ବରଗଡ଼ରେ ରକ୍ତ ବେପାର, କାର୍ଯ୍ୟାନୁଷ୍ଠାନ ଦାବି କଲା ‘ଫର୍‌’

ବରଗଡ଼ : ବରଗଡ଼ ଜିଲ୍ଲାରେ ରକ୍ତକୁ ନେଇ ବେପାର ଚାଲିଛି। ରକ୍ତ ୟୁନିଟ୍‌କୁ ଚଢ଼ା ଦରରେ ବିକ୍ରି କରାଯାଇ ମାସିକ ଲକ୍ଷାଧିକ ଟଙ୍କା ଲାଭ ଉଠାଯାଉଛି। ଏପରିକି ପର୍ଯ୍ୟାପ୍ତ ରକ୍ତ ୟୁନିଟ୍‌ ଗଚ୍ଛିତ ରଖିବା ପାଇଁ କିଛି ମୁଷ୍ଟିମେୟ ନେତା ଏବଂ ସଂଗଠନକୁ ହାତେଇ ଏକ ଘରୋଇ କ୍ଲିନିକ୍‌ ମୁନାଫା ପାଉଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଫର୍‌’ ଏକ ଗୁରୁତର ଅଭିଯୋଗ ଆଣିଛି।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁ‌ଷ୍ଠାନର ଅଧ୍ୟକ୍ଷ ଇଂ. ଦେବବ୍ରତ ମିଶ୍ର ଅଭିଯୋଗ ଆଣିଛନ୍ତି ଯେ, ବର୍ତମାନ ଦୀର୍ଘ ବର୍ଷ ହେଲା ଉଦ୍‌ଘାଟନ ହୋଇଥିଲେ ହେଁ ସରକାରୀ ଡାକ୍ତରଖାନାରେ ରକ୍ତ ବର୍ଗୀକରଣ ୟୁନିଟ୍‌ କାର୍ଯ୍ୟକ୍ଷମ ହୋଇନାହିଁ। ଜିଲ୍ଲାରେ ଏକମାତ୍ର ନର୍ସିଂହୋମ୍‌ରେ କିନ୍ତୁ ଏଭଳି ଏକ ୟୁନିଟ୍‌ କାର୍ଯ୍ୟ କରୁଛି। ହେଲେ ରୋଗୀ ପରିଜନଙ୍କ ଠାରୁ ରକ୍ତ ଏବଂ ବର୍ଗୀକରଣ ରକ୍ତ ଉପାଦାନ ପାଇଁ ବହୁ ଗୁଣା ଟଙ୍କା ଆଦାୟ ହେଉଛି। ରକ୍ତ ଗଚ୍ଛିତ ରଖିବାକୁ ବିଭିନ୍ନ ସଂଗଠନ ଜରିଆରେ ରକ୍ତଦାନର ସାହାରା ନିଆଯାଉଛି। ସରକାରୀ ଡାକ୍ତରଖାନାରେ ନିର୍ଦ୍ଧାରିତ ନିୟମ ଏବଂ ମୂଲ୍ୟରେ ରୋଗୀଙ୍କୁ ରକ୍ତ ମିଳୁଛି। ଅଥଚ ଘରୋଇ ନର୍ସିଂହୋମ୍‌ରେ ଶୋଷଣ କରାଯାଉଛି। ତେଣୁ ଅର୍ଥଲାଳସାରେ ହେଉଥିବା ରକ୍ତଦାନ ଶିବିର ଆୟୋଜନ ବନ୍ଦ କରିବାକୁ ଇଂ. ମିଶ୍ର ଦୃଢ଼ ଦାବି କରିଛନ୍ତି। ଏହାବାଦ ସରକାରୀ ଡାକ୍ତରଖାନାରେ ରକ୍ତବର୍ଗୀକରଣ ୟୁନିଟ୍‌ କାର୍ଯ୍ୟକ୍ଷମ କରିବା ସହ ଡ୍ରଗ୍‌ ଇନ୍‌ସପେକ୍ଟର କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଶେଖ ନଜିମୁଦ୍ଦିନ, ଭୀଷ୍ମଦେବ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର