ପର୍ଜଙ୍ଗ: ବର୍ଷର ପ୍ରଥମ ଦିନରେ ଗାଁ ଦାଣ୍ଡ ହୋଇଛି ରକ୍ତରଞ୍ଜିତ। କେଉଁଠି କଟା ହାତ, ଗୋଡ଼, ପାପୁଲି ପଡ଼ିଛି ତ କେଉଁଠି କଟା ମୁଣ୍ଡ ଗଡ଼ୁଛି। ନୂଆବର୍ଷ ସବୁଠି ଉତ୍ସାହ ଭରିଥିଲା ବେଳେ ପର୍ଜଙ୍ଗ ଥାନା ବସୋଇ ଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାରୁ ଗାଁର ରାକେଶ ସେଠୀ (୨୮)ଙ୍କୁ ସେହି ଗ୍ରାମର ସରୋଜ ବିଶ୍ବାଳ ଓରଫ ମକୁ (୩୫) ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରାକେଶଙ୍କୁ ପ୍ରଥମେ ପିଟିପିଟି ହତ୍ୟା କରିବା ପରେ ଶବକୁ ଟାଙ୍ଗିଆରେ ଖଣ୍ଡ ଖଣ୍ଡ କରି ଗାଁ ଦାଣ୍ଡ ସାରା ଫିଙ୍ଗିଥିଲା ଅଭିଯୁକ୍ତ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ମକୁ ସେଠାରୁ ଫେରାର ହୋଇଯାଇଛି। ମୃତ ରାକେଶ ଜଣେ ଟ୍ରାକ୍ଟର ଚାଳକ। ୩ ମାସ ତଳେ ଦୁର୍ଘଟଣାରେ ଆହତ ହୋଇ ସେ ଘରେ ରହିଥିଲେ। ଆଜି ସକାଳ ପ୍ରାୟ ୧୦ଟା ବେଳେ ସେ ଚିକେନ୍‌ ଆଣିବାକୁ ସାଇକଲ୍‌ରେ ଯିବାବେଳେ ଗାଁ ମଝିରେ ଥିବା ପଣାଖୁଣ୍ଟ ଚଉପାଢ଼ି ପାଖରେ ହଠାତ୍ ମକୁ ତାଙ୍କୁ ଆକ୍ରମଣ କରିଥିଲା। ରାକେଶ ତଳେ ପଡ଼ିଯିବାରୁ ମକୁ ତାଙ୍କୁ ପିଟିପିଟି ହତ୍ୟା କରିଥିଲା। ପରେ ମୃତଦେହକୁ ଘୋଷାରି କୋଠଘର ପାଖକୁ ନେଇଥିଲା। ସେଠାରେ ଏକ ଟାଙ୍ଗିଆରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲା। ମୁଣ୍ଡକୁ ଦାଣ୍ଡ ମଝିରେ ଫିଙ୍ଗିବା ସହ ଗୋଡ଼, ହାତ, ପାପୁଲି, ଅନ୍ତବୁଜୁଳାକୁ କାଟି ଗାଁ ଦାଣ୍ଡ ସାରା ଫିଙ୍ଗିଥିଲା ଅଭିଯୁକ୍ତ। ଏପରିକି କଟା ଗୋଡ଼ ଓ ପାପୁଲିକୁ ମୃତକଙ୍କ ଘର ଗଳି ଆଡ଼କୁ ଫିଙ୍ଗିଥିଲା। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। 

Advertisment

ମୃତକଙ୍କ ପତ୍ନୀ ସୁଭଦ୍ରା କହିଛନ୍ତି, ରାକେଶଙ୍କୁ ମକୁ ପିଟୁଥିବା ତାଙ୍କ ବଡ଼ପୁଅ ଆସି ଜଣାଇଥିଲା। ମାଆ, ପୁଅ ଘଟଣାସ୍ଥଳକୁ ଯିବାରୁ ମକୁ ଆହୁରି ରକ୍ତମୁଖା ହୋଇଥିଲା। ସୁଭଦ୍ରାଙ୍କ ସମେତ ତାଙ୍କ ୯ବର୍ଷର ପୁଅକୁ ପିଟିବା ସହ ଘଟଣାସ୍ଥଳରୁ ପଳାଇଯିବାକୁ ଧମକାଇଥିଲା। ପୁଅର ଜୀବନ ବଞ୍ଚାଇବାକୁ ବାଧ୍ୟ ହୋଇ ସୁଭଦ୍ର‌ା ସେଠାରୁ ଚାଲି ଆସି ଘରେ ଲୁଚି ଯାଇଥିଲେ। କିଛି ସମୟ ପରେ ଦେଖିଲା ବେଳକୁ ରାକେଶର ଶବକୁ ଖଣ୍ଡ ଖଣ୍ଡ କରି ହାଣି ଅଭିଯୁକ୍ତ ଦାଣ୍ଡ ସାରା ଫିଙ୍ଗିଥିଲା। ଅନ୍ୟପଟେ ଏହି ଘଟଣାକୁ ନେଇ ଗାଁରେ କୋକୁଆ ଭୟ ଖେଳି ଯାଇଛି। ଭୟ‌ରେ କେହି ବାହାରକୁ ବାହାରୁ ନାହାନ୍ତି। ପର୍ଜଙ୍ଗ ଥାନାଧିକାରୀ ପ୍ରିୟବ୍ରତ ଦାସ, କାମାକ୍ଷାନଗର ଏସ୍‌ଡିପିଓ ଜ୍ଞାନରଞ୍ଜନ ମିଶ୍ର ସଦଳବଳେ ଗାଁରେ ପହଞ୍ଚିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସନ୍ଧ୍ୟାରେ ଏସ୍‌ପି ଅଭିନବ ସୋନକର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ପୁଲିସ ପହଞ୍ଚିଲା ବେଳକୁ ଅଭିଯୁକ୍ତ ମକୁ ଫେରାର ହୋଇ ଯାଇଥିଲା। ପୁଲିସ ଖଣ୍ଡ ବିଖଣ୍ଡିତ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ଏଥିସହ ଅଭିଯୁକ୍ତକୁ ଧରିବା ଲାଗି ଏସ୍‌ପିଙ୍କ ନି‌ର୍ଦ୍ଦେଶକ୍ରମେ ଟିମ୍‌ ଗଠିତ ହୋଇଛି। ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ କହିଛି।

ଫୁଟିଲା ଗୁଳି, ବୁଲିଲା ଖଣ୍ଡା, ବାପା-ପୁଅଙ୍କ ସମେତ ୫ ଆହତ

ଗଞ୍ଜାମ/ବ୍ରହ୍ମପୁର: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଚାରିଆଡ଼େ ଉତ୍ସବର ମାହୋଲ ଥିଲା। ଏହି ସମୟରେ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ ଓ ରମ୍ଭା ଥାନା ଅଧୀନ ଡମୁଣି ଓଡିଆର୍‌ପି କଲୋନିରେ କିଛି ଦୁର୍ବୃତ୍ତ ଆତଙ୍କରାଜ ଖେଳାଇଥିଲେ। ଗୁଳିମାଡ଼ କରିବା ସହିତ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଭୁଜାଲିରେ ହାଣିଥିଲେ। ଏହି ଘଟଣାରେ ଓଡିଆର୍‌ପି କଲୋନିରେ ରହୁଥିବା ବାପା ପୁଅଙ୍କ ସମେତ ୫ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ମାଧବ ନାହକ ଓ ତାଙ୍କ ଦୁଇ ପୁଅ ଚନ୍ଦନ ନାହକ, ମୋହନ ନାହକ, ଜ୍ବାଇଁପୁଅ ବସନ୍ତ ପରିଡ଼ା ଓ ଅଜୟ ବେହେରା। ଅଜୟଙ୍କ ପିଠିରେ ଗୁଳି ବାଜିଥିବା ବେଳେ ବସନ୍ତଙ୍କୁ ମଧ୍ୟ ଗୁଳି ମାଡ଼ ହୋଇଛି। ଅନ୍ୟମାନେ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଆହତ ହୋଇଛନ୍ତି। ଆହତଙ୍କୁ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଆଜି ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ, ରମ୍ଭା ଥାନା ଅଧିକାରୀ ସତ୍ୟବ୍ରତ ଭୁତିଆ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏଭଳି ଆକ୍ରମଣ ଘଟିଥିବା କୁହାଯାଉଛି। କିନ୍ତୁ ପୁଲିସ ଏ ଦିଗରେ କିଛି ସ୍ପଷ୍ଟ କରୁ ନାହିଁ। ରମ୍ଭା ଥାନା ପୁଲିସ ଦୁଇଜଣଙ୍କୁ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, କୋଦଳା ଅଞ୍ଚଳର ଜଣେ ଯୁବକ ଜନୈକା ଯୁବତୀଙ୍କୁ ନିଜ ପିଉସୀ ନାନିଙ୍କ ଝିଅ ବୋଲି କହି ଗତ ୩ମାସ ହେଲା ଓଡିଆର୍‌ପି କଲୋନିରେ ଏକ ଘର ଭଡ଼ା ନେଇ ରହି ଆସୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ସେହିପରି କୋଦଳା ଅଞ୍ଚଳର ଆଉ ଜଣେ ଯୁବକ ମଧ୍ୟ ସମ୍ପୃକ୍ତ ଯୁବତୀଙ୍କୁ ଭଲ ପାଉଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ପ୍ରେମୀଯୁଗଳ ଓଡିଆର୍‌ପି କଲୋନିର ଭଡ଼ାଘରେ ଥିଲେ। ଏହି ସମୟରେ ପ୍ରାୟ ୮ଜଣ ଦୁର୍ବୃତ୍ତ ୪ଟି ବାଇକ୍‌ରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ପ୍ରେମୀଯୁଗଳ ରହୁଥିବା ଘର କବାଟ ବାଡ଼େଇଥିଲେ। ପ୍ରେମିକ କବାଟ ଖୋଲିବାରୁ ଜଣେ ଯୁବକ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇଥିଲେ। ଏଥିରେ ‌ଭୟଭୀତ ହୋଇ ସେ ଘର ବାରିପଟେ ଧାଇଁ ପଳାଇଥିଲେ। ଏହା ଦେଖି ଯୁବକମାନେ ଗୁଳି ଫୁଟାଇଥିଲେ। ପ୍ରେମିକକୁ ଖୋଜାଖୋଜି କରି ନ ପାଇବାରୁ ଦୁର୍ବୃତ୍ତମାନେ ଗାଁ ଦାଣ୍ଡରେ  ଲୋକଙ୍କ ଘରକୁ ପଥର ମାଡ଼ କରିବା ସହିତ ଫାଙ୍କା ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଥିଲେ। ଗୁଳି ଶବ୍ଦ ଶୁଣି ନିକଟରେ ଥିବା ଠାକୁରାଣୀ ମନ୍ଦିରରେ ଜିରୋ ନାଇଟ୍‌ ଭୋଜି କରୁଥିବା କିଛି ଲୋକ ସେଠାକୁ ଯାଇଥିଲେ। ‌ଏହା ଦେଖି ଦୁର୍ବୃତ୍ତମାନେ ତାଙ୍କ ଆଡ଼କୁ ଲକ୍ଷ୍ୟ କରି ଗୁଳି ଚଳାଇବା ସହିତ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ବାପ, ଦୁଇ ପୁଅଙ୍କ ସମେତ ୫ଜଣ ଆହତ ହୋଇଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚିବା‌ରୁ ୬ଜଣ ଦୁର୍ବୃତ୍ତ ସେଠାରୁ ଚମ୍ପଟ ମାରିଥିବା ବେଳେ ୨ଜଣଙ୍କୁ ପୁଲିସ କାବୁ କରି ନେଇଛି। ଏ ନେଇ ରମ୍ଭା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।