ରକ୍ତମୁଖା ପଳାସୁଣି ଛକ: କାର୍‌କୁ ଚାପିଦେଲା ହାଇୱା; ଏସ୍‌ଡିଓ ମୃତ, ୨ ଦିନରେ ନେଲାଣି ୨ ମୁଣ୍ଡ

ଭୁବନେଶ୍ବର-କଟକ ରାଜପଥ ୫ ଘଣ୍ଟା ଅଚଳ‌, ଫସିଲା ଆମ୍ବୁଲାନ୍ସ, ଲୋକେ ନାକଦେମ୍‌

ଭୁବନେଶ୍ବର: ରକ୍ତମୁଖା ହୋଇପଡ଼ିଛି ପଳାସୁଣି ଛକ। ଆଗପଛ ହୋଇ ମାତ୍ର ୨୦୦ ମିଟର ଦୂରତା ଭିତରେ, ଲଗାତାର ଦୁଇ ଦିନରେ ୨ଟି ଜୀବନ ଗଲାଣି। ଗତକାଲି ସକାଳ ପ୍ରାୟ ୬ଟା‌ରେ ଟ୍ରକ୍‌ ଚାପାରେ ବୋହୂ ଆଗରେ ଶ୍ବଶୁର ଜୀବନ ଚାଲି ଯାଇଥିବା ବେଳେ ଆଜି ଜଣେ ୩୬ ବର୍ଷୀୟ ଯୁବକଙ୍କ ମୁଣ୍ଡ ଗଡ଼ିଛି। ମୃତ ଯୁବକ ହେଲେ, ଆଇଗିଣିଆ ଅଞ୍ଚଳର ସୁମନ୍ତ ଦାସ(୩୬)। ସେ ଯାଜପୁର ଜିଲ୍ଲା ଧର୍ମଶାଳା‌ରେ ବିଦ୍ୟୁତ୍‌ ବିଭାଗରେ ଜଣେ ଏସ୍‌ଡିଓ ଭାବେ କାର୍ଯ୍ୟରତ ଥିଲେ। ଆଜି ସକା‌ଳେ ନିଜର ଅଲ୍‌‌ଟୋ କାର୍‌ରେ ଯାଜପୁର ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା।

ଏହି ଦୁର୍ଘଟଣା ପୂର୍ବରୁ ସକାଳ ପ୍ରାୟ ୬ଟାରେ ଗଙ୍ଗୁଆ ବ୍ରିଜ୍‌ ନିକଟରେ ଆଉ ଏକ ଦୁର୍ଘଟଣା ଘଟିଥିଲା। ଏକ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଏହି ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଇଥିଲା। ପାଖାପାଖି ୩ ଘଣ୍ଟା ପରେ ଅର୍ଥାତ୍‌ ସକାଳ ପ୍ରାୟ ୯ଟା ବେଳକୁ ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ହାଇୱାକୁ ରାସ୍ତାରୁ ହଟାଇ ଦେଇଥିଲା। କିନ୍ତୁ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିବାରୁ ଟ୍ରାଫିକ୍‌ ସ୍ବାଭାବିକ ହେବାକୁ ବେଶ୍‌ କିଛି ସମୟ ଲାଗି ଯାଇଥିଲା। ଠିକ୍‌ ଏହି ସମୟରେ ପଳାସୁଣି ଛକ ନିକଟରେ ଏ ମର୍ମନ୍ତୁଦ ଦୁର୍ଘଟଣା ଭିଡ଼ରେ ଫସିଥିବା ଲୋକଙ୍କ ଯାତନା ବଢ଼ାଇ ଦେଇଥିଲା। ଦୁର୍ଘଟଣାର ପରବର୍ତ୍ତୀ ଅବସ୍ଥା ସବୁଠୁ ଉଦ୍‌ବେଗଜନକ ଅବସ୍ଥା ସୃଷ୍ଟି କରିଥିଲା।

ଏମିତିକି ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ବ୍ୟସ୍ତବହୁଳ ଜାତୀୟ ରାଜପଥରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ୫ ଘଣ୍ଟା କାଳ ଗାଡ଼ିଗୁଡ଼ିକ ସେମିତି ଧାଡ଼ିରେ ଅଟକି ରହିଥିଲେ। ଧୀରେ ଧୀରେ ଏହି ଧାଡ଼ି ବାଣୀବିହାର ଓଭରବ୍ରିଜ୍‌ ପର୍ଯ୍ୟନ୍ତ ଲମ୍ବି ଯାଇଥିଲା‌। କେହି ପାଦେ ବି ଆଗକୁ ବଢ଼ି ପାରିନଥିଲେ। ଲୋକେ ଗାଡ଼ି ଭିତରେ ବସି ରହି ଝାଳନାଳରେ ଡହଳବିକଳ ହୋଇଥିଲେ। ଏକ ଆମ୍ବୁଲାନ୍ସ ମଧ୍ୟ ଏହି ଭିଡ଼ ଭିତରେ ଫସି ଯାଇଥିଲା। ତେବେ ଖୋଦ୍‌ ରାଜଧାନୀରେ ଏଭଳି ସ୍ଥିତି ସମସ୍ତଙ୍କୁ ଆଚମ୍ବିତ କରିଥିଲା। ସବୁ ବଡ଼ ବଡ଼ ବାବୁ ମାନେ ଏଠି ବସି ରାଜଧାନୀର ନକ୍ସା ତିଆରି କରୁଛନ୍ତି। ରାଜ୍ୟର ସବୁଠୁ ଟାଣୁଆ ପୁଲିସ୍‌ ବ୍ୟବସ୍ଥା (କମିସନରେଟ୍‌) ଏଇଠି। ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥାକୁ ଏକ ନମ୍ବର ପାଇଁ ସ୍ମାର୍ଟସିଟି ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ ବି ହେଉଛି। ବଡ଼ ବାବୁମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳକୁ ଆପଣାଉଛନ୍ତି। କିନ୍ତୁ ଆଜି ଯେମିତି ପରିସ୍ଥିତି ସୃଷ୍ଟି ହେଲା, ତାହା ଭିନ୍ନ କଥା ବୟାନ କରୁଛି। ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥା କେତେ ଦୁର୍ବଳ; ତାହା ଆଜି ପଦାରେ ପଡ଼ି ଯାଇଛି।

ଏଠାରେ ଉଲ୍ଲେଖଥାଉକି, ସକାଳ ପ୍ରାୟ ସାଢ଼େ ୯ଟା ବେଳେ ପଳାସୁଣି ଛକ ନିକଟ ଜାତୀୟ ରାଜପଥ ଜାମ୍‌ ହୋଇଯାଇଥିବା ବେଳେ ସୁମନ୍ତଙ୍କ ଗାଡି ଦୁର୍ଘଟଣା ସାମ୍ନା କରିଥିଲା। ଭୁବନେଶ୍ବରରୁ କଟକ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ଠିକ୍‌ ସେହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ହ୍ୟୁଣ୍ଡାଇ ଭର୍ଣ୍ଣା କାର୍‌କୁ ଧକ୍କା ଦେଇଥିଲା। କାର୍‌ଟି ଡିଭାଇଡର୍‌ ଡେଇଁ ରାସ୍ତା ଆରପଟକୁ ଚାଲିଯିବାରୁ କାର୍‌ରେ ବସିଥିବା ଚାଳକ ଓ ଅନ୍ୟମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। କିନ୍ତୁ ସୁମନ୍ତ ସେତେ ଭାଗ୍ୟବାନ୍‌ ନଥିଲେ। ଉକ୍ତ ହାଇୱା ଧକ୍କାରେ ସୁମନ୍ତଙ୍କ କାର୍‌ଟି ଆଗରେ ଥିବା ହାଇୱା ସହ ଧକ୍କା ହୋଇଯାଇଥିଲା। ପରେ ପଛରେ ଥିବା ହାଇୱାଟି ତାଙ୍କ କାର୍‌ ଉପରେ ମାଡ଼ି ଯାଇଥିଲା। ଦୁଇଟି ହାଇୱା ମଧ୍ୟରେ ଚାପି ହୋଇ ସୁମନ୍ତଙ୍କ କାର୍‌ ସଂପୂର୍ଣ୍ଣ ଚୂରମାର୍‌ ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଘଟଣାସ୍ଥଳରେ ହିଁ ସୁମନ୍ତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ତାଙ୍କ ଶବ କାର୍‌ ଭିତରେ ଚାପି ହୋଇଯିବାରୁ ସ୍ଥାନୀୟ ଲୋକ‌େ ତାଙ୍କୁ ଉଦ୍ଧାର ବି କରି ପାରି ନଥିଲେ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ୍‌ ଘଟଣାସ୍ଥଳ‌ରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ପରେ ପରେ ଅଗ୍ନିଶମ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌କଟର୍‌ ସାହାଯ୍ୟରେ କାର୍‌କୁ କାଟି ସୁମସ୍ତଙ୍କ ମୃତଦେହକୁ ବାହାର କରିଥିଲା। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର