ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ଗୁଦୁରାମୁଣ୍ଡା ଗ୍ରାମରେ ମଦଭାଟି ଠିକାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଗାଁ’ରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିବାରୁ ପୁଲିସ୍ ମୁତୟନ କରାଯାଇଛି। ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସୂଚନାନୁସାରେ ଗୁଦୁରାମୁଣ୍ଡା ଗ୍ରାମର ମଦଭାଟି ଠିକା ପ୍ରାୟ ବର୍ଷେ ହେବ ବରପାଲି ବ୍ଲକ୍ କନବାର ଗ୍ରାମର ମହେଶ୍ୱର ବେହେରା (୩୦) ନେଇଛନ୍ତି। ତେବେ ଗତକାଲି ନୂଆ ଠିକା ପାଇଁ ଗାଁ’ରେ ଏକ ସଭା ହୋଇଥିଲା। ସେଥିରେ ମହେଶ୍ବରଙ୍କ ସହ ତାଙ୍କ ଦୁଇଭାଇ ଟିକେଶ୍ବର ଓ ଲୋକେଶ୍ବର ସଭାସ୍ଥଳରେ ପହଞ୍ଚିଥିଲେ। ସେହି ସମୟରେ ଗାଁ’ର ଗଣ୍ଡାପଡ଼ାର ବାହାଦୁଲ ଛତ୍ରିଆ ଓ ତାଙ୍କ ପୁଅମାନେ ସଭାସ୍ଥଳରେ ପହଞ୍ଚି ଗଣ୍ଡଗୋଳ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।
ପୂର୍ବରୁ ଏହି ଠିକାକୁ ନେଇ ମହେଶ୍ୱରଙ୍କ ଉପରେ ବାହାଦୁଲ ରାଗ ରଖିଥିଲେ। ସଭା ସରିଲା ପରେ ମହେଶ୍ବର ଦୁଇଭାଇଙ୍କ ସହ କନବାରକୁ ଫେରୁଥିବା ସମୟରେ ବାହାଦୁଲ ଓ ତାଙ୍କ ପୁଅମାନେ ନିଜଘର ସମ୍ମୁଖରେ ସେମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ମହେଶ୍ବରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଉଭୟ ପକ୍ଷର ମାରପିଟ୍ରେ ଟିକେଶ୍ୱର ଓ ବାହାଦୁଲ ଆହତ ହୋଇଥିଲେ। ଗ୍ରାମବାସୀ ସେମାନଙ୍କୁ ଭେଡେନ ଡାକ୍ତରଖାନାକୁ ଆଣିଥିଲେ। ଟିକେଶ୍ବରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବରଗଡ଼ ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଥାନାଧିକାରୀ ପ୍ରେମଜିତ ଦାଶ, ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀ, ଅତିରିକ୍ତ ଏସ୍ପି ଶିବପ୍ରସାଦ ବିଶ୍ୱାଳ, ସୌରଭ ହୋତାଙ୍କ ସହ ପୁଲିସ ଟିମ ଗାଁ’ରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମହେଶ୍ବରଙ୍କ ଭାଇ ଖଗେଶ୍ବର ବେହେରାଙ୍କ ଏତଲା ପରେ ପୁଲିସ୍ ଏକ ମାମଲା ରୁଜୁ କରିଛି। ବାହାଦୁଲ ଦୁଇ ପୁଅ ଓ ପଡ଼ାର କିଛି ଲୋକଙ୍କ ସହ ମିଶି ସେମାନଙ୍କୁ ଆକ୍ରମଣ କରିଥିବା ଖଗେଶ୍ବର ଏତଲାରେ ଦର୍ଶାଇଛନ୍ତି।
ଅଭିଯୋଗ ଆଧାରରେ ଆଜି ପୁଲିସ୍ ମୁଖ୍ୟ ଅଭିଯୁକ୍ତ ବାହାଦୁଲକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇ ଯାଇଛନ୍ତି। ଏହି ଘଟଣା ପରେ ଶନିବାର ଗ୍ରାମବାସୀ ଥାନାରେ ପହଞ୍ଚି ଗଣ୍ଡାପଡ଼ା ଲୋକେ ସବୁବେଳେ ଗାଁ’ରେ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ତେଣୁ ଗାଁ’ରୁ ଗଣ୍ଡାପଡ଼ାକୁ ତୁରନ୍ତ ଉଚ୍ଛେଦ ଓ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସେମାନେ ସକାଳ ୮ରୁ ଦିନ ୨ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଗାଁ’ରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସେହିପରି ଅପରାହ୍ଣ ପ୍ରାୟ ୩ଟା ସମୟରେ ଗଣ୍ଡାପଡ଼ାବାସୀ ଥାନାରେ ପହଞ୍ଚି ଗ୍ରାମବାସୀଙ୍କ ଆକ୍ରମଣ ଭୟ ଥିବାରୁ ପୁଲିସ୍ ସୁରକ୍ଷା ମାଗିଥିଲେ। ଗାଁ’ରେ ଉତ୍ତେଜନା ଲାଗି ରହିଥିବାରୁ ଏକ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/fight-56-1495028470-214293-khaskhabar.jpg)