ବାଲିଅନ୍ତା ବଜାର: ସୋମବାର ବିଳମ୍ୱିତ ରାତିରେ ରକ୍ତରଞ୍ଜିତ ହୋଇଛି ବାଲିଅନ୍ତା ଥାନା ଅନ୍ତର୍ଗତ ଗଡ଼ଭିଙ୍ଗାରପୁର ଗାଁ। ଇଟାଭାଟିକୁ ଚୋରାରେ ମାଟି ଚାଲାଣ କରୁଥିବା ମାଫିଆମାନଙ୍କ ପ୍ରାଣାନ୍ତକ ଆକ୍ରମଣରେ ଗାଁର ୩ଯୁବକ ଗୁରୁତର ହୋଇଛନ୍ତି। ମାଫିଆମାନେ କେବଳ ଖଣ୍ଡାରେ ହାଣି ନାହାନ୍ତି, ହାଇୱା ଚଢ଼ାଇ ମାରିଦେବାକୁ ମଧ୍ୟ ଉଦ୍ୟମ କରିଛନ୍ତି। ଖଣ୍ଡା ଚୋଟରେ ସୌମେନ୍ଦ୍ର ଜେନା ଓ ନିରଞ୍ଜନ ପାତ୍ର ଗୁରୁତର ହୋଇଛନ୍ତି ଏବଂ ହାଇୱା ଧକ୍କାରେ ଶରତ ଜେନାଙ୍କ ଗୋଡ଼ ଭାଙ୍ଗିଯାଇଛି। ସୌଭାଗ୍ୟକୁ ଠିକଣା ସମୟରେ ଗ୍ରାମବାସୀମାନେ ଏକାଠି ହୋଇଯିବାରୁ ଏହି ୩ଜଣଙ୍କ ଜୀବନ ରକ୍ଷା ହୋଇପାରିଛି। ଏବେ ସମସ୍ତେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ଗ୍ରାମବାସୀମାନେ ମାଫିଆ ଓ ଭଡ଼ାଟିଆ ଗୁଣ୍ଡାଙ୍କ ମଧ୍ୟରୁ ୩ଜଣଙ୍କୁ ମଧ୍ୟ କାବୁ କରିବାରେ ସକ୍ଷମ ହୋଇଛନ୍ତି ଏବଂ ବଡ଼ କଷ୍ଟରେ ବାଲିଅନ୍ତା ଥାନା ପୁଲିସ ସେମାନଙ୍କୁ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛି। ଏକ ନିର୍ଦ୍ଦିଷ୍ଟ ଇଟାଭାଟି ମାଲିକର ପ୍ରତ୍ୟକ୍ଷ ଇଂଗିତରେ ମାଫିଆ ଓ ଭଡ଼ାଟିଆ ଗୁଣ୍ଡାମାନେ ଏଭଳି ଆତଙ୍କରାଜ କରୁଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Advertisment

ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଗଡ଼ଭିଙ୍ଗାରପୁର ଜିତିକାର ସୁଆଁଲୋ ମୌଜା ଚିତ୍ତଳେଶ୍ୱର ମନ୍ଦିର ନିକଟରୁ ଗତ କିଛି ଦିନ ହେଲା ଚୋରାରେ ମାଟି ଚାଲାଣ ହେଉଛି। ପ୍ରାଚୀ ନଦୀ କୂଳରେ କଟକ ସଦର ଥାନା ଅଞ୍ଚଳରେ ଥିବା ଏକ ଇଟାଭାଟିକୁ ବେଆଇନ ଭାବେ ମାଟି ଚାଲାଣ କରାଯାଉଛି। ଏହାକୁ ଗ୍ରାମବାସୀମାନେ ବିରୋଧ କରିଆସୁଥିଲେ। ଏମିତିକି ସେମାନେ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଜଣାଇଥିଲେ ବୋଲି କହିଛନ୍ତି। କିନ୍ତୁ ମାଟି ଚୋରା ଚାଲାଣ ବନ୍ଦ ହୋଇନଥିଲା। ତେଣୁ ଗତକାଲି ରାତିରେ କିଛି ଯୁବକ ଗାଁ ମୁଣ୍ଡ ଖରାଖାଇ ଠାକୁରାଣୀଙ୍କ ମନ୍ଦିର ନିକଟରେ ଏକ ମାଟି ବୋଝେଇ ହାଇୱା ଅଟକାଇଥିଲେ। ସେମାନଙ୍କ ଉଦ୍ଦେଶ୍ୟ ଥିଲା ହାଇୱାକୁ ପୁଲିସ ଜିମା ଦେବେ। କିନ୍ତୁ ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମାଫିଆ ଓ ଭଡ଼ାଟିଆ ଗୁଣ୍ଡାମାନେ ହଠାତ ମାଡ଼ିଆସିଥିଲେ। ଖଣ୍ଡା, ଲୁହା ରଡ୍‌, ଚେନ୍‌, ପାଇପ୍‌ ଆଦି ମାରଣାସ୍ତ୍ରରେ ସଜ୍ଜିତ ଗୁଣ୍ଡାମାନେ ଅତର୍କିତ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ସୌମେନ୍ଦ୍ରଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସେହିଭଳି ନିରଞ୍ଜନଙ୍କ ହାତ ଅଧାଅଧି ଛିଡ଼ି ଯାଇଥିଲା ଏବଂ ତାଙ୍କ ପିଠିରେ ୪/୫ ଚୋଟ ବାଜିଥିଲା। ସୌମେନ୍ଦ୍ର ଓ ନିରଞ୍ଜନଙ୍କ ଉପରେ ଖଣ୍ଡା ପାହାର ବସୁଥିବା ବେଳେ ହାଇୱା ଚାଳକ ଶରତଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲା। ଶରତଙ୍କ ଗୋଡ଼ରେ ଗାଡ଼ି ଚଢ଼ାଇ ଚାଳକ ସେଠାରୁ ଫେରାର ହୋଇଯାଇଥିଲା। ଏତିକିବେଳେ ଗ୍ରାମବାସୀମାନେ ଏକାଠି ହୋଇ ଧାଇଁ ଆସିଥିଲେ। ସେମାନେ ପ୍ରଥମେ ୩ ଆହତଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ। ପରେ ସେମାନଙ୍କୁ ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା।  

୩ଜଣଙ୍କୁ ଧରି ଛେଚିଲେ, ଖସିଗଲା ରାଜା
ଗ୍ରାମବାସୀମାନଙ୍କୁ ଦେଖି ମାଫିଆ ଓ ଗୁଣ୍ଡାମାନେ ଖସିପଳାଇବାକୁ ବାହାରିଥିଲେ। ମୁଖ୍ୟ ମାଫିଆ କୁହାଯାଉଥିବା ରାଜା ଓ ତା’ର କିଛି ସହଯୋଗୀ ଖସିଯାଇଥିଲେ। କିନ୍ତୁ ଗୋଟିଏ ବୁଲେଟ୍‌ ଓ ଅନ୍ୟ ଏକ ବାଇକ୍‌ ଠିକ୍‌ ସମୟରେ ଷ୍ଟାର୍ଟ ହେଲା ନାହିଁ। ତେଣୁ ୩ଜଣ ଖସିବାକୁ ବାଟ ପାଇନଥିଲେ। ସେମାନେ ବିକଳରେ ଦୌଡ଼ୁଦୌଡ଼ୁ ବାଟବଣା ହୋଇ ଗାଁ ଭିତରକୁ ପଶିଯାଇଥିଲେ। ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ କାବୁ କରି ବହେ ଛେଚିବା ପରେ ବାନ୍ଧି ପକାଇଥିଲେ। ଅନ୍ୟମାନେ ବାଇକ୍‌ ଦୁଇଟିକୁ ପିଟି ଭାଙ୍ଗି ପକାଇଥିଲେ।

ପୁଲିସକୁ ଘେରିଲେ ଗ୍ରାମବାସୀ
ଗଣ୍ଡଗୋଳ ଖବର ପାଇ ବାଲିଅନ୍ତା ଥାନା ପୁଲିସ ଗଡ଼ଭିଙ୍ଗାରପୁରରେ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲା। ଗ୍ରାମବାସୀଙ୍କ ପ୍ରଶ୍ନବାଣରେ ପୁଲିସ ମୁହଁ ଖୋଲି ପାରିନଥିଲା। ରାତିତମାମ ୩୦ରୁ ଅଧିକ ହାଇୱା ଏହି ଅଞ୍ଚଳରୁ ଚୋରାରେ ମାଟି ବୋହୁଛି ଏବଂ ପୁଲିସ ଇଟାଭାଟି ମାଲିକଙ୍କଠାରୁ କେତେ ଟଙ୍କା ମାସିକିଆ ପାଉଛି ବୋଲି ଲୋକେ ସିଧାସଳଖ ପଚାରିଥିଲେ। ଆଇନକୁ ହାତକୁ ନ ନେଇ ଅଟକ ଯୁବକଙ୍କୁ ପୁଲିସ ଜିମା ଦେବାକୁ ଅଧିକାରୀମାନେ ବୁଝାଇଥିଲେ। ହସ୍ପିଟାଲ୍‌ରୁ ଆହତମାନଙ୍କ ସୁସ୍ଥ ଖବର ନ ମିଳିବା ପର୍ଯ୍ୟନ୍ତ ଅଟକ ୩ଜଣଙ୍କୁ ଛଡ଼ାଯିବ ନାହିଁ ବୋଲି ଉତ୍ତ୍ୟକ୍ତ ଲୋକେ ଖୋଲାଖୋଲି କହିଥିଲେ। ଏସିପି ବିଭୂତି ଭୂଷଣ ମହାପାତ୍ର ଓ ଆଇଆଇସି ଅନିଲ ପରିଡ଼ା ଲୋକଙ୍କୁ ବୁଝାସୁଝା କରିଥିଲେ। ଏତିକିବେଳେ ଖବର ମିଳିଲା ଯେ ଆହତମାନେ ସୁସ୍ଥ ଅଛନ୍ତି। ଏହାପରେ ଗାଁ ଲୋକେ ୩ ଅଟକଙ୍କୁ ପୁଲିସ ଜିମା ଦେଇଥିଲେ। ମୁଖ୍ୟ ଅଭିଯୁକ୍ତ ରାଜା ଓ ତା’ର ସହଯୋଗୀମାନଙ୍କୁ ପୁଲିସ ତୁରନ୍ତ ଗିରଫ ନ କଲେ, ଗ୍ରାମବାସୀମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।