ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ବମିଖାଲ୍‌ ବ୍ରିଜ୍ ତଳୁ ରକ୍ତାକ୍ତ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ସନ୍ଦେହଜନକ ଅବସ୍ଥାରେ ବମିଖାଲ ବ୍ରିଜ୍‌ ତଳୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହକୁ ଲକ୍ଷ୍ମୀସାଗର ଥାନା ପୁଲିସ ଉଦ୍ଧାର କରିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ତାଙ୍କର କୌଣସି ପରିଚୟ ମିଳିନାହିଁ। କୌଣସି ଅଜଣା ଗାଡ଼ି ଧକ୍କାରେ ଯୁବକର ମୃତ୍ୟୁ ଘଟିଛି ନା କେହି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଏଭଳି ଫୋପାଡ଼ି ଚାଲିଯାଇଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଯୁବକ ଜଣଙ୍କ ବମିଖାଲ୍‌ ଓଭରବ୍ରିଜ୍‌ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ଲୋକ ପୁଲିସକୁ ଜଣାଇଥିଲେ। ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲା। ତେବ‌େ ଯୁବକ ତଳେ ପଡ଼ିଥିବା ବେଳେ ତାଙ୍କ ବାଇକ୍‌ଟି ବ୍ରିଜ୍ ଉପରେ ପଡ଼ି ରହିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ଅନୁମାନ କରିଥିଲା ଯେ, ଯୁବକ ଜଣଙ୍କ ବାଇକ୍‌ରେ ଓଭରବ୍ରିଜ୍‌ରେ ଯାଉଥିବା ସମୟରେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିବାରୁ ସେ ବାଇକ୍‌ରୁ ବାହାରି ବ୍ରିଜ୍‌ ତଳେ ପଡ଼ିଯାଇଥିଲେ। ହେଲେ ପୁଲିସ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ ନକରି ଅପମୃତ୍ୟୁ ମାମଲା ରୁଜୁ କରିଛି। ପରିଚୟ ମିଳିବା ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର