୍ୟାନ୍‌ ବୁଲି ପାରୁ ନାହିଁ। କର୍ମଚାରୀ ନିଯୁକ୍ତ ହେଲେ ମୋବାଇଲ୍‌ ଭ୍ୟାନ୍‌ ବୁଲିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର