ଜୟପୁର: ଏକର କି ମାଣେ ନୁହେଁ, ପୂରା ୧୮ ଏକର ଜମିର ମାଲିକ। ଜୀବନରେ ଅଭାବ କ’ଣ ଜାଣି ନ ଥିଲେ। ହେଲେ ବାର୍ଦ୍ଧକ୍ୟରେ ସମ୍ପତ୍ତି ଲୋଭରେ ପୁଅ ଓ ନାତି ମାଡ଼ ମାରି ଘରୁ ବାହାର କରି ଦେଇଛନ୍ତି। ସାହାରା ପାଇଁ ବାରଦୁଆର ହେବା ପରେ ଶେଷରେ ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବୈପାରିଗୁଡ଼ା ବ୍ଲକ୍ କେରାପୁଟ ଗାଁର ଦମ୍ପତି ମାଧବ ଦିଶାରୀ ଓ ଲକ୍ଷ୍ମୀ ଦିଶାରୀ। ନ୍ୟାୟ ପାଇଁ ଗତ ଏକ ବର୍ଷ ଧରି ସଂଘର୍ଷ କରୁଛନ୍ତି ମାଧବ ଓ ଲକ୍ଷ୍ମୀ। ଉଭୟଙ୍କ ବୟସ ୭୦ ଟପିଲାଣି। କେରାପୁଟ ଗାଁରେ ଘର ସହିତ ୬ ଏକର କାଜୁ ବଗିଚା, ୭ ଏକର ଡଙ୍ଗର ଜମି ଓ ୫ ଏକର ଚାଷ ଜମି ରହିଛି। ମାଧବ ପତ୍ନୀ ଲକ୍ଷ୍ମୀଙ୍କ ସମେତ ତିନି ପୁଅ, ଦୁଇ ଝିଅଙ୍କ ସହ ହସଖୁସିରେ ଜୀବନ କାଟୁଥିଲେ।
ବୃଦ୍ଧାବସ୍ଥା ଆସିବା ପରେ ତିନି ପୁଅଙ୍କୁ ସମ୍ପତ୍ତି ବାଣ୍ଟି ଦେବା ସହ ନିଜ ନାଁରେ କିଛି ସମ୍ପତ୍ତି ଓ ଘର ରଖିଥିଲେ। ବଡ଼ ପୁଅର ଅକାଳ ବିୟୋଗ ପରେ ଦ୍ବିତୀୟ ପୁଅ ଦୈତାରୀ ଦିଶାରୀ ଓ ନାତି ସାଗର ମଦ୍ୟପାନ କରି ଅନ୍ୟ ସମ୍ପତ୍ତି ପାଇଁ ଝଗଡ଼ା କରିଥିଲେ। ଧୀରେ ଧୀରେ ସବୁ ଜମି ଛଡ଼ାଇ ନେଇଗଲେ। ବର୍ଷକ ତଳେ ମାଧବ ଓ ଲକ୍ଷ୍ମୀଙ୍କୁ ପୁଅ ଦୈତାରୀ ଘରୁ ତଡ଼ି ଦେଇଥିଲେ। ଏ ନେଇ ବୈପାରିଗୁଡ଼ା ଥାନାର ଦ୍ବାରସ୍ଥ ହୋଇଥିଲେ ଦମ୍ପତି। ପୁଲିସ ମଧ୍ୟସ୍ଥିରେ ସାମୟିକ ଭାବେ ସମସ୍ୟାର ସମାଧାନ ହୋଇଥିଲା। କିନ୍ତୁ ଦୈତାରୀ ପୁଣି ଘର ଓ ଜମି ଛଡ଼ାଇନେବା ପରେ ସ୍ଥାୟୀ ସମାଧାନ ପାଇଁ ଦମ୍ପତି ତହସିଲଦାର ଓ ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ। ହେଲେ କୌଣସି ସୁଫଳ ମିଳିଲାନି। ରହିବା ପାଇଁ ଘର ନଥିବାରୁ କିଛି ଦିନ ବାହାରେ ଏବଂ କିଛି ଦିନ ବିବାହ କରିଥିବା ଝିଅଙ୍କ ଘରେ ରହୁଛନ୍ତି। ବେଶୀ କିଛି ନ ହେଲେ ନାହିଁ, ମୁଣ୍ଡ ଗୁଞ୍ଜିବାକୁ ଘର ଓ ଚଳିବା ପାଇଁ କିଛି ଜମି ଫେରାଇ ଦେବାକୁ ମାଧବ ଗୁହାରି କରିଛନ୍ତି। ନ୍ୟାୟ ପ୍ରଦାନରେ ବିଳମ୍ବ ହେଉଥିବାରୁ ଏହି ବୃଦ୍ଧ ଦମ୍ପତି ଭାରି କଲବଲ ହେଉଛନ୍ତି।